ଖାଦ୍ୟ ଉତ୍ପାଦନର ଦଣ୍ଡ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…

କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା ୨୦୨୨ ସୁଦ୍ଧା ଚାଷୀଙ୍କ ରୋଜଗାର ଦୁଇ ଗୁଣ ହେବ । ଆଉ ମାତ୍ର ୩ ମାସ ପରେ ପହଞ୍ଚିବ ୨୦୨୨ । ଠିକ୍ ଏହି ସମୟରେ ନ୍ୟାସ୍‌ନାଲ୍‌ ଷ୍ଟାଟିଷ୍ଟିକାଲ୍ ଅର୍ଗାନାଇଜେସନ୍ ଦ୍ୱାରା ଗ୍ରାମୀଣ ଅଞ୍ଚଳରେ ଚାଷୀ ପରିବାରର ରୋଜଗାରକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ୨୦୧୮-୧୯ର ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ସଦ୍ୟ ପ୍ରକାଶିତ ହୋଇଥିବା ଏହି ରିପୋର୍ଟ ଅନୁସାରେ ଆମ ଦେଶରେ ଜଣେ ଚାଷୀ ପରିବାରର ହାରାହାରି ରୋଜଗାର ମୂଲିଆ ଠାରୁ ବି କମ୍ । କେନ୍ଦ୍ର ସରକାର ସବୁବେଳେ ଅଭିଯୋଗ କରୁଥିବା ପରି ଏହି ରିପୋର୍ଟକୁ କେଉଁ ଦେଶଦ୍ରୋହୀ ସଂସ୍ଥା ପ୍ରସ୍ତୁତ କରିନାହାନ୍ତି । ଖୋଦ୍ ସରକାରୀ ସଂସ୍ଥା ଏହାକୁ ପ୍ରସ୍ତୁତ କରିଛି । ସ୍ୱାଧୀନତାର ୭୫ ବର୍ଷ ପରେ ଚାଷୀ ପରିବାରଟିଏ ଯଦି ଚାଷ ଅପେକ୍ଷା ମଜୁରିରୁ ଅଧିକ ରୋଜଗାର ପାଉଛି, ତେବେ ଆମ ଦେଶର କୃଷି ନୀତି କେତେ ଚାଷୀ ଉପଯୋଗୀ ଓ ଆମ ଦେଶର ନୀତି ନିର୍ମାତାମାନେ ଚାଷୀ ପାଇଁ କେତେ ଚିନ୍ତିତ ଏହା ଭଲ ଭାବେ ବୁଝି ହେଉଛି । ଚାଷୀଙ୍କ ଉତ୍ପାଦନକୁ ଉଚିତ୍ ମୂଲ୍ୟ ମିଳୁନଥିବା ଯୋଗୁ ଓ ସରକାରଙ୍କ କୃଷିନୀତି ଚାଷୀଙ୍କ ଅପେକ୍ଷା କମ୍ପାନୀମାନଙ୍କୁ ଅଧିକ ପ୍ରାଧାନ୍ୟ ଦେଉଥିବାରୁ ଚାଷରୁ ରୋଜଗାର କମୁଛି ଓ ତୁଳନାତ୍ମକ ଭାବେ ଚାଷୀ ପରିବାରଟିଏ ଚାଷ ଅପେକ୍ଷା ମଜୁରୀରୁ ଅଧିକ ରୋଜଗାର ପାଉଛି । ଏହା ପଛର ମୂଖ୍ୟ କାରଣ ହେଉଛି, ସରକାର ଚାହୁଁଛନ୍ତି ଲୋକମାନେ ଚାଷ ଛାଡ଼ି ମୂଲିଆରେ ପରିଣତ ହୁଅନ୍ତୁ ଓ ଏହା ଦ୍ୱାରା ସହରକୁ ଶସ୍ତା ମୂଲ୍ୟରେ ଶ୍ରମିକ ଯୋଗାଇ ଦେଇହେବ । ଚାଷୀମାନଙ୍କୁ ଶ୍ରମିକରେ ପରିଣତ କରିବାର ଏହି ଧାରା ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇଛି । ୨୦୧୧ ଜନଗଣନା ଅନୁସାରେ ପ୍ରତିଦିନ ୨ ହଜାର ଚାଷୀ ଚାଷ ଛାଡ଼ି ଦିନ ମଜୁରିଆରେ ପରିଣତ ହେଉଛନ୍ତି । ୨୦୧୨-୧୩ରେ ଗୋଟିଏ ଚାଷୀ ପରିବାର ତାର ସମୁଦାୟ ଆୟର ୪୮ ପ୍ରତିଶତ ଚାଷରୁ ପାଉଥିଲା, ଯାହାକି ୨୦୧୮-୧୯ରେ ୩୮ ପ୍ରତିଶତକୁ କମିଯାଇଛି । ଏହି ସମାନ ସମୟ ମଧ୍ୟରେ ଗୋଟିଏ ଚାଷୀ ପରିବାରର ମଜୁରୀରୁ ଆୟ ୩୨ ପ୍ରତିଶତରୁ ବୃଦ୍ଧି ପାଇ ୪୦ ପ୍ରତିଶତରେ ପହଞ୍ଚିଛି ।

ଏହି ରିପୋର୍ଟ ଅନୁସାରେ ଚାଷରେ ହେଉଥିବା କେବଳ ନଗଦ ଖର୍ଚ୍ଚକୁ ହିସାବକୁ ନେଇ ଦେଖିଲେ ୨୦୧୮-୧୯ରେ ଗୋଟେ ଚାଷୀ ପରିବାରର ମାସିକ ରୋଜଗାର ୧୦୨୧୮ ଟଙ୍କା । ୨୦୧୨-୧୩ରେ ଏହି ପରିମାଣ ୬୪୨୬ ଟଙ୍କା ଥିଲା । ମୁଦ୍ରାସ୍ଫିତୀକୁ ବିଚାରକୁ ନେଇ ହିସାବ କଲେ ଗତ ୬ ବର୍ଷ ମଧ୍ୟରେ ମାତ୍ର ୧୬% ରୋଜଗାର ବୃଦ୍ଧି ହୋଇଥିବାର ଦେଖାଯାଏ । ନଗଦ ଟଙ୍କା ଖର୍ଚ୍ଚ ସହିତ ଅନ୍ୟାନ୍ୟ ଖର୍ଚ୍ଚ ଯଥା ନିଜସ୍ୱ ଶ୍ରମ, ବିହନ, ନିଜସ୍ୱ ଯନ୍ତ୍ରପାତି ଆଦିର ମୂଲ୍ୟକୁ ହିସାବକୁ ନେଲେ ୨୦୧୮-୧୯ରେ ଗୋଟେ ଚାଷୀ ପରିବାରର ମାସିକ ଆୟ ୮୩୩୭ ଟଙ୍କା । ଏଥିରୁ କେବଳ ଚାଷରୁ ହୋଇଥିବା ରୋଜଗାରକୁ ଦେଖିଲେ ଚାଷୀ ପରିବାରଟିଏ ମାସକୁ ଚାଷରୁ ମାତ୍ର ୩୭୯୮ ଟଙ୍କା ରୋଜଗାର କରୁଛି । ମୁଦ୍ରାସ୍ଫିତୀକୁ ବିଚାରକୁ ନେଇ ହିସାବ କଲେ ଚାଷରୁ ଗତ ୨୦୧୨-୧୩ ତୁଳନାରେ ଚାଷରୁ ରୋଜଗାର ମାତ୍ର ୮.