Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କାଶୀପୁରର ୨୦ ଗାଁକୁ ବ୍ୟାପିଲାଣି ହଇଜା, ଗାଁ ଗାଁ ବୁଲି ସ୍ଥିତି ପରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡ଼ା: କାଶୀପୁରରେ ବ୍ୟାପୁଛି ହଇଜା । ସଚେତନତା ସତ୍ତ୍ୱେ ଡାଇରିଆ ନିୟନ୍ତ୍ରଣକୁ ଆସୁନି । ଗୋଟିଏ ପରେ ଗୋଟିଏ ଗାଁକୁ ହଇଜା ବ୍ୟାପୁଥିବା ବେଳେ ୮ ଜଣଙ୍କ ଜୀବନ ଗଲାଣି । ଯାଞ୍ଚରୁ ଜଣାପଡ଼ିଛି ଦୂଷିତ ପାଣି ପାଇଁ ହଇଜା ବ୍ୟାପୁଛି । ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଟିମ୍ କାଶୀପୁର ବ୍ଲକର ବିଭିନ୍ନ ଗାଁରେ ଆକ୍ରାନ୍ତଙ୍କ ପରିବାକୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ କାଶୀପୁରର ବିଭିନ୍ନ ଗାଁ ବୁଲି ହଇଜା ବ୍ୟାପିବାର କାରଣ ଖୋଜୁଛି । ଲୋକେ ପିଉଥିବା ପାଣିକୁ ଡବ୍ଲୁଏଚଓ ଟିମ୍ ସଂଗ୍ରହ କରିଛି । ତଥାପି ବିଭିନ୍ନ ଗାଁରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ହଇଜା କବଳରେ କାଶୀପୁର ବ୍ଲକର ୨୦ରୁ ଅଧିକ ଗାଁ ।

ଜିଲ୍ଲାରେ ବିଶେଷ କରି କାଶୀପୁରରେ ବିଭିନ୍ନ ସମୟରେ ହଇଜା ବ୍ୟାପୁଛି । ତେବେ ଘଟଣାକୁ ସ୍ୱାସ୍ଥ୍ୟ ବିଭାଗ ପ୍ରଥମ ଦିନରୁ ଗୁରୁତ୍ୱ ଦେଇଥିଲେ ସ୍ଥିତି ଏଭଳି ବିଗିଡ଼ି ନଥାନ୍ତା ବୋଲି ଅଭିଯୋଗ ହୋଇଛି । ଗ୍ରାମ୍ୟ ଜଳ ଯୋଗାଣ ବିଫଳ ହୋଇଥିବା ବେଳେ ଗାଁ ଗାଁରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ୍ ସଠିକ୍ ସମୟରେ ନ ପହଞ୍ଚିବା ଫଳରେ ହଇଜା ଉଗ୍ର ରୂପ ନେଇଥିବା କୋରାପୁଟ ସାଂସଦଙ୍କ ସହ ସମାଜସେବା କହିଛନ୍ତି ।

ପ୍ରତିବର୍ଷ କାଶୀପୁରରେ ହଇଜା ବ୍ୟାପୁଛି । ତଥାପି ପ୍ରଶାସନ ଚେତୁନି କି ? ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ହେଉନି । ଫଳରେ କାଶୀପୁର ଏବେ ହଇଜାର ହଟସ୍ପଟ ପାଲଟିଛି । ଆଜି କାଶୀପୁର ବ୍ଲକର ୪ ଗୋଟି ମେଡିକାଲରେ ୮୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.