Latest Odisha News

ଓଡ଼ିଶାରେ ଆପକୁ ଜିତାଇବ କି ମାଗଣା ବିଜୁଳି ଫଣ୍ଡା?

ଭୁବନେଶ୍ୱର: ଓଡ଼ିଶାରେ ଦୁଇଶହ ୟୁନିଟ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ଦାବି କରିଛି ଆମ ଆଦମୀ ପାର୍ଟି। ଏହି ଦାବି ନେଇ ପାର୍ଟିର ହଜାର ହଜାର କର୍ମୀ ଓ କାର୍ଯ୍ୟକର୍ତା ପିଏମଜି ଛକରେ ଏକାଠି ହୋଇଥିଲେ।

ଏ ସମ୍ପର୍କିତ ଦାବିକୁ ନେଇ ରାଜ୍ୟର ପାଞ୍ଚ ଲକ୍ଷ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି। ଏହି ଅବସରରେ ଦଳର ରାଜ୍ୟସ୍ତରୀୟ ପ୍ରମୁଖ ନେତାଙ୍କ ସମେତ ଜାତୀୟ ସ୍ତରର ନେତା ଯୋଗ ଦେଇଥିଲେ।

ଦେଶର ସାଧାରଣ ନିର୍ବାଚନ ସହ ଓଡ଼ିଶାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଆମ ଆଦମୀ ପାର୍ଟିର ଏହି କାର୍ଯ୍ୟକ୍ରମ ରାଜନୈତିକ ସ୍ତରରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ମାଗଣା ବିଜୁଳି ଫଣ୍ଡା ଏବେ ସାରା ଦେଶରେ ଚର୍ଚ୍ଚିତ ପ୍ରସଙ୍ଗ। କର୍ଣ୍ଣାଟକରେ ଦୁଇଶହ ୟୁନିଟ ମାଗଣା ବିଜୁଳି ଦେବାକୁ ପ୍ରମୁଖ ନିର୍ବାଚନ ପ୍ରସଙ୍ଗ କରି କଂଗ୍ରେସ ବିପୁଳ ବିଜୟ ହାସଲ କରିଛି।

ସେହିପରି ଆଗକୁ ହେବାକୁ ଥିବା ମଧ୍ୟପ୍ରଦେଶ ନିର୍ବାଚନରେ ମଧ୍ୟ କଂଗ୍ରେସ ସରକାରକୁ ଆସିଲେ ଶହେ ୟୁନିଟ ମାଗଣା ବିଜୁଳି ଦେବା ସହ ଆଉ ଶହେ ୟୁନିଟକୁ ଅଧା ଟଙ୍କାରେ ଦେବାକୁ ଘୋଷଣା କରିଛି। ଦଳ ଏହାକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର ମଧ୍ୟ କରୁଛି।

ସେପଟେ ଆଉ ଦୁଇ ପାଦ ଆଗକୁ ଯାଇ ରାଜସ୍ଥାନରେ କଂଗ୍ରେସ ସରକାର ରାଜ୍ୟବାସୀଙ୍କୁ ଶହେ ୟୁନିଟ ମାଗଣା ବିଜୁଳି ଦେବା ଆରମ୍ଭ କଲେଣି। ତେଣୁ ଏଭଳି ସ୍ଥିତିରେ ଦୀର୍ଘ ଦିନ ଧରି ଶାନ୍ତ ପଡିଯାଇଥିବା ଆମ ଆଦମୀ ପାର୍ଟି ଓଡ଼ିଶାରେ ଏଭଳି ଏକ ଲୋକଙ୍କୁ ଛୁଇଁଥିବା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓଲ୍ହାଇଛି।

ପୂର୍ବରୁ ଆମ ଆଦମୀ ପାର୍ଟି ମଧ୍ୟ ଦିଲ୍ଲୀରେ ଏହି ଫଣ୍ଡା ଆପଣାଇ ସରକାର ଗଢ଼ିଛି। ତେଣୁ ଓଡ଼ିଶାରେ ଏ ପ୍ରସଙ୍ଗକୁ ନେଇ ଆପ ରାଜନୈତିକ ବାତାବରଣ ତିଆରି କରିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।