୯ ପ୍ରତିଶତ ବଢ଼ିଛି । ବିଜିନେସ୍ ଷ୍ଟାଣ୍ଡାର୍ଡ଼ର ସାମ୍ବାଦିକ ଅଭିଷେକ ବାଘ୍‌ମରେ କରିଥିବା ଏକ ଚମତ୍କାର ବିଶ୍ଲେଷଣ ଅନୁସାରେ ମୁଦ୍ରାସ୍ଫୀତିକୁ ହିସାବକୁ ନେଲେ ଜଣେ ଚାଷୀର ଦିନକୁ ଆୟ ମାତ୍ର ୨୭ ଟଙ୍କା । ଏଥିରୁ ଗୋଟିଏ କଥା ବୁଝାପଡ଼ୁଛି ଯେ, ଆମ ଦେଶର ଚାଷୀମାନେ ଖାଦ୍ୟ ଉତ୍ପାଦନ କରିବାର ଦଣ୍ଡ ଭୋଗୁଛନ୍ତି । ନୋବେଲ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ ଯୋଶେଫ୍ ଷ୍ଟିଗ୍‌ଲିଜ୍‌ କହନ୍ତି, ଭାରତରେ ଚାଷୀ ହେବା ଅପେକ୍ଷା ୟୁରୋପ୍‌ରେ ଗାଈ ହେବା ଢ଼େର୍ ଗୁଣ ଭଲ । କାରଣ ୟୁରୋପରେ ଗୋଟିଏ ଗାଈକୁ ଦିନକୁ ୨ ଡଲାର ସବ୍‌ସିଡ଼୍ ମିଳୁଛି । ଯାହା ଭାରତରେ ଜଣେ ଚାଷୀର ରୋଜଗାର ଠାରୁ ବହୁତ ଅଧିକ ।

ରିପୋର୍ଟରେ ପୁନଶ୍ଚ ଉଲ୍ଲେଖ ଅଛି ଯେ, ୨୦୧୨-୧୩ରେ ଗୋଟିଏ ଚାଷୀ ପରିବାର ଉପରେ ହାରାହାରି ଋଣଭାର ୪୭୦୦୦ ଟଙ୍କା ଥିବା ବେଳେ ୨୦୧୮-୧୯ରେ ଏହା ବୃଦ୍ଧି ପାଇ ୭୪୧୦୦ ଟଙ୍କାରେ ପହଞ୍ଚିଛି । ଦେଶର ଅଧାରୁ ଅଧିକ ଅର୍ଥାତ୍ ୫୦.୨ ପ୍ରତିଶତ ଚାଷୀ ପରିବାର ଋଣ ବୋଝ ତଳେ ଚାପି ହୋଇଅଛନ୍ତି । ଲୋକସଭାରେ ଦିଆଯାଇଥିବା ଏକ ସୂଚନା ଅନୁସାରେ ମାର୍ଚ୍ଚ ୨୦୨୧ ସୁଦ୍ଧା ଚାଷୀଙ୍କ ଉପରେ ଥିବା ଋଣ ବୋଝର ପରିମାଣ ସମୁଦାୟ ୧୬.୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

ଗୋଟିଏ ପଟେ ଚାଷୀଙ୍କ ଉପରେ ଋଣ ଭାର ବଢ଼ି ଚାଲୁଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ଚାଷୀଙ୍କ ଆୟରେ ବୃଦ୍ଧି ହେଉନାହଁ । ଏଥିସହିତ ଆଉ ଗୋଟିଏ କଥା ଦେଖାଯାଉଛି ଯେ, ଚାଷୀମାନଙ୍କର ପରିବାର ପିଛା ଜମିର ପରିମାଣ ବି କମି କମି ଚାଲୁଛି । ଆମ ଦେଶର ସମୁଦାୟ ଚାଷୀଙ୍କ ମଧ୍ୟରୁ ୭୦.୮ ପ୍ରତିଶତ ଚାଷୀ ପରିବାରଙ୍କ ପାଖରେ ୧ ହେକ୍ଟରରୁ କମ୍ ଜମି ଅଛି । ମାତ୍ର ୯.