Latest Odisha News

BREAKING NEWS

ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ ..ଭଗବାନଙ୍କ ଅପେକ୍ଷାରେ ଭକ୍ତ

ପୁରୀ : ଆଉ କେଇ ଘଣ୍ଟା ପରେ ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବେ । ସକାଳ ୯ଟା.୩୦ରୁ ୧୨ଟା ୩୦ ମଧ୍ୟରେ ହେବ ଶ୍ରୀଜୀଉଙ୍କ ଧାଡ଼ି ପହଣ୍ଡି । ଦିନ ୨ଟାରୁ ୩ଟା ମଧ୍ୟରେ ଛେରାପହଁରା କରିବେ ଗଜପତି । ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା ।

ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ସିଂହଦ୍ୱାର ସାମ୍ନାରେ ମହାପ୍ରଭୁଙ୍କୁ ଚାହିଁ ରହିଛନ୍ତି ତିନି ରଥ । ରାତି ପାହିଲେ ନୀଳକନ୍ଦରରୁ ବାହାରି ଜନ୍ମବେଦୀକୁ ନବଦିନାତ୍ମକ ଘୋଷ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୁରତୀ । ରତ୍ନବେଦୀ ଛାଡ଼ି ନବଦିନାତ୍ମକ ଯାତ୍ରାରେ, ଜନ୍ମବେଦୀକୁ ଯାତ୍ରା କରିବେ ବିଶ୍ୱନିୟନ୍ତା । ସକାଳେ ଆଜ୍ଞାମାଳ ବିଜେ ହେବା ପରେ ରଥଖଳାରୁ ତିନି ରଥଙ୍କୁ ସିଂହଦ୍ୱାର ଆଗକୁ ଟାଣି ଆଣିଥିଲେ ସେବାୟତ । ନୀତି ଏତେ ସଅଳ ଥିଲା ଯେ ୧୧ଟା ସୁଦ୍ଧା ତିନିରଥ ସିଂହଦ୍ୱାରରେ ଲାଗିଥିଲା । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ ।

ଶୁକ୍ରବାର ରଥ ଉପରେ କନକମୁଣ୍ଡିସ୍ଥାପନ ଓ ରଥ ପ୍ରତିଷ୍ଠା ପରେ ଧାଡ଼ି ପହଣ୍ଡିରେ ରଥାରୁଢ଼ ହେବ ଚତୁର୍ଦ୍ଧା ବିଗ୍ରହ । ସକାଳେ ମଙ୍ଗଳଆଳତି, ମଇଲମ ଆଦି ନୀତି ପରେ ୮ଟା ୯ଟା ମଧ୍ୟରେ ହେବ ଗୋପଳ ବଲ୍ଲଭ ଓ ସକାଳଧୂପ । ୯ଟାରେ ରଥପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା.୩୦ରୁ ୧୨ଟା ୩୦ ମଧ୍ୟରେ ଧାଡ଼ି ପହଣ୍ଡି ଶେଷ ହେବ । ଗଜପତିଙ୍କ ଛେରାପହଁରା ୨ଟାରୁ ୩ଟା ଓ ରଥଟଣା ୪ଟାରେ ଆରମ୍ଭ ହେବ ।

କରୋନା କଟକଣା ହଟିବା ପରେ ଭକ୍ତଙ୍କ ମେଳରେ ଏଥର ହେଉଛି ରଥଯାତ୍ରା । ଦୁଇବର୍ଷ ପରେ କାଳିଆକୁ ଅତି ପାଖରୁ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଉକ୍ରଣ୍ଠା ଦେଖାଦେଇଛି । ଧିରେ ଧିରେ ବଡଦାଣ୍ଡରେ ଗହଳି ବଢୁଛି । ଏଥର ପୁରୀରେ ଭକ୍ତଙ୍କ ସଂଖ୍ୟା ପୂର୍ବ ରଥଯାତ୍ରା ଅପେକ୍ଷା ଅଧିକ ହେବାକୁ ଥିବାରୁ ପ୍ରଶାସନ ସବୁପ୍ରକାରର ବ୍ୟବସ୍ଥା କରିଛି ।

ରଥଯାତ୍ରାକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନଜରରେ ରହିବ ପୁରୀ ସହର । ପ୍ରାୟ ୧୮୬ ପ୍ଲାଟୁନ ଫୋର୍ସ ସହ ସାଧା ପୋଷାକଧାରୀ ପୁଲିସ ମୁତୟନ ରହିବେ । ଶ୍ରୀମନ୍ଦିରକୁ ୧୦ଟି ଜୋନ ଓ ବଡଦାଣ୍ଡକୁ ୨୨ଟି ସେକ୍ଟରରେ ବିଭକ୍ତ କରାଯାଇଛି ।

ତେବେ ରଥଯାତ୍ରା ବେଳେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ଭକ୍ତଙ୍କୁ ସରକାର ନିବେଦନ କରିଛନ୍ତି । ଭକ୍ତଙ୍କୁ ଦଶଲକ୍ଷ ମାସ୍କ ବଣ୍ଟାଯିବ । ଯେଉଁମାନଙ୍କୁ ଥଣ୍ଡା, କାଶ ଓ ଜ୍ୱର ହୋଇଛି ସେମାନେ ରଥଯାତ୍ରାକୁ ନ ଆସି ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ନିବେଦନ କରାଯାଇଛି ।

Leave A Reply

Your email address will not be published.