ପୁନେ: ପୁନେରେ ଚିନ୍ତା ବଢାଇଲାଣି ଗୁଇଲେନ-ବାରେ ସିଣ୍ଡ୍ରୋମ (ଜିଏସବି) । ଗୁଇଲେନ-ବାରେ ସିଣ୍ଡ୍ରୋମର ୨୪ଟି ମାମଲା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛି ସ୍ଵାସ୍ଥ୍ୟ ବିଭାଗ । ଏହି ରୋଗର ଆକସ୍ମିକ ବୃଦ୍ଧିର ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଛି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ । ପୁନେ ମ୍ୟୁନିସିପାଲିଟି କର୍ପୋରେସନ୍ (ପିଏମସି)ର ସ୍ୱାସ୍ଥ୍ୟ ବିଭାଗ ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ପାଇଁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ-ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଆଇସିଏମ୍ଆର-ଏନଆଇଭି)କୁ ପଠାଇଛି।
ସ୍ଵାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ, ପୁନେ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଜିବିଏସ୍ ମାମଲାରେ ହଠାତ୍ ବୃଦ୍ଧି ଘଟଣାର ଯାଞ୍ଚ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ଗଠନ କରିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଜୀବାଣୁ ଏବଂ ଭାଇରାଲ୍ ସଂକ୍ରମଣ ସାଧାରଣତଃ ଜିବିଏସ୍ ହେବାର କାରଣ ସାଜିଥାଏ । କାରଣ ଏହା ଆକ୍ରାନ୍ତଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିଥାଏ। ଏହି ରୋଗର ଅଧିକାଂଶ ମାମଲା ସହରର ସିହ୍ନାଗଡ ରୋଡ୍ ଅଞ୍ଚଳରୁ ଆସିଛି। ସହରର ୬ଟି ଡାକ୍ତରଖାନାରେ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୧୨ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ନେଇ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗୁଲେନ-ବାରେ ସିଣ୍ଡ୍ରୋମ ଏକ ଦୃତ ଆରମ୍ଭ ହେଉଥିବା ମାଂସପେଶୀ ପକ୍ଷାଘାତ/ପାରାଲିସିସ ରୋଗ ଯାହା ଇମ୍ମ୍ୟୁନ ସିଷ୍ଟମ ଯୋଗୁ ହୁଏ ଓ ପ୍ରାନ୍ତୀୟ ସ୍ନାୟୁ ମଣ୍ଡଳକୁ କ୍ଷତିଗ୍ରସ୍ତ କରିଦିଏ । ଏହି ରୋଗର ପ୍ରାରମ୍ଭରେ ହାତ ଓ ପାଦରେ ଦୁର୍ବଳତା ଅନୁଭବ ସହିତ ସ୍ନାୟୁଗତ ଅନୁଭବରେ ପରିବର୍ତ୍ତନ ବା ଯନ୍ତ୍ରଣା ହୁଏ । ଏହା ବାହୁ ଓ ଶରୀରର ଉର୍ଦ୍ଧ୍ୱ ଓ ଉଭୟ ଭାଗକୁ ବ୍ୟାପିଯାଏ । କିଛି ଘଣ୍ଟାରୁ କିଛି ସପ୍ତାହ ମଧ୍ୟରେ ଏହି ଲକ୍ଷଣ ବିକଶିତ ହୋଇଯାଏ । ରୋଗର ତୀବ୍ର ଅବସ୍ଥାରେ ଶ୍ୱାସକ୍ରିୟା ମାଂସପେଶୀ ଦୁର୍ବଳ ହୋଇଯିବା ଯୋଗୁ ୧୫% ଲୋକଙ୍କର ଜୀବନ ବିପନ୍ନ ହୋଇଯାଏ ଓ ମେକାନିକାଲ ଭେଣ୍ଟିଲେସନ ଆବଶ୍ୟକ ହୁଏ । କେତେକ କେଶ୍ରେ କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ ଡିସଅଟୋନୋମିଆ ହେବା ଯୋଗୁ ବିପଦଜନକ ଭାବରେ ହୃତ୍ପିଣ୍ଡ ଗତିହାର ଓ ରକ୍ତଚାପରେ ପରିବର୍ତ୍ତନ ହୁଏ ।
ତେବେ କହିରଖୁଛୁ ଯେ, ଗୁଲେନ-ବାରେ ସିଣ୍ଡ୍ରୋମ କ୍ୱଚିତ ହୁଏ, ବର୍ଷକୁ ଏକ ଲକ୍ଷ ଲୋକରେ ଏକ ବା ଦୁଇ ଜଣକୁ ଏ ରୋଗ ହୁଏ । ପୁରୁଷ ଓ ମହିଳା ଉଭୟଙ୍କୁ ସମ ଭାବରେ ଏ ରୋଗ ସବୁ ସ୍ଥାନରେ ଆକ୍ରମଣ କରେ । ଫରାସୀ ସ୍ନାୟୁବିଜ୍ଞାନ ବିଶେଷଜ୍ଞ ଜର୍ଜ ଗୁଲେନ ଓ ଜିନ ଆଲେକଜାଣ୍ଡର ବାରେଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ଯେଉଁମାନେ ଆଣ୍ଡ୍ରେ ସ୍ଟ୍ରୋଲଙ୍କ ସହ ମିଶି ସନ ୧୯୧୬ରେ ଏହାର ବର୍ଣ୍ଣନା କରିଥିଲେ ।
Comments are closed.