ଭୁବନେଶ୍ୱର: ପୁରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପୁଣି ଥରେ ଜବାବ ରଖି ପୁରୁଣା କଥା ଦୋହରାଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ବିରୋଧୀ ବିଜେପି ଏହି ପ୍ରସଙ୍ଗରେ କେବଳ ରାଜନୀତି କରୁଛି । ଆଉ କିଛି ନୁହେଁ । ସବୁକିଛି ନିୟମ ଆଧାରରେ ହେଉଛି ବୋଲି ପିନାକୀ ମିଶ୍ର କହିଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ପୁରୀ ଗସ୍ତ କରୁଥିବା ବେଳେ ପ୍ରଶାସନ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଛି । ଏହାକୁ ନେଇ ଅପରାଜିତା ପୁରୀ ପ୍ରଶାସନ ଉପରେ ବର୍ଷିଛନ୍ତି । ଏହି ସମୟରେ ପିନାକୀ ମିଶ୍ର ଏପରି ଏକ ବୟାନ ରଖିଛନ୍ତି।
ସେ କହିଛନ୍ତି, ଅପରାଜିତା ନିଜର ରାଜନୀତିକ ଉଦ୍ଦେଶ୍ୟ ପୂରଣ କରିବାକୁ ଏପରି କରୁଛନ୍ତି । ତେଣୁ ପ୍ରଭୁ ଜଗନ୍ନାଥଙ୍କ ନାମରେ ରାଜନୀତି କରିବା ଏକ ନିନ୍ଦନୀୟ ପ୍ରୟାସ। ଜଗନ୍ନାଥଙ୍କୁ ରାଜନୀତିରେ ଟାଣି ହୋଇ କେହି ସଫଳ ହୋଇ ନାହାନ୍ତି। ପୁରୀ କାମ ବିଧି ବିଧାନ ଅନୁସାରେ ହେଉଛି । ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳ ବେଆଇନ କାମ କରିନାହାନ୍ତି । ପ୍ରକଳ୍ପ ପାଇଁ ଏନଏମଏ ଅନୁମତି ଦେଇଛି । ଯଦି ବେଆଇନ କାମ ହୋଇଥାନ୍ତା ତାହେଲେ ହାଇକୋର୍ଟରେ ଏହି ପ୍ରସଙ୍ଗରେ ଦୁଇ ଥର ଶୁଣାଣି ହୋଇଛି । ହେଲେ ହାଇକୋର୍ଟ ପ୍ରକଳ୍ପ କାମ ଉପରେ ରୋକ୍ ଲଗାଇ ନାହାନ୍ତି ବୋଲି ସେ କହିଛନ୍ତି । ବିରୋଧୀ ଯେତେ ପ୍ରୟାସ କଲେ ବି ସଫଳ ହୋଇ ପାରିବେ ନାହିଁ । ପୂର୍ବରୁ ମଧ୍ୟ ଅପଚେଷ୍ଟା କରି ବିରୋଧୀ ବିଫଳ ହୋଇଛନ୍ତି ବୋଲି ସାଂସଦ ପିନାକୀ କହିଛନ୍ତି।
ଏହାପରେ ତାଙ୍କ ପ୍ରତିପକ୍ଷ ତଥା ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ଟାର୍ଗେଟ କରି କହିଛନ୍ତି, ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ଜଗନ୍ନାଥଙ୍କୁ ଧରି ରାଜନୀତି କରୁଛନ୍ତି । ହେଲେ ଫଳାଫଳ କଣ ହୋଇଛି ତାହା ସମସ୍ତେ ଜାଣନ୍ତି । ଜଗନ୍ନାଥଙ୍କ ନାଁରେ ରାଜନୀତି କଲେ ସବୁବେଳେ ବିଫଳ ହେବେ । ମାମଲା ଯେତେବେଳେ ହାଇକୋର୍ଟରେ ବିଚାରଧୀନ ରହିଛି ସେତେବେଳେ ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।
ଗତକାଲି ସମ୍ବିତ ପାତ୍ର ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ସୋଶିଆଲ ମିିଡିଆରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ କଳାପାହାଡ଼ ମାନସିକତା କ୍ଷତି ପହଞ୍ଚାଇବ । ରାଜନୀତି ନକରି ଏଏସଆଇ କଣ କହୁଛି, ସେଯାଏଁ ଅପେକ୍ଷା କରିବା ଦରକାର । ହାଇକୋର୍ଟଙ୍କ ନିର୍ଦ୍ଦେଶ ନଆସିବା ଯାଏ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିବା ଉଚିତ ବୋଲି ସେ ମତ ଦେଇଛନ୍ତି । ଜିଦ୍ ଏବଂ ଅହଂକାର କେବଳ ବିନାଶ ଆଡ଼କୁ ନିଏ ବୋଲି କହିଥିଲେ ସମ୍ବିତ ପାତ୍ର ।
Comments are closed.