ଭୁବନେଶ୍ବର: ସମସ୍ତ ପୂଜା ମଣ୍ଡପରେ ଆଜି ଅନୁଷ୍ଠିତ ହେଉଛି ମାଆଙ୍କ ମହାସପ୍ତମୀ ପୂଜା। ମାଆଙ୍କ ମହା ସପ୍ତମୀ ପୂଜା ପାଇଁ ଚଳଚଞ୍ଚଳ ସମସ୍ତ ପୂଜା ମଣ୍ଡପ । ପୂଜା ମଣ୍ଡପରେ ଆଜି ସପ୍ତମୀ ପୂଜା ହେଉଥିବା ବେଳେ ଦେବୀ ପୀଠ ଗୁଡିକରେ ଆଜି ଅଷ୍ଟମୀ ପୂଜା ପାଉଛନ୍ତି ମାଆ ଜଗଦମ୍ବା ।
ଶାରଦୀୟ ଦୁର୍ଗାପୂଜା ପାଇଁ ଉଠୁଛି ପଡୁଛି ରାଜଧାନୀ ଭୁବନେଶ୍ବର । ଭଳିକି ଭଳି ଆଲୋକ ସହ ସୁଉଚ୍ଚ ତୋରଣ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସମଗ୍ର ରାଜଧାନୀରେ ଏଥର ୧୭୧ ଟି ସ୍ଥାନରେ ମାଆଙ୍କ ପୂଜା ଅନୁଷ୍ଠିତ ହେଉଛି । ମାତ୍ର ନିଜର ସ୍ଵତନ୍ତ୍ରତା ବଜାଇ ରଖିଥିବା କିଛି ପୂଜା ମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜାଣନ୍ତୁ ଏଥର ରାଜଧାନୀର କେଉଁ ପୂଜା ମଣ୍ଡପରେ ଶୋଭା ପାଉଛି କେଉଁ ଥିମ୍ ର ତୋରଣ …
ଇନ୍ଦ୍ରପୁରୀ:
ଫୁଲ ଓ ଆଲୁଅମାଳାରେ ଆଖିଖୋସା ଅନୁଭବ ଦେଉଛି ରସୁଲଗଡ଼ରେ ନିର୍ମିତ ଇନ୍ଦ୍ରପୁରୀ । ପାଖାପାଖି ୧୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କାଳ୍ପନିକ ତୋରଣ ଦେଖିଲେ ଲାଗୁଛି ସତେ ଯେପରି ସତସତିକା ଇନ୍ଦ୍ରପୁରରେ ପାଦ ପଡିଯାଇଛି । ଚଳିତ ଥର ଏହି ତୋରଣ ବେଶ୍ ଚର୍ଚ୍ଚାରେ ରହିଛି ।
ଅଜନ୍ତା-ଏଲୋରା :
ଷ୍ଟେସନ୍ ବଜାର ପୂଜା ମଣ୍ଡପ ଏଥର ୬୪ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହାର ତୋରଣରେ ଏଥର ଅଜନ୍ତା-ଏଲୋରାର ଝଲକ ଭେଟି ଦେଉଛି । ପୂଜା ପେଣ୍ଡାଲ୍ ଭିତରେ ଆଦିମ ମାନବର ପୂଜାର୍ଚ୍ଚନାଠୁ ନେଇ ଆଜିର ଆଡ଼ମ୍ବରପୂର୍ଣ୍ଣ ପୂଜା ଆୟୋଜନର କ୍ରମ ପରିବର୍ତ୍ତନ ଦେଖିବାକୁ ମିଳିଛି। ତୋରଣ ପ୍ରସ୍ତୁତି ପାଇଁ କେବଳ ୨୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
ପଦ୍ମାବତୀ ପ୍ୟାଲେସ୍:
ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ନିର୍ମିତ ହୋଇଛି ଗୁଜୁରାଟ ଚିତୋଡର ରାଣୀ ‘ପଦ୍ମାବତୀ ପ୍ୟାଲେସ୍’। ଅବିକଳ ରାଣୀ ପଦ୍ମାବତୀଙ୍କ ପ୍ୟାଲେସ ଭଳି ଦେଖା ଯାଉଥିବା ଏହି ତୋରଣରେ ଖର୍ଚ୍ଚ ହୋଇଛି ୧୪ ଲକ୍ଷ ଟଙ୍କା ।
ଡିଜ୍ନି ଲ୍ୟାଣ୍ଡ୍ ପାର୍କ:
ଝାରପଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ତିଆରି କରାଯାଇଛି ପ୍ୟାରିସ୍ ସହରର ‘ଡିଜ୍ନି ଲ୍ୟାଣ୍ଡ୍ ପାର୍କ’ । ଯାହା ରହିଛି ଏଠାକାର ବିଶେଷ ଆକର୍ଷଣ।
ଲକ୍ଷ୍ନୌ ରାଜପ୍ରାସାଦ:
ସହିଦନଗର ପୂଜା ସମିତି ପକ୍ଷରୁ ୧୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସୁଦୃଶ୍ୟ ତୋରଣ ଆପଣଙ୍କୁ ଅନୁଭବ ଦେବ ଉତ୍ତରପ୍ରଦେଶର ଲକ୍ଷ୍ନୌ ରାଜପ୍ରାସାଦର ।
ଅକ୍ଷରଧାମ:
ବରମୁଣ୍ଡା ଖେଳ ପଡ଼ିଆରେ ଅନୁଷ୍ଠିତ ହେଉଥିବା ପୂଜାମଣ୍ଡପ ଠାରେ ୧୫ଲକ୍ଷ ଟଙ୍କାରେ ନିର୍ମିତ ଗୁଜୁରାଟର ଅକ୍ଷରଧାମର ତୋରଣ ଦେଖିବାକୁ ମିଳିଛି।
ଜମ୍ମୁ କଶ୍ମୀର ପ୍ୟାଲେସ୍:
ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀର ଚର୍ଚ୍ଚାରେ ଥିବା ବେଳେ ବମିଖାଲ ଦୁର୍ଗାପୂଜା ସମିତି ଭେଟି ଦେଇଛି ୧୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଜମ୍ମୁ କଶ୍ମୀର ପ୍ୟାଲେସ୍। ଯାହାକୁ ଦେଖିଲେ ଆପଣ ଅନୁମାନ କରି ପାରିବେ ନାହିଁ ଏହା ବାସ୍ତବ କି ନୁହେଁ ।
Comments are closed.