Latest Odisha News

BREAKING NEWS

ଜହ୍ନ ରହିବନି ଜହ୍ନ ହୋଇ

ଜହ୍ନ ରହିବନି ଜହ୍ନ ହୋଇ
ରାଜେଶ ପୂଜାରୀ

କଳଙ୍କର କାଦୁଅରେ ଗୁରୁଣ୍ଡି ଗୁରୁଣ୍ଡି
ସେ ଲେଖୁଛି ଆପଣା
ମନ୍ଦ ଭାଗ୍ୟର କପଟ କବିତା
ନିଜ ଛାତିରେ ଗତ ପୂର୍ଣ୍ଣିମାରୁ
ନୂଆଁ ଜହ୍ନଟେ ସଜେଇ ସାରିଥିବା
ଆକାଶ ପାଖରୁ
ଛାଡ଼ପତ୍ର ପାଇଲା ଯେବେ ଠାରୁ…!

ଏଇଠୁ ଏମିତି ନିରେଖିବ କିଂକର୍ତ୍ତବ୍ୟ ହୋଇ
ମନା ତାକୁ ମହଣେ ସୁଖ ଭାବି
ଆଉଜେଇବାକୁ ଆକାଶକୁ,

ଜାଣତରେ ଅବା ଅଜାଣତରେ
ଆକାଶ କଣେଇ ଚାହିଁବନି ଟିକେ ତା ଆଡ଼କୁ
ଧୀରେଧୀରେ ମେଘମାନେ
ଅତର୍ଛା ବର୍ଷିଯିବେ ସବୁ ଲୁହ ଲୁଟି ନେଇ
ସେ ପାଲଟିଯିବ ବାସନ୍ଦ କୁସୁମ
ବିରହର ଶହେ ସଞ୍ଜ
ଅଯାଚିତେ ଉପହାର ପାଇ।

ନବୀନ କିଶଳୟ ଦେଖିବାକୁ
ସାମର୍ଥ୍ୟ ନଥିବା ଜହ୍ନ
ଆଉ ଜହ୍ନ ହୋଇ ରହିବନି
କିଛି ସମୟ ପରେ
ଜ୍ୟୋତ୍ସ୍ନା ପସରାର କବର ଦେଇ
କରୁଥିବ ଆପେ ଆପଣାର ତିଳ ତର୍ପଣ
ଗାଢ଼ରୁ ଗାଢ଼ ହେଉଥିବ ଭାଉଖିଆ ଅନ୍ଧାର
ଅନନ୍ତିମ କାରାବାସ ଆରମ୍ଭରେ।

ବେଳ ଥିଲା
ଫୁଲ ବଗିଚାରେ ପାଣିଦେଲା ବେଳେ
ତା ମିଛ ଅହଙ୍କାର ଫମ୍ଫା ଅଭିମାନ
ଜାଳି ଦେଉଥିଲା ଅସରା ସବୁଜିମା
ଆକାଶର ଯେତେ ଯାହା କଳ୍ପନାକୁ
ବଳି ଚଢ଼େଇ ଦେଉଥିଲା ଛଳନାର ସଂତ୍ରାସରେ,

ସେଇଥିପାଇଁ ତ…
କ୍ରମଶଃ…ଘୁଞ୍ଚୁ ଘୁଞ୍ଚୁ ଘୁଞ୍ଚିଗଲା ପାଦ
ସଂପୂର୍ଣ୍ଣ ଭାବରେ।

ପ୍ରତାରଣାର ଜୁଇରେ
ଛାରଖାର ହେଲା ପ୍ରତିଶ୍ରୁତିର କ୍ଷେତ
ହୁଏତ,ଆଉ ଭ୍ରୃଣେଇବନି ସମ୍ଭାବନାର ଚାରା
ଛୁଟିବନି ଅମଳୀନ ପ୍ରୀତି ଧାରା !
…………….

କୁଶମେଲ, ଝାରସୁଗୁଡ଼ା
ମୋ-୯୭୭୭୨୮୦୫୯୪

Leave A Reply

Your email address will not be published.