ଭୁବନେଶ୍ୱର: ଜରୁରୀକାଳୀନ ପରିସ୍ଥିତିରେ ବନ୍ଦୀମାନଙ୍କୁ ମାସିକ ପେନସନ ପ୍ରଦାନ ସମ୍ବନ୍ଧରେ ବୁଧବାର ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ, ୨୫ ଜୁନ୍ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ମସିହା ପର୍ଯ୍ୟନ୍ତ ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ ଏମଆଇଏସଏ, ଡିଆଇଆର୍ ଏବଂ ଡିଆଇଏସଆଇଆର୍ ଆଇନ ବଳରେ ପ୍ରଭୃତି ଆଇନ ବଳରେ ଗିରଫ ହୋଇଥିବା ବନ୍ଦୀମାନଙ୍କୁ ସରକାରଙ୍କ ଦ୍ୱାରା ମାସିକ ପେନସନ ଦେବାପାଇଁ ଗତ ସ୍ୱାଧୀନତା ଦିବସରେ ଘୋଷଣା କରାଯାଇଥିଲା l
ସେହି ଘୋଷଣା ମୁତାବକ, ସରକାରଙ୍କ ଦ୍ୱାରା ଏକ ସଂକଳ୍ପ ପତ୍ର ୧୩ ଜାନୁୟାରୀ ୨୦୨୫ ତାରିଖରେ ଜାରି କରାଯାଇଥିଲା l ସେହି ସଂକଳ୍ପ ପତ୍ରରେ ଜରୁରୀକାଳୀନ ପରିସ୍ଥିତି ସମୟରେ ବନ୍ଦୀ ହୋଇଥିବା ବ୍ୟକ୍ତିମାନଙ୍କୁ ଜିଲ୍ଲାପାଳମାନଙ୍କ ନିକଟରେ ଆବେଦନ କରିବାକୁ ଘୋଷଣା କରାଯାଇଥିଲା l
ଇତିମଧ୍ୟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସ୍ତରୀୟ କମିଟିର ନିଷ୍ପତ୍ତିକୁ ବିଚାରକରି ପ୍ରଥମ ପର୍ଯ୍ୟାୟରେ ୨୧ ଜଣଙ୍କୁ ଜାନୁଆରୀ ୧ ତାରିଖଠାରୁ ମାସିକ ୨୦ ହଜାର ଟଙ୍କା ପେନସନ ଦେବା ପାଇଁ ରାଜ୍ୟସ୍ତରୀୟ କମିଟି ସୁପାରିଶ କରିଛନ୍ତି l ରାଜ୍ୟ ସରକାର ଇତି ମଧ୍ୟରେ ଏହାକୁ ଅନୁମୋଦନ କରିଛନ୍ତି l
ଏମଆଇଏସଏ, ଡିଆଇଆର୍ ଏବଂ ଡିଆଇଏସଆଇଆର୍ ବନ୍ଦୀମାନଙ୍କଠାରୁ ଗ୍ରହଣ ହୋଇଥିବା ଅନ୍ୟ ଆବେଦନ ପତ୍ରଗୁଡିକୁ ବିଚାର କରାଯାଇ ପରବର୍ତ୍ତୀ ପର୍ଯ୍ୟାୟରେ ସେହିମାନଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ l
Comments are closed.