Latest Odisha News

BREAKING NEWS

ପୁରୀର ଭଣ୍ଡ ଗଣେଶଙ୍କୁ ନେଇ କଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ

ପୁରୀ: ପୁରୀ ଶ୍ରୀମନ୍ଦିରର ପ୍ରତ୍ୟେକ କଥା ନିଆରା । ଏଠାରେ ଭଗବାନଙ୍କ ନକାରାତ୍ମକ ଚିତ୍ର ମଧ୍ୟ ଉପସ୍ଥାପିତ ହୋଇଥାଏ । ଏହାର ଉଦାହରଣ ହେଲା ଶ୍ରୀ କାଂଚି ଗଣେଶ ବା ଭଣ୍ଡ ଗଣେଶ ।

ନାମରୁ ମଧ୍ୟ ଆପଣମାନେ କିଛି ଅନୁମାନ କରି ନେଉଥିବେ । ୧୪୭୪ ଖ୍ରୀଷ୍ଟାବ୍ଦରେ କାଂଚି ରାଜା ଶାଲ୍ୱ ନରସିଂହ ଦେବଙ୍କୁ ଗଜପତି ମହାରାଜା ପୁରୁଷୋତ୍ତମ ଦେବ ଯୁଦ୍ଧରେ ପରାସ୍ତ କରିଥିଲେ । ଗଜପତି କାଂଚିର ଇଷ୍ଟଦେବତା ଗଣେଶଙ୍କୁ ସାକ୍ଷୀଗୋପାଳଙ୍କ ସହ ନେଇ ଆସିଥିଲେ । ଜଗନ୍ନାଥ-ବଳଭଦ୍ର କଳା-ଧଳା ଘୋଡାରେ କାଂଚି ଅଭିଯାନରେ ଯାଇଥିଲେ ।

ସେମାନେ ପ୍ରଥମେ ଏହି ଗଣେଶଙ୍କୁ ପରାସ୍ତ କରିବା ପରେ କାଂଚି ରାଜା ପରାସ୍ତ ହୋଇଥିଲେ । ଏହି ଗଣେଶଙ୍କୁ ଭଣ୍ଡ ଗଣେଶ, କାମଦ ଗଣେଶ, ଗୌର ଗଣେଶ, ଉଚ୍ଛିଷ୍ଟ ଗଣେଶ, କାଂଚି ବିଜୟ ଗଣେଶ ବୋଲି କୁହାଯାଏ ।

ଗଣେଶଙ୍କ ଜାନୁ ଦେଶରେ ଉପବିସ୍କା ଦେବୀ ଦ୍ୱିହସ୍ତା ନାନା ଅଳଙ୍କାର ଭୂଷିତା ବିଘ୍ନେଶ୍ୱରୀ/ସିଦ୍ଧଦେବୀ ଅଟନ୍ତି । ଚର୍ତୁଭୂଜ ବିଶିଷ୍ଟ ଏହି ଠାକୁରଙ୍କ ଉଚ୍ଚତା ପାଖାପାଖି ୫ ଫୁଟ ହେବ । ଏହାସହ ଠାକୁରଙ୍କ ଗଠନ ଅତ୍ୟନ୍ତ କମନୀୟ ଓ ଆକର୍ଷଣୀୟ । ଡାହଣ ପଟ ଉପର ହସ୍ତରେ ଅର୍ଦ୍ଧ ଭଗ୍ନ ଦନ୍ତ, ତଳ ହସ୍ତରେ ରୁଦ୍ରାକ୍ଷ ମାଳ, ବାମ ପଟ ଉପର ହସ୍ତରେ ଫାର୍ଶା ରହିଛି ।

ତେବେ ସବୁଠାରୁ ବିବାଦୀୟ ସଙ୍କେତ ହେଲା ଆଉ ଏକ ହସ୍ତଟି ତଳ ଅଙ୍ଗ ଦେଶରେ ରହିଛି । ସେହିପରି ତାଙ୍କ ଶୁଣ୍ଢ ବାମ ଜଙ୍ଘରେ ବସିଥିବା ଜଣେ ସଖୀଙ୍କ ପାଟି ଭିତରେ ରହିଛି । ଗଳାରେ ପଇତା ଓ ସର୍ପ । ମନ୍ଦିର ବେଢ଼ା ପତନଠାରୁ ୨୨ ଫୁଟ ଉଚ୍ଚତା ବିଶିଷ୍ଟ ।

ପୌରାଣିକ କଥା ଅନୁସାରେ ଯୁଦ୍ଧ କ୍ଷେତ୍ରରେ କାଂଚି ଗଣେଶଙ୍କୁ ହରାଇବା ପାଇଁ ଜଗନ୍ନାଥ ତାଙ୍କ ଘୋଡାକୁ ବିଲେଇ ରୂପରେ ପରିଣତ କରି ଦେଇଥିଲେ । ଏହା ଦେଖି ତାଙ୍କ ବାହନ ମୂଷା ହଡବଡେଇ ଯାଇଥିଲା । ଗଣେଶ କାରଣ ଅନୁଧ୍ୟାନ କରିବାରୁ ଜାଣିଥିଲେ ମହାପ୍ରଭୂ ଜଗନ୍ନାଥ ଓ ବଳଭଦ୍ର ପୁରୀ ରାଜାଙ୍କ ତରଫରୁ ଲଢ଼ୁଛନ୍ତି । ସେ ଏହାପରେ ଯୁଦ୍ଧରୁ ଓହରିଯିବା ସହ ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ଏହି ଗଣେଶଙ୍କୁ ତନ୍ତ୍ର ସାଧକଙ୍କ ଦେବତା ଭାବେ ବିବେଚନା କରାଯାଏ । ଏଠାରେ ଉଲ୍ଲେଖଯୋଗ୍ୟ ପୁରୀକୁ ବଡ ବଡ ତାନ୍ତ୍ରିକ ମାନେ ଆସିଲେ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଯିବାକୁ ଭୟ କରନ୍ତି । ଏହାର କାରଣ ଏହା ଏକ ତନ୍ତ୍ର ପୀଠ ହୋଇଥିବାରୁ ତାଙ୍କ ବିଦ୍ୟା ହରଣ ହୋଇଯିବ ।

Leave A Reply

Your email address will not be published.