Latest Odisha News

BREAKING NEWS

ପୁଣି ଥରେ 
ଶକ୍ତି ମହାନ୍ତି

ଯଦି ମୁଁ ସବୁକିଛି ଭୁଲିଯାଇ ପୁଣି ତତେ ଭଲପାଇ ବସେ
ମନହରୀ ଦୋକାନରେ ଅତରର ଦର ବୁଝି
ଆଖିରେ ପ୍ରୀତିର କଜ୍ୱଳ ଭରି ତୁ ଆସିବୁ ଫେରି
ଯଦି ସେ ଅତରର ଠିପି ମୋ ଦେହ ପରି ବାସେ…

ଯଦି ମୁଁ ସବୁକିଛି ଭୁଲିଯାଇ ପୁଣିଥରେ ତୋ ପାଖକୁ ଆସେ
ଅଧାନିଦ ପାପୁଲିରୁ ସପନ ତୋ ଯିବ ଝରି
ଯେଉଁ ଘରେ ଘଣ୍ଟା ନାହିଁ, ସେ ଘରେ ତୁ ରହିବୁ ଚେଇଁ
ଯଦି ତୋ ଡାଏରୀ ପୃଷ୍ଠାରୁ ମୋ ଛବି ଖସେ…

ଯଦି ମୁଁ ସବୁକିଛି ଭୁଲିଯାଇ ପୁଣିଥରେ ତୋ ସାଥିରେ ହସେ
ଏକଥା ବି କିଏ ଅବା ତୋ ଠାରୁ ଅଧିକ ଯେ ଜାଣେ
ମୋ ରକ୍ତରେ କେତେ ପାଣି, କେତେବା ଫୁଟାଣି
ଯଦି ତୋ ସାଇତା ଚିଠିରେ ମୋ ଅକ୍ଷର ଦିଶେ…

ଯଦି ମୁଁ ସବୁକିଛି ଭୁଲିଯାଇ ପୁଣିଥରେ ତୋ ସ୍ୱପ୍ନରେ ଦିଶେ
ରାତିଅଧ ଝର୍କା ପାଖେ ଜହ୍ନରେ ତୁ ଓଦାହେଇ
ମୁକୁଳା ତୋ ପଣତରେ ତାରା ଯେତେ ବିଞ୍ଚିଦେଇ
ଯଦି ସକାଳର ଗାଲିଚାରେ ତୋ ସାଥିରେ ଚା ପିଇ ବସେ…

ଯଦି ମୁଁ ସବୁକିଛି ଭୁଲିଯାଇ ପୁଣିଥରେ ତୋ ସାଥିରେ ଭାସେ
କାଲିଯେ ପଛକୁ ଫେରେ, ପାରି ହୋଇ ଅସ୍ଥିର ଯେତକ ଢେଉ,
ଆହୁଲାକୁ ଫିଙ୍ଗିଦେଇ ତୁ ମୋ ଛାତିରେ ରହିବୁ ଶୋଇ
ଯଦି ଗୋପନ ଆମ ସ୍ୱପ୍ନ ଜାଣି ଉଲକାଟିଏ ଖସେ…

Comments are closed.