ଭୟଭୀତ ହେଲେଣି ବ୍ୟବସାୟୀ! ଟଙ୍କା ଦେବାକୁ ପଡ଼ିବ ବୋଲି UPI ପେମେଣ୍ଟକୁ ନା! ଲାଗିଲାଣି ‘No UPI, Only Cash’ ବୋର୍ଡ!
ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଢ଼ିଲା ବ୍ୟବସାୟୀଙ୍କ ଚିନ୍ତା। ଚାର୍ଜ ଦେବାକୁ ପଡ଼ିବ ବୋଲି ଆଶଙ୍କା କରି ଅନେକ ସ୍ଥାନରେ UPI ପେମେଣ୍ଟକୁ ନା କହିବା ଆରମ୍ଭ କରିଛନ୍ତି ବ୍ୟବସାୟୀ। ପେଟ୍ରୋଲ ପମ୍ପଠାରୁ ବଜାର ପର୍ଯ୍ୟନ୍ତ ଲାଗିଲାଣି ‘No UPI, Only Cash’ ବୋର୍ଡ। ଗ୍ରାହକଙ୍କୁ ଏବେ ନଗଦ କିମ୍ବା କାର୍ଡରେ ପେମେଣ୍ଟ କରିବାକୁ କୁହାଯାଉଛି। ଆଗକୁ UPI ନେଲେ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଖର୍ଚ୍ଚ ପଡ଼ିବ ବୋଲି ଆଶଙ୍କା କରି ଏଭଳି ବିରୋଧ କରାଯାଉଥିବା ଖବର ଆସିଛି।
ଦିଲ୍ଲୀ-NCR ସମେତ ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। କିଛି ପେଟ୍ରୋଲ ଓ CNG ପମ୍ପରେ ସ୍ପଷ୍ଟ ଭାବେ ‘No UPI, Only Cash’ ଲେଖା ବୋର୍ଡ ଲଗାଯାଇଛି। ଦିଲ୍ଲୀର କାଶ୍ମୀରୀ ଗେଟ୍ ମାର୍କେଟରେ ମଧ୍ୟ ବ୍ୟବସାୟୀମାନେ ‘No UPI’ ପୋଷ୍ଟର ଲଗାଇ ବିରୋଧ କରିଛନ୍ତି।
ବ୍ୟବସାୟୀଙ୍କ କହିବା ହେଉଛି, ତାଙ୍କ ବ୍ୟବସାୟର ଲାଭ ମାର୍ଜିନ୍ ପୂର୍ବରୁ କମ୍ ରହିଛି। ଏହା ଉପରେ ଯଦି UPI କାରବାର ପାଇଁ ଅତିରିକ୍ତ ଖର୍ଚ୍ଚ ଯୋଡ଼ିହୁଏ, ତେବେ ବ୍ୟବସାୟ ଉପରେ ଚାପ ବଢ଼ିପାରେ। ତେଣୁ ଚାର୍ଜ ଲଗାଇବା ବଦଳରେ ସରକାର ସବସିଡି ଦେବାକୁ ବ୍ୟବସାୟୀ ସଂଗଠନଗୁଡ଼ିକ ଦାବି କରୁଛନ୍ତି।
ତେବେ ପ୍ରସ୍ତାବିତ ନୂଆ MDR ଫ୍ରେମୱାର୍କ ଅନୁସାରେ, ୧୫ ଅକ୍ଟୋବର ୨୦୨୬ରୁ ନିର୍ଦ୍ଦିଷ୍ଟ ବଡ଼ ମୂଲ୍ୟର P2M UPI କାରବାରରେ ୦.୪ ପ୍ରତିଶତ MDR ଲାଗୁ ହେବାର ବ୍ୟବସ୍ଥା ରହିଛି। ଏହାର ସର୍ବାଧିକ ସୀମା ପ୍ରତି କାରବାରରେ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । କିନ୍ତୁ ଏହାର ଅର୍ଥ ସାଧାରଣ ଗ୍ରାହକଙ୍କ ପ୍ରତ୍ୟେକ UPI ପେମେଣ୍ଟରେ ଚାର୍ଜ ଲାଗିବ ତାହା ନୁହେଁ। କାରଣ ଏଥିରେ ବ୍ୟବସାୟୀ ଗଣିବେ ଟଙ୍କା । ଯାହାକୁ ନେଇ ଏବେ ଅନଲାଇନ୍ ପେମେଣ୍ଟଙ୍କୁ ଅନେକ ସ୍ଥାନରେ ବିରୋଧ କରାଯିବା ଆରମ୍ଭ ହେଲାଣି । ଡିଜିଟାଲ ପେମେଣ୍ଟକୁ ନେଇ ଲୋକଙ୍କ ନିର୍ଭରଶୀଳତା ବଢ଼ିଥିବା ସମୟରେ ‘No UPI, Only Cash’ ବୋର୍ଡ ଲାଗିବା ଏହି ବିତର୍କକୁ ଆହୁରି ତୀବ୍ର କରିଛି।

