Latest Odisha News

‘ମୋଦିଙ୍କୁ ହରାଇପାରିବେ ପ୍ରିୟଙ୍କା’

ଭୁବନେଶ୍ୱର: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିବ କି ବଡ଼ ଦାୟିତ୍ୱ। ଉତ୍ତରପ୍ରଦେଶ ଦାୟିତ୍ବରୁ ମୁକ୍ତି ପାଇ ପ୍ରିୟଙ୍କା ସାରା ଦେଶରେ କଂଗ୍ରେସକୁ ଶକ୍ତ କରିବାର ଦାୟିତ୍ୱ ନେବେ କି। ଏମିତି କିଛି କଳ୍ପନାଜଳ୍ପନା ଏବେ ଜାତୀୟ ରାଜନୀତିରେ ଦେଖିବାକୁ ମିଳିଛି।

କର୍ଣ୍ଣାଟକ ନିର୍ବାଚନରେ ପ୍ରିୟଙ୍କାଙ୍କ ମାରାଥନ ପ୍ରଚାର ବେଶ ପ୍ରଭାବୀ ହୋଇଥିଲା। ଯାହାକି ଦଳକୁ ଫାଇଦା ଦେଇଥିବା ଆଲୋଚନା ହୁଏ। ତେଣୁ ଆଗକୁ ବିଭିନ୍ନ ରାଜ୍ୟ ଓ ଲୋକସଭା ନିର୍ବାଚନରେ ପ୍ରିୟଙ୍କାଙ୍କୁ କଂଗ୍ରେସର ବଡ଼ ଚେହେରା କରି ମଇଦାନକୁ ଓଲ୍ହାଇଵାକୁ ଯୋଜନା ହେଉଥିବା ଚର୍ଚ୍ଚା ହେଉଛି।

ଏପରିକି ପ୍ରିୟଙ୍କା ଆସନ୍ତା ଲୋକସଭା ନିର୍ବାଚନ ମଧ୍ୟ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ତେଣୁ ଏଭଳି ଚର୍ଚ୍ଚା ମଧ୍ୟରେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ପ୍ରିୟଙ୍କାଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି।

୨୦୨୪ରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଚେହେରା କରାଯିବା ଆବଶ୍ୟକ ବୋଲି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ମତ ଦେଇଛନ୍ତି।

ଯଦି ପ୍ରିୟଙ୍କାଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରାଯିବ ତାହେଲେ ମୋଦିଙ୍କୁ ହରାଯାଇପାରିବ ବୋଲି ସେ କହିଛନ୍ତି। ଏପରିକି ରାହୁଲ ଗାନ୍ଧୀ ସନ୍ଥ ଭୂମିକାରେ ଥିବା ସେ କହିଛନ୍ତି। କାହିଁକି ନା ରାହୁଲ ଦଳର ଅଧ୍ୟକ୍ଷ ପଦ ଛାଡିଛନ୍ତି।

ବିରୋଧୀ ଏକତା ଦିଗରେ ମଧ୍ୟ ଆଚାର୍ଯ୍ୟ ମତ ରଖିଛନ୍ତି। ଉତ୍ତରପ୍ରଦେଶରେ ଅଖିଲେଶ ଯାଦବଙ୍କୁ ଆଗାମୀ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ ବୋଲି ସେ କହିଛନ୍ତି।

ପୂର୍ବରୁ ମଧ୍ୟ ଏହି କଂଗ୍ରେସ ନେତା ପ୍ରିୟଙ୍କାଙ୍କୁ ନେଇ ମତ ରଖିସାରିଛନ୍ତି। ଏପରିକି ଯଦି ପ୍ରିୟଙ୍କାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରାଯାଏ ତେବେ ୨୦୨୪ ରେ ନିର୍ବାଚନ ନୁହେଁ ମହାଭାରତ ହେବ।

ନରେନ୍ଦ୍ର ମୋଦିଙ୍କୁ ଟକ୍ଜର ଦେବାକୁ ବଡ଼ ଚେହେରା ଦରକାର ବୋଲି ସେ କହିଛନ୍ତି। ଯାହାକୁ ନେଇ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ତେଣୁ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା ଆଗକୁ କଣ ହେବ ତା ଉପରେ ନଜର।

Leave A Reply

Your email address will not be published.