ତେଣୁ ଏଭଳି ଏକ ପ୍ରସଙ୍ଗକୁ ନେଇ ଆପ ପାୱାର ସୋ କରିଛି। ଗରିବ ପରିବାରଠୁ ଆରମ୍ଭ କରି ମଧ୍ୟବିତ୍ତ ପରିବାର ସମସ୍ତଙ୍କ ପାଇଁ ବିଜୁଳି ଏକ ପ୍ରମୁଖ ପ୍ରସଙ୍ଗ। ପ୍ରତି ପରିବାରର ଆଵଶ୍ୟକତା ହେଉଛି ବିଜୁଳି।

କିନ୍ତୁ ବର୍ଦ୍ଧିତ ବିଜୁଳି ଦର ସାଙ୍ଗକୁ ଆଵଶ୍ୟକତା ବଢ଼ୁଥିବାରୁ ଲୋକେ ବହୁ ହନ୍ତସନ୍ତ ହେଉଛନ୍ତି। ତେଣୁ ମାଗଣା ବିଜୁଳି ଲୋକମାନଙ୍କ ପାଇଁ ସବୁଠୁ ବଡ଼ ଆସ୍ୱସ୍ତି ବୋଲି କୁହାଯାଏ।

ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ବିଜୁଳି କାର୍ଡ ଖେଳୁଥିବା ଦେଖାଯାଉଛି। ଏପରିକି ଲୋକେ ଯେହେତୁ ଲାଭ ଓ ଆସ୍ୱସ୍ତି ପାଉଛନ୍ତି ଏ ପ୍ରସଙ୍ଗକୁ ଗ୍ରହଣ ମଧ୍ୟ କରୁଛନ୍ତି।

ଏପରିକି ନିକଟ ଅତୀତରେ କର୍ଣ୍ଣାଟକରେ କଂଗ୍ରେସର ବିଜୟ ଏହାର ବଡ଼ ଉଦାହରଣ ଭାବେ ନିଆଯାଇପାରେ। ଏପରିକି ଏ ସବୁ ଚିତ୍ରକୁ ଦେଖି ଅନ୍ୟ ରାଜ୍ୟରେ ବିଭିନ୍ନ ଦଳ ମାଗଣା ବିଜୁଳି ଦାବି ଆରମ୍ଭ କଲେଣି।

ଉତ୍ତରପ୍ରଦେଶରେ ରାଷ୍ଟ୍ରୀୟ ଲୋକଦଳ ପକ୍ଷରୁ ରାଜ୍ୟରେ ମାଗଣା ବିଜୁଳି ନେଇ ଦାବି ହୋଇଛି। ଦେଶରେ ଗ୍ୟାସ ସିଲିଣ୍ଡରରେ ରିହାତି, ମହିଳାଙ୍କୁ ସ୍କିମ ମାଧ୍ୟମରେ ନଗଦ ଅର୍ଥ, ଯୁବକଙ୍କୁ ଚାକିରୀ ଓ ମାଗଣା ବିଜୁଳି ପ୍ରସଙ୍ଗ ଲୋକଙ୍କୁ ଆକର୍ଷିତ କରୁଛି।

ତେଣୁ ଓଡ଼ିଶାରେ ଆମ ଆଦମୀ ପାର୍ଟି ଏ ପ୍ରସଙ୍ଗକୁ ଏକ ବଡ଼ ଢଙ୍ଗରେ ଉପସ୍ଥାପିତ କରିବା ଆରମ୍ଭ କରିଛି। ଆଗକୁ ନିର୍ବାଚନ ଥିବାବେଳେ ସାମାଜିକ ଗଣମାଧ୍ୟମ ଓ ବିଭିନ୍ନ ମାଧ୍ୟମରେ ଆପ ଏ ପ୍ରସଙ୍ଗକୁ ନେଇ ଆଗକୁ ବଢ଼ିବ ବୋଲି ସୂଚନା ମିଳୁଛି।

ତେଣୁ ଓଡିଶା ବାସୀଙ୍କ ଉପରେ ଏ ପ୍ରସଙ୍ଗର କେତେ ପ୍ରଭାବ ପଡିବ, ବିଜେଡି ଆପର ଏହି ଦାବିକୁ କେତେ ଗୁରୁତ୍ୱ ଦେବ ଓ ଅନ୍ୟ ରାଜ୍ୟ ଭଳି ସତରେ କଣ ଓଡ଼ିଶାରେ ମାଗଣା ବିଜୁଳି ମିଳିବ ତାକୁ ନେଇ ଜୋରଦାର ଚର୍ଚ୍ଚା।

Leave A Reply

Your email address will not be published.