୯ ପ୍ରତିଶତ ଚାଷୀ ପରିବାରଙ୍କ ପାଖରେ ୧ ହେକ୍ଟରୁ ୨ ହେକ୍ଟର ମଧ୍ୟରେ ଜମି ଅଛି । ସରକାରଙ୍କ ହିସାବରେ ଚାଷୀ ପରିବାର କହିଲେ, ଯେଉଁ ପରିବାର ଚାଷ ଓ ଚାଷ ସମ୍ବନ୍ଧୀୟ ଆନୁସଙ୍ଗିକ କ୍ଷେତ୍ରର ଉତ୍ପାଦନରୁ ୪୦୦୦ ଟଙ୍କାରୁ ଅଧିକ ପାଉଥିବେ ଏବଂ ପରିବାରର ଜଣେ ସଦସ୍ୟ ପ୍ରାଥମିକ ଭାବେ ଗତ ବର୍ଷେ ମଧ୍ୟରେ ଚାଷ ସହିତ ଜଡ଼ିତ ଥିବେ । ଏତଦ୍‌ବ୍ୟତୀତ ଗ୍ରାମାଞ୍ଚଳର ମାତ୍ର ୦.୨ ପ୍ରତିଶତ ଚାଷୀ ପରିବାର ପାଖରେ ୧୦ ହେକ୍ଟରରୁ ଅଧିକ ଜମି ଅଛି । ସମ୍ପ୍ରତି ଚାଲୁଥିବା ଚାଷୀ ଆନ୍ଦୋଳନକୁ ସରକାର ଯେତେବେଳେ ବଡ଼ ଚାଷୀମାନଙ୍କର ଆନ୍ଦୋଳନ କହି ଟାଳି ଦେଉଛନ୍ତି, ସେତେବେଳେ ଏହି  ପରିସଂଖ୍ୟାନକୁ ଦେଖିଲେ ବୁଝି ହେଉଛି ଯେ, ସରକାର କେତେ ଧୂର୍ତତାର ସହିତ ଗାଲୁଆମ କରୁଛନ୍ତି ।

ବଡ଼ ଚାଷୀ ହୁଅନ୍ତୁ କି ଛୋଟ ଚାଷୀ, ଉତ୍ପାଦନକୁ ଉଚିତ୍ ମୂଲ୍ୟ ନମିଳିବାର ଧାରା ଦଶନ୍ଧି ଦଶନ୍ଧି ଧରି ଆମ ଦେଶରେ ଜାରି ରହିଛି । ଏହା ହିଁ ଚାଷୀମାନେ ଗରିବ ହେବାର ଏକ ମୂଖ୍ୟ କାରଣ । ସରକାର ପରେ ସରକାର ପରିବର୍ତ୍ତନ ହେଉଛି, କିନ୍ତୁ ଚାଷୀଙ୍କ ଉତ୍ପାଦନକୁ ଉଚିତ୍ ମୂଲ୍ୟ ଦେବକୁ କେହି ବି ଚାହୁଁନାହାନ୍ତି । ସରକାର ଯଦି କେବଳ ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦନର ଉଚିତ୍‌ ମୂଲ୍ୟ ଓ ଚାଷୀମାନଙ୍କ ପାଇଁ ଏକ ରୋଜଗାର ସୁରକ୍ଷାର ବ୍ୟବସ୍ଥା କରନ୍ତେ, ଚାଷୀମାନଙ୍କ ଅବସ୍ଥାରେ ନିଶ୍ଚୟ ପରିବର୍ତ୍ତନ ହୋଇପାରନ୍ତା । ଆମେ ଦେଖୁଛେ ଯେ, ଚାଷୀମାନେ ଅନେକ କଷ୍ଟ ସହି, ପ୍ରାକୃତିକ ବିପର୍ଯ୍ୟୟ ସହିତ ଲଢ଼ି, ଉତ୍ପାଦନର ଉଚିତ୍ ଦାମ୍ ନମିଳିବା ସତ୍ୱେ ବି ବର୍ଷ ବର୍ଷ ଧରି ଦେଶବାସୀଙ୍କ ପାଇଁ ଖାଦ୍ୟ ଉତ୍ପାଦନ କରିଆସୁଛନ୍ତି । କିନ୍ତୁ ସେମାନଙ୍କର ଆର୍ଥିକ ପରିସ୍ଥିତି ଦେଖିଲେ ଯେମିତି ଲାଗୁଛି, ସେମାନେ ଖାଦ୍ୟ ଉତ୍ପାଦନ କିରବାର ଦଣ୍ଡ ଭୋଗୁଛନ୍ତି । ୨୦୨୦-୨୧ରେ ଆମ ଦେଶରେ ରେକର୍ଡ଼ ପରିମାଣର ୩୦୮.