Latest Odisha News

ସର୍ବସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର, କଟକଣାରେ କାଳିଆ ଦର୍ଶନ

ପୁରୀ: ପାଖାପାଖି ୪ ମାସ ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କ ଦର୍ଶନ ମିଳିଲା । ଭକ୍ତ ଓ ଭଗବାନଙ୍କର ହେଲା ମିଳନ । ସର୍ବସାଧାରଣ ଦର୍ଶ ପାଇଁ ଆଜି ଶ୍ରୀମନ୍ଦିର ଖୋଲିଛି । କରୋନା କଟକଣାରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଭକ୍ତିରେ ଭିଜି ଯାଇଛନ୍ତି । ଚର୍ମଚକ୍ଷୁରେ ଶ୍ରୀଜିଉଙ୍କୁ ଦେଖି ଭକ୍ତ ଆଖିରୁ ଝରି ଆସୁଛି ଆନନ୍ଦର ଅଶ୍ରୁ । ଏହି ଦର୍ଶ ଟିକିଏ ପାଇବା ପାଇଁ କାହିଁ କେତେ ଦିନରୁ ଚାକତ ଭଳି ଅନାଇ ରହିଥିଲେ ସମସ୍ତେ ।

ସକାଳ ୭ଟାରୁ ଆରମ୍ଭ ହୋଇଛି ସର୍ବସାଧରଣ ଦର୍ଶନ । ୯୬ ଘଣ୍ଟା ପୂର୍ବରୁ କୋଭିଡ୍ RTPCR ନେଗେଟିଭ୍ ରିପୋର୍ଟ କିମ୍ବା ଦୁଇଟି ଡୋଜ୍ ଟିକା ନେଇଥିବା ସାର୍ଟିଫିକେଟ ସହ ଫଟୋ ଥିବା ପ୍ରମାଣପତ୍ର ଦେଖାଇ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି ଭକ୍ତ ।
ହାତ ସାନିଟାଇଜ୍ କରିବାକୁ ୮ଟି କିଓସ୍କି ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡ୍ ଦେଇ ସିଂହଦ୍ୱାରରେ ପ୍ରବେଶ ଓ ଦର୍ଶନ ସାରି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରୁଛନ୍ତି ଭକ୍ତ । ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହୋଇଛି ।

ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । ମନ୍ଦିର ଭିତରକୁ ଫୁଲ, ତୁଳସୀ, ଭୋଗ ଓ ଦୀପ ନେବା ମନା । କୌଣସି ମୂର୍ତ୍ତିକୁ ସ୍ପର୍ଶ କରିପାରିବେ ନାହିଁ । ମନ୍ଦିର ଭିତରେ ପାନ ଓ ଗୁଟଖା ଖାଇବା ଏବଂ ଛେପ ପକାଇବା ନିଷେଧ ।
ମନ୍ଦିର ଭିତରକୁ ପଲିଥିନ୍ ନେବା ମନା । ନିୟମର ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ । ଆନନ୍ଦବଜାରରେ ବସି ମହାପ୍ରସାଦ ଖାଇବା ମନା । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Comments are closed.