ଫରିଦକୋଟ: ପ୍ରେମ କରି ବିବାହ କରିଥିଲେ, ଭାବିଥିଲେ ନୂଆ ଜୀବନ ଆରମ୍ଭ ହେବ। କିନ୍ତୁ ଅଢ଼େଇ ମାସ ପରେ ସେହି ପ୍ରେମ ବିବାହ ହିଁ ତାଙ୍କ ପାଇଁ ସାଜିଲା ମୃତ୍ୟୁର କାରଣ। ନିଜ ୨୦ ବର୍ଷୀୟ ଝିଅର ଗଳା କାଟି ମାରିଦେଲେ ନିଜେ ବାପା, ମା’ । ପଞ୍ଜାବର ଫରିଦକୋଟ ଜିଲ୍ଲାରେ ୨୦ ବର୍ଷୀୟା ମହକପ୍ରୀତ କୌରଙ୍କୁ କଥିତ ଭାବେ ନିଜ ପରିବାର ଲୋକେ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ଏହାକୁ ‘ଅନର କିଲିଂ’ ମାମଲା ଭାବେ ତଦନ୍ତ କରୁଛି।
ମହକପ୍ରୀତ ଫରିଦକୋଟର ବୁର୍ଜ ହରିକା ଗାଁର ଝିଅ ଥିଲେ। ସେ ଗତ ମେ ୪ ତାରିଖରେ ନିଜ ଗାଁର ଯୁବକ ଜଗଦୀପ ସିଂହଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ପରିବାର ଏହି ବିବାହକୁ ଗ୍ରହଣ କରୁନଥିଲେ । ସେଥିପାଇଁ ଦମ୍ପତି ଗାଁ ଛାଡ଼ି ବଠିଣ୍ଡା ଜିଲ୍ଲାର ଭଗତା ଭାଇକା ଅଞ୍ଚଳରେ ରହୁଥିଲେ। ହେଲେ ଏବେ ମହକପ୍ରୀତଙ୍କ ମର ଶରୀର ତାଙ୍କ ଗାଁ ପାଖ ଏକ ବିଲରୁ ମିଳିଛି ।
ଅଭିଯୋଗ ଅନୁସାରେ, ସୋମବାର ପରିବାର ଲୋକେ ଝିଅ ଏବଂ ଜ୍ବାଇଁଙ୍କୁ ଦେଖା କରିବା ବାହାନାରେ ମହକପ୍ରୀତ ଓ ଜଗଦୀପଙ୍କୁ ଡାକିଥିଲେ। ଦୁହେଁ ମୋଟରସାଇକେଲରେ କୋଟକାପୁରା ଅଭିମୁଖେ ଯାଉଥିବାବେଳେ ଅମୃତସର-ବଠିଣ୍ଡା ଜାତୀୟ ରାଜପଥ ନିକଟରେ ମହକପ୍ରୀତଙ୍କ ପରିବାର ଲୋକେ ସେମାନଙ୍କ ରାସ୍ତା ଅଟକାଇଥିଲେ। ଜଗଦୀପ ସେଠାରୁ ପଳାଇବାରେ ସଫଳ ହୋଇଥିବାବେଳେ ମହକପ୍ରୀତଙ୍କୁ ଜବରଦସ୍ତି ମାଡି ବସିଥିଲେ ପରିବାର ଲୋକେ । ଏହାପରେ ମହକପ୍ରୀତଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ କାଟି ଦିଆଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତମାନେ ତାଙ୍କ ମୃତଦେହକୁ ରାସ୍ତାକଡ଼ର ଏକ ବିଲରେ କଣ୍ଟାବାଡ଼ ନିକଟରେ ଫିଙ୍ଗି ଦେଇଥିଲେ।
ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। କୋଟକାପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଫରିଦକୋଟର ଗୁରୁ ଗୋବିନ୍ଦ ସିଂହ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲା। ଫରେନସିକ ଟିମ୍ ମଧ୍ୟ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି।
ପୋଲିସ ମହକପ୍ରୀତଙ୍କ ବାପା ୱାକିଲ ସିଂହ, ଦୁଇ ମାମୁଁ ଗୁରପ୍ରୀତ ସିଂହ ଓ ସୁଖଚେନ ସିଂହଙ୍କ ସମେତ ଆଉ ଦୁଇ ସମ୍ପର୍କୀୟ ସୁଖା ସିଂହ ଏବଂ ଦିଲବାଗ ସିଂହଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ଡିଏସପି ସଞ୍ଜୀବ କୁମାର କହିଛନ୍ତି, ପ୍ରାଥମିକ ତଦନ୍ତରୁ ପ୍ରେମ ବିବାହକୁ ପରିବାର ସ୍ୱୀକାର କରିପାରିନଥିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପୁଣି ଥରେ ଏକ ପ୍ରଶ୍ନ ଉଠାଇଛି, ପରିବାରର ‘ସମ୍ମାନ’ କ’ଣ ଝିଅର ଜୀବନଠାରୁ ବଡ଼?

Comments are closed.