Latest Odisha News

BREAKING NEWS

କରୋନା ଲକ୍ ଡାଉନ: ମାନସିକ ଅବସାଦ ଦୂର କରିବା ପାଇଁ ଆଗେଇ ଆସିଲେ ମନୋଚିକିତ୍ସକ

ଭୁବନେଶ୍ୱର: କରୋନା ସଂକ୍ରମଣ ଦୃଷ୍ଟିରୁ ଦେଶବ୍ୟାପୀ ଲକ୍ ଡାଉନ ଜାରି ହୋଇଥିବାରୁ ଅଧିକାଂଶ ଲୋକ ଘର ଭିତରେ ହିଁ ରହୁଛନ୍ତି । ଏଥି ପାଇଁ ଅନେକ ବ୍ୟକ୍ତି ଚାପ ଓ ଚିନ୍ତାଗ୍ରସ୍ତ ରହୁଥିବା ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ ଟିଭି, ସୋସିଆଲ ମିଡିଆ ଓ ଖବର କାଗଜରେ କରୋନା ସମ୍ପର୍କୀତ ଖବର ପଢି ପଢି ଲୋକେ ଦୁଃଶ୍ଚିନ୍ତା, ଆଶଙ୍କା, ଭୟ ଓ ନିଦ୍ରାହୀନତା ଭଳି ମାନସିକ ବିକାରର ମଧ୍ୟ ଶିକାର ହେଉଛନ୍ତି । ନିୟମିତ କାମଧନ୍ଦା ବନ୍ଦ ରହିଥିବାରୁ ଘରେ ରହି ଅଯଥା ଚିନ୍ତାରେ ଲୋକେ । ତେବେ ଏହି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛି ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟିର ଓଡିଶା ଶାଖା । ଲୋକମାନଙ୍କ ସାଙ୍ଗରେ କଥା ହୋଇ ଡାକ୍ତରୀ ପରାମର୍ଶ ମାଧ୍ୟମରେ ମାନସିକ ଅବସାଦ ଦୂର କରିବା ପାଇଁ ପ୍ରଚେଷ୍ଟା କରାଯାଉଛି ।

ସୋସାଇଟି ପକ୍ଷରୁ ଜନସାଧାରଣଙ୍କ ଯୋଗାଯୋଗ ପାଇଁ ପ୍ରାୟ ୩୦ ଜଣ ଡାକ୍ତରଙ୍କ ତାଲିକା ପ୍ରକାଶ କରାଯାଇଛି । ଏଥିରେ ସମୟ ନିର୍ଘଣ୍ଟ ଅନୁଯାୟୀ ପରାମର୍ଶ ପାଇଁ ଉପଲବ୍ଧ ମନୋଚିକିତ୍ସକଙ୍କ ହ୍ୱାଟ୍‌ସ୍‌ଅପ୍ ଫୋନ ନମ୍ବର ଓ ଇମେଲ ଆଇଡି ଦିଆଯାଇଛି । ସକାଳ ୮ଟାରୁ ରାତି ୧୧ ଯାଏଁ ପ୍ରତି ଦେଢ ଘଣ୍ଟା ସମୟ ଅବଧି ପାଇଁ ତିନି ଜଣ ଲେଖାଏଁ ମନୋଚିକିତ୍ସକ ଲୋକଙ୍କୁ ପରାମର୍ଶ ପାଇଁ ଉପଲବ୍ଧ ହେଉଛନ୍ତି ।

କରୋନା ମହାମାରୀ ନେଇ କୌଣସି ବି ମନୋସ୍ତାତ୍ତ୍ୱିକ ସମସ୍ୟା ସମ୍ପର୍କରେ ମନୋଚିକିତ୍ସକଙ୍କ ସହ ଖୋଲାଖୋଲି ଆଲୋଚନା କରି ଲୋକେ ଚାପ ଲାଘବ କରିପାରିବେ ବୋଲି ସୋସାଇଟି ପକ୍ଷରୁ କୁହାଯାଇଛି । ତେବେ ଜରୁରୀକାଳୀନ ମନୋସ୍ତାତ୍ତ୍ୱିକ ସମସ୍ୟା ଯେପରିକି ଆତ୍ମହତ୍ୟା ପ୍ରବଣତା ଓ ଜଟିଳ ସମସ।। ପାଇଁ ହସ୍ପିଟାଲ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ଏଥି ପାଇଁ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟିର ଓଡିଶା ଶାଖାକୁ ଧନ୍ୟବାଦ ଜଣାଇଛି ।

Comments are closed.