Latest Odisha News

BREAKING NEWS

ଯାଜପୁର କାଳିଆପାଣି ଖଣି ଅଞ୍ଚଳରେ ଶ୍ରମିକ ଅଶାନ୍ତି

ଯାଜପୁର : ଯାଜପୁର କାଳିଆପାଣି ଖଣି ଅଞ୍ଚଳରେ ଦେଖାଦେଇଛି ଶ୍ରମିକ ଅଶାନ୍ତି । ମୁଣ୍ଡ ଟେକିଛି ଆଉ ଏକ ଆନ୍ଦୋଳନ । ଟାଟା ଖଣି କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଅଞ୍ଚଳର ଶତାଧିକ ଛଟେଇ ଶ୍ରମିକ ଓ ଜନସାଧାରଣ । ୭ ଦଫା ଦାବିରେ ସୁକିନ୍ଦା ରିଜିଅନ୍ କ୍ରୋମାଇଟ ଖାଦାନ ମଜଦୁର ସଂଘ ନେତୃତ୍ବରେ ଟାଟା ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଜାରି ରହିଛି ।

ସୋମବାରରୁ ଟାଟା କମ୍ପାନୀର ୩ଟି ଯାକ କ୍ରୋମାଇଟ୍ ଖଣିରେ ଚାଲିଥିବା ଗଣ ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି । ସଂଘ ନେତୃତ୍ବରେ ଶତାଧିକ ଛଟେଇ ଶ୍ରମିକଙ୍କ ସହ ସ୍ଥାନୀୟ ଅଞ୍ଚଳର ଲୋକପ୍ରତିନିଧି ଓ ସାଧାରଣ ଲୋକେ ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି । ଛଟେଇ ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ସହିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ, କମର୍ଦ୍ଦା କ୍ରୋମାଇଟ୍ ଖଣିର ଖନନ କାର୍ଯ୍ୟ ଆରମ୍ଭ କରିବା, ଖଣି ପ୍ରଭାବିତ ଗ୍ରାମରେ ଉନ୍ନୟନମୂଳକ କାର୍ଯ୍ୟ ଓ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛି ମଜଦୁର ସଂଘ । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଟାଟା ଖଣି କର୍ତ୍ତୃପକ୍ଷ ସ୍ଥାନୀୟ ଅଞ୍ଚଳର ଶ୍ରମିକଙ୍କୁ ଛଟେଇ କରି ମେସିନ ସାହାଯ୍ୟରେ ଖଣି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଫଳରେ ଶ୍ରମିକ ଓ ତାଙ୍କ ପରିବାର ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିପରି ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ବେକାର ହୋଇ ବୁଲୁଥିବା ବେଳେ, ବାହାର ରାଜ୍ୟର ଲୋକଙ୍କୁ ଏଠାରେ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ହୋଇଛି । ଏନେଇ ଟାଟା ଖଣି କର୍ତ୍ତୃପକ୍ଷଙ୍କ ସହ ବାରମ୍ବାର ଆଲୋଚନା ହୋଇଛି । ହେଲେ ସମସ୍ୟା ସମାଧାନ ହେଉନଥିବା ମଜଦୁର ସଂଘ ଅଭିଯୋଗ କରିଛି ।

Leave A Reply

Your email address will not be published.