Latest Odisha News

ତେଲ ଉପରୁ ଭାଟ କମାଇବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ, ‘ଖରାର ତାତିଠୁ ଅଧିକ ବାଧୁଛି ତେଲର ତାତି’

ଭୁବନେଶ୍ୱର: ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରନସିଂ ଜରିଆରେ କୋଭିଡ ସମୀକ୍ଷାର ବୈଠକ କରିଛନ୍ତି । ଏହି ସମୟରେ ବର୍ଦ୍ଧିତ ତେଲ ଦର ଉପରେ ମଧ୍ୟ ମୋଦୀ ଆଲୋଚନା କରିଛନ୍ତି । ଏବଂ ରାଜ୍ୟ ସରକାରଙ୍କୁ ତେଲ ଉପରୁ ଭାଟ କମାଇବାକୁ ନିବେଦନ କରିଛନ୍ତି ।

କେନ୍ଦ୍ର ସରକାର ଗତ ନଭେମ୍ବରରେ ତେଲ ଦର ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ ଏବଂ ଟିକସ ହ୍ରାସ କରିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ । ଏବେ ସେ କାହାକୁ ସମାଲୋଚନା କରୁନାହାନ୍ତି ବରଂ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଝାଡଖଣ୍ଡ, ତାମିଲନାଡୁକୁ ଭାଟ୍ ହ୍ରାସ କରି ଲୋକଙ୍କୁ ଲାଭ ଦେବା ପାଇଁ ଅନୁରୋଧ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ମୋଦୀଙ୍କ ଏହି ଆହ୍ୱାନ ସେତେବେଳେ ଆସିଛି ଯେତେବେଳେ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୨୦ ଟଙ୍କା (ତେଲ ଦର+ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ) ରହିଥିବା ବେଳେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ଏବଂ ଡିଜେଲ ୧୦୨ ଟଙ୍କା ରହିଛି । ଏପ୍ରିଲ ୬ ପାଖରୁ ଏଯାବତ ତେଲ ଦର ପ୍ରାୟତଃ ଅପରିବର୍ତ୍ତିତ ରହିଛି । ଅର୍ଥାତ ୨୦ ଦିନ ହେବ ତେଲ ଦର ଅପରିବର୍ତ୍ତିତ ରହିଛି । କିନ୍ତୁ ଅଶୋଧିତ ତେଲ ଦର ଯେଉଁଭଳି ବଢିଥିଲା ଏହାରି ଭିତରେ କମିଛି । କିନ୍ତୁ ଚୀନ ଭଳି ଦେଶରେ କରୋନା ପାଇଁ ଲକଡାଉନ ହେବାରୁ ଅଶୋଧିତ ତେଲର ଦର ଉପରେ ପ୍ରଭାବ ପଡିଛି ବୋଲି ସୂଚନା ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ ତେଲ ଦର ଉପରୁ ଭାଟ କମାଇବାକୁ କହିବା ପରେ ସାଧାରଣ ଲୋକେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ତେଲ ପକାଇବାକୁ ଆସିଥିବା ଜଣେ ଗ୍ରାହକ କହିଛନ୍ତି, ମୋଦୀ ସବୁବେଳେ ତେଲ ଦର କମାଇବା କଥା କହୁଛନ୍ତି । କିନ୍ତୁ ତାଙ୍କ ସରକାରରେ ଯାହା ହେଉଚି ତାହା ତାଙ୍କ ବୟାନର ଓଲଟା । ତେଲ ଦର ବଢିବା ଦ୍ୱାରା ବହୁତ ବାଧୁଛି ।

ସେହିପରି ଆଉ ଜଣେ ଗ୍ରାହକ କହିଛନ୍ତି, ଏ ଖରାର ତାତି ଅପେକ୍ଷା ତେଲର ତାତି ଅଧିକ ବାଧୁଛି । ତେଲ ଦର ବଢିବାରୁ ଏବେ ଅନ୍ୟାନ୍ୟ ଦର ବଢି ଚାଲିଛି । ତେଣୁ ସରକାରଙ୍କ ଅନୁରୋଧ କରିବାକୁ ଯାଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହା ଉପରେ ପଦକ୍ଷେପ ନେଇ ତାଙ୍କ ଭଳି ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦିଅନ୍ତୁ ବୋଲି କହିଛନ୍ତି।

Leave A Reply

Your email address will not be published.