Latest Odisha News

BREAKING NEWS

ମୋ ସରକାରର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ମୋ ସରକାରର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତେ ବିଭିନ୍ନ କ୍ଷେତ୍ରରେ ସରକାରୀ ସେବା ପାଉଛନ୍ତି ବା ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀ ଅଟନ୍ତି । ଏ ସମସ୍ତଙ୍କର ଫିଡବ୍ୟାକ ରେକର୍ଡ କରାଯାଇ ଏହା ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ଏହାକୁ ପରବର୍ତ୍ତୀ ସ୍ତରକୁ ନେବାର ସମୟ ଆସିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ସବୁ ସ୍ତରରେ ସବୁ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଲୋକଙ୍କ ଠାରୁ ଅଧିକରୁ ଅଧକ ଫିଡବ୍ୟାକ୍‌ ନେବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲୋକଙ୍କୁ ସେବା ଯୋଗାଇବା ସବୁ ସରକାରଙ୍କ ଲକ୍ଷ୍ୟ । ତେଣୁ ଲୋକଙ୍କ ଠାରୁ ନିୟମିତ ଭାବରେ ଫିଡବ୍ୟାକ୍‌ ଗ୍ରହଣ କରି ଏବଂ ତାହାକୁ ଭିତ୍ତିକରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଲେ କିମ୍ବା ନୀତି ବା ପ୍ରକ୍ରିୟାରେ ଆବଶ୍ୟକ ସଂଶୋଧନ କରିବା ଦ୍ବାରା ଲୋକଙ୍କ ପାଖରେ ସରକାରଙ୍କ ପ୍ରାସଙ୍ଗିକତା ରହିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ପ୍ରଶାସନ ୫-ଟି ନୀତି ଦ୍ବାରା ପରିଚାଳିତ । ଏହାଦ୍ବାରା ସବୁ କ୍ଷେତ୍ରରେ ରୂପାନ୍ତର ଆଣିବା ଆମର ଲକ୍ଷ୍ୟ । ବିଭିନ୍ନ କ୍ଷେତ୍ରରେ ଓଡିଶା ଉଲ୍ଲେଖନୀୟ ପଦକ୍ଷେପ ନେଇ ସାରା ବିଶ୍ବର ନଜରକୁ ଆସିପାରିଛି । ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି କୃଷକଙ୍କୁ ସହାୟତା, ସହରାଞ୍ଚଳ ପରିଚାଳନା ବ୍ୟବସ୍ଥା, କ୍ରୀଡା, ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସେବା ଓ ସ୍କୁଲ ରୂପାନ୍ତର ଆଦି କାର୍ଯ୍ୟକ୍ରମରେ ରାଜ୍ୟ ଅନେକ ପ୍ରଶଂସା ପାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ମୋ ସରକାର ହେଉଛି ଏଭଳି ଏକ ସୁଦୂରପ୍ରସାରୀ ଚିନ୍ତାଧାରା, ଯାହାକି ଆମର ପ୍ରଶାସନିକ ବ୍ୟବସ୍ଥାର ପରୀକ୍ଷା ନିଏ । ଲୋକଙ୍କ ସେବା ଦିଗରେ ଆମର ଉଦ୍ୟମକୁ ପ୍ରମାଣିତ କରେ ଏବଂ ସରକାରଙ୍କୁ ଲୋକଙ୍କ ନିକଟତର କରାଏ । ମୋ ସରକାର କାର୍ଯ୍ୟକ୍ରମରେ ଟେକ୍ନୋଲୋଜି ସହାୟତାରେ ଆମେ ଲୋକଙ୍କ ଠାରୁ ସିଧାସଳଖ ଫିଡବ୍ୟାକ ନେଇପାରୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୋ ସରକାର ଏକ ଭାଗିଦାରୀ ଭିତ୍ତିକ ଗଣତନ୍ତ୍ରର ସ୍ତମ୍ଭକୁ ସୁଦୃଢ କରେ । ଏହାଦ୍ବାରା ଓଡିଶାରେ ଜନହିତକାରୀ ସମାଜ ଗଠନକୁ ସୁନିଶ୍ଚିତ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବୈଠକରେ ମୁଖ୍ୟମନ୍ତ୍ରୀ କେତେକ ହିତାଧିକାରୀଙ୍କ ସହିତ ଟେଲିଫୋନ୍‌ରେ ସିଧାସଳଖ କଥାହୋଇ ସେମାନଙ୍କ ଠାରୁ ଫିଡବ୍ୟାକ ନେଇଥିଲେ । ଜାତିଗତ ପ୍ରମାଣପତ୍ର ନେବା ପାଇଁ ତହସିଲକୁ ଯାଇଥିବା ବ୍ୟକ୍ତି, ମ୍ୟୁନିସିପାଲ୍‌ଟିକୁ ସେବା ପାଇଁ ଯାଇଥିବା ବ୍ୟକ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବେସରକାରୀ ହସ୍‌ପିଟାଲକୁ ଚିକିତ୍ସା ପାଉଥିବା ବ୍ୟକ୍ତି, ଥାନାକୁ ବିଭିନ୍ନ ଅଭିଯୋଗ ନେଇ ଯାଇଥିବା ବ୍ୟକ୍ତି ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ ଏବଂ ସେମାନେ କିପରି ସେବା ପାଇଲେ, ସେମାନଙ୍କ ସହିତ ଉତ୍ତମ ବ୍ୟବହାର କରାଯାଇଥିଲା କି ନାହିଁ, କିମ୍ବା ସେମାନଙ୍କ ଠାରୁ କୌଣସି ପ୍ରକାର ଅର୍ଥ ମଗାଯାଇଥିଲା କି ନାହିଁ, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ ।

ଏହାସହ ତହସିଲ ଓ ସବ୍ ରେଜିଷ୍ଟାର ଅଫିସରେ ଦିଆଯାଉଥିବା ସେବାରେ ଉନ୍ନତି ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁ ବିଭାଗର ଫିଡବ୍ୟାକ୍ ଗ୍ରହଣ ସନ୍ତୋଷ ଜନକ ନୁହେଁ, ସେହି ବିଭାଗର କାର୍ଯ୍ୟ ସମୀକ୍ଷା କରି ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି କହିଥିଲେ ଯେ, ବ୍ୟବସ୍ଥା କିପରି କାମ କରୁଛି, ତାକୁ ଜାଣିବା ହେଉଛି ମୋ ସରକାରର ଲକ୍ଷ୍ୟ । ଲୋକଙ୍କୁ ସମ୍ମାନର ସହିତ ସେବା ଯୋଗାଇ ଦେବା ହେଉଛି ସରକାରଙ୍କ ଦାୟିତ୍ବ । ସେମାନେ ଯେପରି କୌଣସି କାର୍ଯ୍ୟାଳୟରେ ଖରାପ ବ୍ୟବହାର ନ ପାଆନ୍ତି ଏବଂ ବୃତ୍ତିଗତ ସେବା ପାଆନ୍ତି, ତାକୁ ସୁନିଶ୍ଚିତ କରିବା ମୋ ସରକାରର ଲକ୍ଷ୍ୟ ବୋଲି କହିଛନ୍ତି 5T ସଚିବ ।

Leave A Reply

Your email address will not be published.