Latest Odisha News

BREAKING NEWS

ଦଶହରା ଛୁଟିରେ ଘରକୁ ଯିବେ ଲୋକେ, ରାଜ୍ୟରେ ପୁଣି ଗଡିଲା ଘରୋଇ ବସ୍

ଭୁବନେଶ୍ଵର: ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । ଦଶହରାରେ ଘରକୁ ଯିବେ ଘରଠାରୁ ଦୁରରେ ରହୁଥିବା ସମସ୍ତ ଲୋକେ । କାରଣ ରାଜ୍ୟରେ ଆଜିଠୁ ପୁଣି ଗଡିଲା ବସ୍ । ଧର୍ମଘଟରୁ ଓହରିଲା ଘରୋଇ ବସ୍ ମାଲିକ ସଂଘ । ତେବେ ୩୧ ତାରିଖ ଯାଏଁ ଆନ୍ଦୋଳନ ସ୍ଥଗିତ ରହିବ । ୨୬ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ନିଷ୍ପତିକୁ ଅପେକ୍ଷା ରହିଥିବା ବେଳେ ଯଦି ସରକାର ଦାବି ପୁରଣ ନକରନ୍ତି ତେବେ ପୁଣି ଧର୍ମଘଟ ହେବ ବୋଲି ସିଧାସଳଖ ସରକାରଙ୍କୁ ଚେତାବନୀ ଦେଇଛି ସଂଘ ।

ପାର୍ବଣକୁ ଦୃଷ୍ଟିରେ ରଖି ଓ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ବସ ଧର୍ମଘଟ ସ୍ଥଗିତ ରହିଛି । ରାଜ୍ୟ ସରକାର ଓ ଘରୋଇ ମାଲିକ ସଂଘର ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ସଂଘ । ପାର୍ବଣରେ ବସ ଧର୍ମଘଟ ଯୋଗୁ ଯାତ୍ରୀ ଅସୁବିଧା ଭୋଗିଥିଲେ। ଏଥିପାଇଁ ଯାତ୍ରୀଙ୍କୁ କ୍ଷମା ମାଗିଛି ବସ ମାଲିକ ସଂଘ । ଗତକାଲି ରାତିରୁ ରାଜ୍ୟରେ ଘରୋଇ ବସ ଚଳାଚଳ ଆରମ୍ଭ କରିଛି । ବସ ଧର୍ମଘଟ ନେଇ ପରିବହନ ମନ୍ତ୍ରୀଙ୍କ ବାସଭବନରେ ବୈଠକ ବସିଥିଲା। ବୈଠକ ପରେ ରାଜ୍ୟରେ ପୁଣି ଘରୋଇ ବସ ଚଳାଚଳ କରିବ ବୋଲି କହିଥିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଅକ୍ଟୋବର ୨୬ରେ ପୁଣି ଥରେ ଆଲୋଚନା ହେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ସାରା ରାଜ୍ୟରେ ବସ୍ ଧର୍ମଘଟ ହୋଇଥିଲା । ସକାଳ ୬ଟାରୁ ବସ୍ ଚଳାଚଳ ବନ୍ଦ ରହିବା କାରଣରୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା । ନିଜ ଜିଦରେ ଅଟଳ ରହିଥିଲା ଘରୋଇ ବସ୍ ମାଲିକ ସଂଘ । ବସ ଧର୍ମଘଟ ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ। ସରକାର ଲିଖିତ ପ୍ରତିଶ୍ରୃତି ନ ଦେବାରୁ ଏହି ଧର୍ମଘଟ ହୋଇଛି ବୋଲି ସେ କହିଥିଲେ । ଫଳରେ ଗତକାଲି ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିଲା ।

Comments are closed.