୫ ମିଲିଅନ୍ ଟନ୍ ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଛି । ୨୦୧୮-୧୯ ରେ ଆମ ଦେଶର ଚାଷୀମାନେ ୧୮୭.୭୫ ମିଲିଅନ୍ ଟନ୍ କ୍ଷୀର, ୧୭୪.୬୩ ମିଲିଅନ୍ ଟନ୍ ଧାନ, ୧୦୨.୧୯ ମିଲିଅନ୍ ଟନ୍ ଗହମ ଉତ୍ପାଦନ କରିଥିଲେ । ଏହା ସହିତ ୩୨୦.୪୭ ମିଲିଅନ୍ ଟନ୍ ଫଳ ଓ ପନିପରିବା ଆଦି ଉତ୍ପାଦନ କରିଥିଲେ ।ପ୍ରତିବର୍ଷ ଉତ୍ପାଦନ ବଢ଼ିବଢ଼ି ଚାଲୁଛି । ଏହାର ଶ୍ରେୟ କେବଳ ଆମ ଚାଷୀମାନଙ୍କ ପାଖକୁ ହିଁ ଯିବ । ଏତେ ସବୁ ଉତ୍ପାଦନ କରିବା ସତ୍ୱେ ବି ଆର୍ଥିକ ଅବସ୍ଥାର ସିଡ଼ିରେ ଚାଷୀମାନେ ପୁରା ତଳ ପାହାଚରେ ଅଛନ୍ତି ।

ନୀତି ଆୟୋଗର ଏକ ରିପୋର୍ଟରେ ପ୍ରସ୍ତାବ ଦେଇ କୁହାଯାଇଥିଲା ଯେ, ୨୦୨୨ ସୁଦ୍ଧା ଯଦି ଆମ ଦେଶର ଚାଷୀଙ୍କ ସଂଖ୍ୟା ୫୫ ପ୍ରତିଶତରେ ସୀମିତ ରହିବ ତେବେ ଚାଷୀଙ୍କ ଆମଦାନୀ ଦୁଇଗୁଣ ହୋଇଯିବ । ଅର୍ଥଶାସ୍ତ୍ରୀମାନେ ବାରମ୍ବାର କହୁଥିଲେ ଯେ, ଅଧିକ ଲୋକ ଚାଷ କ୍ଷେତ୍ରରେ ଥିବାରୁ ଚାଷରେ ଚାଷୀମାନେ କ୍ଷତି ସହୁଛନ୍ତି । ତେଣୁ ଅଧା ସଂଖ୍ୟକ ଚାଷୀ ଚାଷରୁ ବାହାରି ଯାଇ ଅଣଚାଷ ବୃତିକୁ ଆପଣେଇବା ଆବଶ୍ୟକ । ଆଜି ଚାଷୀମାନଙ୍କ ସଂଖ୍ୟା ପାଖାପାଖି ୫୦ ପ୍ରତିଶତରେ ପହଞ୍ଚି ଗଲାଣି । ଅର୍ଥାତ୍ ଅନେକ ଲୋକ ଚାଷ କ୍ଷେତ୍ରରୁ ବାହାରି ଯାଇ ମୂଲିଆରେ ପରିଣତ ହୋଇସାରିଲେଣି । ତଥାପି ବି ଆମେ ଦେଖୁଛେ ଯେ, ୨୦୧୮-୧୯ରେ ଚାଷରୁ ହେଉଥିବା ରୋଜଗାର ତୁଳନାରେ ମଜୁରୀରୁ ହେଉଥିବା ରୋଜଗାର ଅଧିକ ।ତା’ହେଲେ ସେହି ତଥାକଥିତ ଅର୍ଥଶାସ୍ତ୍ରୀମାନେ ଏହାର ଉତ୍ତର କ’ଣ ଦେବେ! ଗୋଟିଏ କଥା ସ୍ପଷ୍ଟ ଯେ, ସରକାରଙ୍କୁ ଚାଷୀମାନଙ୍କ ଉତ୍ପାଦନର ଉଚିତ୍ ମୂଲ୍ୟ ଦେବାକୁ ହେବ ।

