Latest Odisha News

BREAKING NEWS

‘ଯୋଗ’ର ଉଲ୍ଲେଖନୀୟ ଅବଦାନ ଲାଗି ଘୋଷଣା ହେଲା ପ୍ରଧାନମନ୍ତ୍ରୀ ପୁରସ୍କାର-୨୦୧୯

ନୂଆଦିଲ୍ଲୀ: ଯୋଗର ପ୍ରୋତ୍ସାହନ ଏବଂ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଲାଗି ୨୦୧୯ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ଗୁଜରାଟ ଲାଇଫ ମିଶନର ସ୍ୱାମୀ ରାଜଶ୍ରୀ ମୁନି (ବ୍ୟକ୍ତିଗତ-ଜାତୀୟ ବର୍ଗ), ଇଟାଲୀର ମିସ ଆଂଟୋନିଟ୍ଟା ରୋଜି (ବ୍ୟକ୍ତିଗତ-ଅନ୍ତର୍ଜାତୀୟ ବର୍ଗ), ମୁଙ୍ଗେରସ୍ଥିତ ବିହାର ଯୋଗ ସ୍କୁଲ (ସଂଗଠନ-ଜାତୀୟ ବର୍ଗ) ଏବଂ ଜାପାନର ଜାପାନ ଯୋଗ ନିକେତନ (ସଂଗଠନ-ଅନ୍ତର୍ଜାତୀୟ) ଏହି ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି । ପୁରସ୍କାର ବିଜେତାମାନଙ୍କୁ ଏକ ଟ୍ରଫି, ମାନପତ୍ର ସହିତ ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ।

୨୧ ଜୁନ ୨୦୧୬ରେ ଚଣ୍ଡିଗଡ଼ ଠାରେ ଆୟୋଜିତ ଦ୍ୱିତୀୟ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ଯୋଗର ପ୍ରୋତ୍ସାହନ ଏବଂ ବିକାଶ ପାଇଁ ଏହି ପୁରସ୍କାର ଘୋଷଣା କରିଥିଲେ । ଏହି ପୁରସ୍କାର ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନିୟମାବଳୀ ପ୍ରଣୟନ କରାଯାଇଥିଲା । ଏଥିପାଇଁ ଦୁଇଟି କମିଟି ଯଥା- ସ୍କ୍ରିନିଂ କମିଟି (ପ୍ରାଥମିକ ମୂଲ୍ୟାୟନ) ଏବଂ ମୂଲ୍ୟାୟନ କମିଟି (ବିଚାରକ) ଗଠନ କରାଯାଇଥିଲା, ଯଦ୍ଦ୍ୱାରା ଏହି ପୁରସ୍କାର ଚୟନ କରିବାରେ ପାରଦର୍ଶିତା ଅବଲମ୍ବନ କରାଯାଇପାରିବ । ଖୋଲା ବିଜ୍ଞାପନ ଜରିଆରେ ଏହି ପୁରସ୍କାର ପାଇଁ ନାମାଙ୍କନ ଆହ୍ୱାନ କରାଯାଇଥିଲା ।

ଆୟୁଷ ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍କ୍ରିନିଂ କମିଟି ନିଜସ୍ୱ ଇନପୁଟ ଏବଂ ଆବେଦନଗୁଡ଼ିକ ମଧ୍ୟରୁ ୭୯ଟି ଆବେଦନକୁ ଚୁଡ଼ାନ୍ତ ତାଲିକାରେ ରଖାଯାଇଥିଲା । କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ, ସଚିବ (ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ), ଆୟୁଷ ସଚିବ, ଡ. ହଂସା ଯୋଗେନ୍ଦ୍ର ଓ ଡ. ଜୟନ୍ତ ଯଶୱନ୍ତଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ସ୍କ୍ରିନିଂ କମିଟର ସୁପାରିସକୁ ଅନୁଧ୍ୟାନ କରିବା ସହ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କର ଯୋଗ କ୍ଷେତ୍ରରେ ରହିଥିବା ଯୋଗଦାନକୁ ତର୍ଜମା କରିଥିଲେ । ବିଭିନ୍ନ ବର୍ଗରେ ମିଳିଥିବା ୭୯ଟି ନାମାଙ୍କନକୁ ବିବେଚନା କରିବା ପରେ ଚୁଡ଼ାନ୍ତ ନିଷ୍ପତି ନିଆଯାଇଥିଲା ।

