ପଟିଆଲା/ଚଣ୍ଡିଗଡ଼: ପଞ୍ଜାବର ପଟିଆଲା ଜିଲ୍ଲାରେ ଏକ ବଡ଼ ଧରଣର ଅଘଟଣ ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ଶମ୍ଭୁ ଏବଂ ରାଜପୁରା ମଧ୍ୟରେ ଥିବା ରେଳ ଧାରଣାରେ ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହି ବ୍ଲାଷ୍ଟ୍ ଯୋଗୁଁ ରେଳ ଧାରଣାର ବ୍ୟାପକ କ୍ଷତି ଘଟିଥିବା ବେଳେ ଏହା ପଛରେ କୌଣସି ଆତଙ୍କୀ ଷଡ଼ଯନ୍ତ୍ର ଥିବା ସୁରକ୍ଷା ଏଜେନ୍ସିମାନେ ସନ୍ଦେହ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୯:୩୦ ରୁ ୧୦:୦୦ ଟା ସମୟରେ ଅମ୍ବାଲା-ରାଜପୁରା ରେଳ ମାର୍ଗରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ଟ୍ରାକ୍ର ଏକ ଅଂଶ ଭାଙ୍ଗିଯାଇଛି। ତେବେ ସବୁଠାରୁ ଚାଞ୍ଚଲ୍ୟକର ତଥ୍ୟ ହେଉଛି ଯେ, ଘଟଣାସ୍ଥଳରୁ ପୋଲିସକୁ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଛିନ୍ନଭିନ୍ନ ହୋଇଥିବା ମୃତଦେହ ମିଳିଛି। ବିସ୍ଫୋରଣ କାରଣରୁ ମୃତଦେହଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ପୋଲିସ ସନ୍ଦେହ କରୁଛି ଯେ, ଏହି ବ୍ୟକ୍ତି ଜଣକ ବୋମା ଖଞ୍ଜିବାକୁ ଆସିଥିବା ବେଳେ ନିଜେ ତାର ଶିକାର ହୋଇଥାଇପାରନ୍ତି, ଅଥବା ସେ କାହାର ଷଡ଼ଯନ୍ତ୍ରର ବଳି ପଡ଼ିଥାଇପାରନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୁର୍ବୃତ୍ତମାନେ ଯାତ୍ରୀବାହୀ ଟ୍ରେନ୍ ଲାଇନ୍କୁ ନୁହେଁ, ବରଂ ଡେଡିକେଟେଡ୍ ଫ୍ରେଟ୍ କରିଡର (DFC) ବା ମାଲବାହୀ ଟ୍ରେନ୍ ଲାଇନ୍କୁ ଟାର୍ଗେଟ୍ କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପଟିଆଲା ଏସଏସପି ବରୁଣ ଶର୍ମା ଏବଂ ଡିଆଇଜି ପୋଲିସ ଫୋର୍ସ ଓ ଫୋରେନସିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ସେଠାରେ ପ୍ରମାଣ ସଂଗ୍ରହ କାର୍ଯ୍ୟ ଜାରି ରହିଛି।
ଏହି ଘଟଣା ପରେ ଉକ୍ତ ରୁଟ୍ରେ ଟ୍ରେନ୍ ଚଳାଚଳକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି ଏବଂ ଅନେକ ଟ୍ରେନ୍କୁ ଅଧବାଟରେ ଅଟକାଇ ଦିଆଯାଇଛି। ସୂତ୍ରରୁ ପ୍ରକାଶ ଯେ, ଗତ ଏପ୍ରିଲ ୨୪ ତାରିଖରେ ରେଳ ଷ୍ଟେସନଗୁଡ଼ିକୁ ଏଭଳି କିଛି ବିସ୍ଫୋରଣ ନେଇ ଧମକ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ସରକାରୀ ରେଳବାଇ ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ-ଆଲର୍ଟରେ ରଖାଯାଇଛି। ଏହି ବିସ୍ଫୋରଣରେ ବ୍ୟବହୃତ ସାମଗ୍ରୀର ପ୍ରକୃତି ଜାଣିବା ପାଇଁ ବମ୍ ସ୍କ୍ୱାଡ୍ ଏବଂ ଏନଆଇଏ (NIA) ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ନିଆଯାଇପାରେ ବୋଲି ଅନୁମାନ କରାଯାଉଛି।