ଏବେ ବି ସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ଉଠୁନାହିଁ । ଗୋଟିଏ ପଟେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଓ ସେବାର ଦରଦାମ୍ ଆକାଶଛୁଆଁ ବୃଦ୍ଧି ଘଟିଥିବା ବେଳେ, ଚାଷୀଙ୍କ ଉତ୍ପାଦନର ଦାମ୍ ଆଖି ଦୃଷ୍ଟିଆ ବଢ଼ିନାହିଁ । ଚାଷୀଙ୍କ ଉତ୍ପାଦନର ବହୁତ କମ୍ ଦାମ୍ ମିଳୁଥିବା ବେଳେ ଓ ଚାଷୀମାନେ ଆଜିର ଚଢ଼ା ବଜାରରୁ ସେମାନଙ୍କ ଆବଶ୍ୟକୀୟ ଜିନିଷ ପତ୍ର କିଣୁଥିବା ବେଳେ, ସେମାନଙ୍କ ଶ୍ରମ ଭୟଙ୍କର ଭାବେ ଶୋଷିତ ହେଉଛନ୍ତି । ଫଳରେ ଯେତେ ପରିଶ୍ରମ କଲେ ସୁଦ୍ଧା ଚାଷୀଟିର ଅବସ୍ଥାରେ ସୁଧାର ଆସୁନାହିଁ । କାରଣ ଆଜିର ବଜାର ଅର୍ଥନୀତିର ଜାଲରେ ପଡ଼ି ଚାଷୀଟି ଛଟ୍‌ପଟ୍ ହେଉଛି । ଆମେ ଭୂଲି ଯିବା ଉଚିତ୍ ନୁହେଁ ଯେ, ଚାଷୀମାନଙ୍କର ପରିଶ୍ରମ ଓ ଉତ୍ପାଦନ ଯୋଗୁ ହିଁ ଆମେ ସମସ୍ତେ ଖାଦ୍ୟ ପାଇପାରୁଛନ୍ତି । ଯାହା ଆମ ଜୀବନ ଧାରଣର ମୂଖ୍ୟ ଉପାଦାନ । ବିନା ଖାଦ୍ୟରେ କେହି ବି ବଞ୍ଚି ପାରିବେ ନାହିଁ । ତେଣୁ ଚାଷୀମାନଙ୍କର ବାସ୍ତବିକ ବିକାଶ ବିନା କୌଣସି ରାଷ୍ଟ୍ର କେବେ ବି ଉପରକୁ ଉଠିପାରିବ ନାହିଁ । ଏବେ ସମୟ ଆସିଛି ଚାଷୀମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ନଦେଇ ବାସ୍ତବ ଅର୍ଥରେ ସେମାନଙ୍କର ବିକାଶ ପାଇଁ ନୀତି ନିର୍ଦ୍ଧାରଣ କରିବାକୁ ହେବ । ଅନ୍ତତଃପକ୍ଷେ ଚାଷୀଙ୍କ ଉତ୍ପାଦନକୁ ଉଚିତ୍ ଦାମ୍ ଓ ଚାଷୀମାନଙ୍କ ପାଇଁ ଏକ ନିୟମିତ ରୋଜଗାର ସୁରକ୍ଷାର ବ୍ୟବସ୍ଥା କରିବାକୁ ହେବ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ-୯୪୩୮୪୬୮୪୭୪