ଗୁଜରାଟର ଲିମ୍ବଡ଼ିରେ ସ୍ୱାମୀ ରାଜଶ୍ରୀ ମୁନି ନିରନ୍ତର ଯୋଗାଭ୍ୟାସ କରିଆସୁଛନ୍ତି । ୧୯୭୧ରେ ସେ ସ୍ୱାମୀ କୃପାଳଭାନନ୍ଦଙ୍କ ଠାରୁ ଯୋଗ ଦୀକ୍ଷା ପାଇଥିଲେ । ସ୍ୱାମୀ ରାଜଶ୍ରୀ ମୁନି ୧୯୯୩ରେ ଲାକୁଲିଶ ଇଂଟରନ୍ୟାସନାଲ ଫେଲୋସିପସ୍ ଏନଲାଇଟେନମେଂଟ ମିଶନ (ଲାଇଫ ମିଶନ) ପ୍ରତିଷ୍ଠା କରିଥିଲେ । ଏହି ମିଶନ ନିରନ୍ତର ଭାବେ ଯୋଗର ପ୍ରୋତ୍ସାହନ ସହିତ ମାନବ ସେବା ଦିଗରେ କାର୍ଯ୍ୟ କରିଆସୁଛି । ପ୍ରାଚୀନ ଯୋଗ ବିଜ୍ଞାନର ଜ୍ଞାନ ଏବଂ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ନିଃସ୍ୱାର୍ଥ ମାନବସେବା ଦିଗରେ ଲାଇଫ ମିଶନ ଜରିଆରେ ହଜାର ହଜାର ଲୋକଙ୍କ ଜୀବନକୁ ସ୍ୱାମୀଜୀ ପ୍ରଭାବିତ କରିଚାଲିଛନ୍ତି । ଯୋଗ ଦର୍ଶନ, ଯୋଗ ଥେରାପି ଭଳି ଯୋଗର ବିଭିନ୍ନ ଦିଗରେ ସେ ଏକାଧିକ ପୁସ୍ତକ ଲେଖିଯାଇଛନ୍ତି । ଯୋଗ କ୍ଷେତ୍ରରେ ଉକ୍ରର୍ଷତା ହାସଲ କରିବା ଏବଂ ଏହାର ବିଭିନ୍ନ ଦିଗକୁ ଉଜାଗର କରିବା ଦିଗରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଏକ ଶିକ୍ଷାନୁଷ୍ଠାନ, ଗୁଜରାଟର ଛାରୋଡ଼ି ଠାରେ ଲାକୁଲିଶ ଯୋଗ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଆଧ୍ୟାତ୍ମିକ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।

ମିସ ଆଂଟୋନିଟା ରୋଜି ଇଟାଲିର ଲେରିସିରେ ଜଣେ ଯୋଗ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ଯୋଗ କ୍ଷେତ୍ରରେ ତାଙ୍କର ୪୨ ବର୍ଷର ଅଭିଜ୍ଞତା ରହିଛି । ମୂଳତଃ ସ୍ୱାମୀ ଶିବାନନ୍ଦ ଯୋଗ ପରମ୍ପରାର ଜଣେ ଛାତ୍ରୀ ଭାବେ ସେ ବିଭିନ୍ନ ଭାରତୀୟ ଯୋଗ ଗୁରୁଙ୍କ ଠାରୁ ଯୋଗାଭ୍ୟାସର ଆଧୁନିକ ଦିଗ ବିଷୟରେ ସେ ଶିକ୍ଷାଲାଭ କରିଛନ୍ତି । ଯୋଗ ଶିକ୍ଷାରେ ତାଙ୍କର ଏକ ଚମକ୍ରାର ପେସାଦାର କ୍ୟାରିଅର ରହିଛି । ଏହି ବିଷୟରେ ପାଣ୍ଡିତ୍ୟ ଏବଂ ପ୍ରତିବଦ୍ଧତା ପାଇଁ ବିଶ୍ୱବ୍ୟାପୀ ତାଙ୍କର ସୁନାମ ରହିଛି । ସର୍ବ ଯୋଗ ଇଂଟରନ୍ୟାସନାଲର ପ୍ରତିଷ୍ଠାତା ସଭାପତି ଭାବେ ସେ ଚାରି ଦଶନ୍ଧି ଧରି ଇଟାଲୀ ଏବଂ ୟୁରୋପରେ ପାରମ୍ପରିକ ଭାରତୀୟ ଯୋଗର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିଆସୁଛନ୍ତି । ୟୁରୋପର ବିଭିନ୍ନ ଯୋଗ ପେସାଦାର ସଂଗଠନର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସେ କାର୍ଯ୍ୟ କରୁଛନ୍ତି । ତାଙ୍କର କାର୍ଯ୍ୟ ଯୋଗୁ ୟୁରୋପର ବିଭିନ୍ନ ପ୍ରାନ୍ତରେ ଯୋଗ ଏବେ ସମ୍ଭାବନା ପୂର୍ଣ୍ଣ ଶିକ୍ଷା କ୍ଷେତ୍ର ଭାବେ ବିବେଚିତ ହୋଇଛି ଏବଂ ଯୋଗ ଥେରାପିକୁ ଏକ ବ୍ୟବହାରିକ ଚିକିତ୍ସା ପଦ୍ଧତି ଭାବେ ଗ୍ରହଣ କରାଯାଇଛି ।

ବିହାରର ମୁଙ୍ଗେର ଠାରେ ୧୯୬୪ରେ ଶ୍ରୀ ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ବିହାର ଯୋଗ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା । ସାମ୍ପ୍ରତିକ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିଜ୍ଞାନ ସହିତ ପାରମ୍ପରିକ ବୈଦିକ, ତାନ୍ତ୍ରିକ ଏବଂ ଯୋଗ ଶିକ୍ଷାର ବିଭିନ୍ନ ଦୃଷ୍ଟିକୋଣର ସମ୍ମିଶ୍ରଣରେ ଯୋଗ କୌଶଳର ବିକାଶ ଲାଗି ଏହି ସ୍କୁଲ ପରିଚିତ । ବିଭିନ୍ନ ପ୍ରସିଦ୍ଧ ହସପିଟାଲ, ସଂଗଠନ ଏବଂ ସଂସ୍ଥା ସହିତ ମିଶି ଚିକିତ୍ସା ଗବେଷଣା ଏବଂ ଯୋଗ ପ୍ରକଳ୍ପ ପରିଚାଳନାରେ ବିହାର ସ୍କୁଲ ମାର୍ଗଦର୍ଶନ କରିଥାଏ । ବିହାର ଯୋଗ ସ୍କୁଲ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବର୍ତମାନ ଶିକ୍ଷା, ସରକାରୀ କ୍ଷେତ୍ର, ଡାକ୍ତରଖାନା, ପ୍ରତିରକ୍ଷା ସଂସ୍ଥାନ, ଘରୋଇ ଏବଂ ସରକାରୀ କ୍ଷେତ୍ରର ଉଦ୍ୟୋଗ ଏପରିକି କାରାଗାରରେ ମଧ୍ୟ ଉପଯୋଗ ହେଉଛି । ଏହି ସ୍କୁଲ ପକ୍ଷରୁ ୨୦୧୩ ଠାରୁ ଏହି କ୍ଷେତ୍ରର ବିଭିନ୍ନ କ୍ଷେତ୍ର ଉପରେ ଆଲୋକପାତ କରୁଥିବା ଏକ ପତ୍ରିକା ‘ଯୋଗ’ ପ୍ରକାଶିତ ହେଉଛି । ଏହାଛଡ଼ା ଏହି ସଂସ୍ଥାର ୧୦୦ରୁ ଅଧିକ ପ୍ରକାଶିତ ପୁସ୍ତକ ରହିଛି ଯାହା ବିଭିନ୍ନ ଯୋଗ ପାଠ୍ୟକ୍ରମ ପାଇଁ ପରାମର୍ଶ ପୁସ୍ତକ ଭାବେ ଉପଯୋଗ ହୋଇଥାଏ ।

୧୯୮୦ରେ ପ୍ରତିଷ୍ଠା ହୋଇଥିବା ଜାପାନ ଯୋଗ ନିକେତନ ଜାପାନରେ ଯୋଗର ପ୍ରସାର କ୍ଷେତ୍ରରେ ଆଲୋକବର୍ତିକା ସାଜିଛି । ଏହା ଋଷିକେଶ ଯୋଗ ନିକେତନ ଏବଂ ଏସ-ବ୍ୟାସ ଯୋଗ ବିଶ୍ୱବିଦ୍ୟାଳୟ, ବେଙ୍ଗାଲୁରୁର ସହଯୋଗରେ କାର୍ଯ୍ୟ କରିଥାଏ । ଏହି ସଂସ୍ଥା ଦ୍ୱାରା ପରିଚାଳିତ ବହୁ ଉଚ୍ଚମାନର ଯୋଗ ପ୍ରଶିକ୍ଷଣ ଏବଂ ତାଲିମ କାର୍ଯ୍ୟକ୍ରମ ଦ୍ୱାରା ଜାପାନରେ ଯୋଗର ମୂଳଦୁଆ ସ୍ଥାପିତ ହୋଇଛି । ଏହି ସଂସ୍ଥା ଜାପାନରେ ଯୋଗ ପେସାଦାରମାନଙ୍କୁ ସଂସ୍ଥାଗତ ମାନ୍ୟତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଯାହାଦ୍ୱାରା ସେହି ଦେଶରେ ଯୋଗର ବୈଜ୍ଞାନିକ ଦିଗର ମାନକୁ ସୁଦୃଢ଼ କରିପାରିପାରିଛି । ସେମାନଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଯୋଗ ଥେରାପି ଥିଓରୀ : ମଡର୍ଣ୍ଣ ମେଥର୍ଡସ ବେସଡ ଅନ ଟ୍ରାଡିସନାଲ ଟିଚିଙ୍ଗସ ଅଫ ହ୍ୟୁମାନ ଷ୍ଟ୍ରକଚର ଆଣ୍ଡ ଫଙ୍କସନ’ ଏହାର ବିଶ୍ୱସନୀୟତା ପାଇଁ ପ୍ରଶଂସିତ ହୋଇପାରିଛି ।

Leave A Reply

Your email address will not be published.