Latest Odisha News

BREAKING NEWS

ଶୁଭାରମ୍ଭ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ଆଜି ଅଙ୍କୁରପୂଜନ

ପୁରୀ: ଶ୍ରୀମଣ୍ଡିତ ହୋଇଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ହେବ ଅଙ୍କୁରପୂଜନ। ଯଜ୍ଞ କାର୍ଯ୍ୟ ପାଇଁ ସରିଛି ଆଚାର୍ଯ୍ୟ ବରଣ । ଶ୍ରୀନଅର ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟ ବରଣ କରିବା ସହ ଗୁଆ ଟେକିଛନ୍ତି । ଏହା ପରେ ଅଙ୍କୁରରୋପଣ ହୋଇଛି । ଆଜି ଦିନ ୧୧ ଟାରୁ ରାତି ୮ ଟା ଯାଏଁ ଅଙ୍କୁର ପୂଜନ ହେବ ।

ଶୁକ୍ରବାରଠାରୁ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯଜ୍ଞ ପ୍ରକ୍ରିୟା । ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ମଙ୍ଗଳାରୋପଣ ସମାପନ କରାଯାଇଥିଲା । ପୂଜା ବିଧି ସମ୍ପନ୍ନ ପରେ ଗୁଆ, ପଇତା, ନଡିଆ, ମୁଦି, ପାତ୍ର ଓ ଯଜ୍ଞ ପାଇଁ ପାତ୍ରୀ, ପ୍ରଧାନ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ ଗଜପତି ମହାରାଜା । ଶ୍ରୀହସ୍ତରେ ଏହି ଭବ୍ୟ ଓ ଦିବ୍ୟ ଗୁଆ, ନଡିଆ ପଇତା ଆଦି ପ୍ରଥମେ ପ୍ରଧାନ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ ଗଜପତି । ପରେ ପ୍ରଧାନାଚାର୍ଯ୍ୟ ଗଜପତିଙ୍କ ପ୍ରତିନିଧି, ପ୍ରଚାରକ, ପୁସ୍ତାକାଚାର୍ଯ୍ୟ, ମଣ୍ଡଳାଚାର୍ଯ୍ଯ, ଶ୍ରୀମନ୍ଦିର ପୁରୋହିତ, ଆଚାର୍ଯ୍ୟ, ସଂଯୋଜକଙ୍କୁ ବରଣ କାର୍ଯ୍ୟ ସମାପନ କରାଯାଇଥିଲା । ପୂର୍ବରୁ ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ କରାଯାଇଥିଲା ।

୧୫ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନ ହେବ । ସେଦିନ ସକାଳ ସାଢ଼େ ୭ ଟାରୁ ୧ ଟା ମଧ୍ୟରେ ଅଖଣ୍ଡଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ଵାରା ବ୍ରାହ୍ମଣ ବରଣ ଓ ମଣ୍ଡଳପୂଜନ ହେବ । ଏହାସହ ଶ୍ରୀମନ୍ଦିର ଚାରିଦୁଆରରେ ବେଦ ପାରାୟଣ ଓ ଅନ୍ତଃପ୍ରଦିକ୍ଷଣ ପଥରେ ନାମ ସଂକୀର୍ତ୍ତନ ହେବ । ସେହିପରି ୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ଶାଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ ହେବ । ୧୭ ତାରିଖ ବୁଧବାର ସକାଳ ୭ ଟା ରୁ ଆରମ୍ଭ ହୋଇଯିବ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ । ଅପରହ୍ନ ୧.୧୫ ରୁ ୧.୩୦ ମଧ୍ୟରେ ଶୁଭ ମୁହୂର୍ତ୍ତରେ ପ୍ରକଳ୍ପ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଦିନ ୧.୩୦ ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଯଜ୍ଞ ପୂର୍ଣ୍ଣାହୂତି ଦେବେ । ଅପରାହ୍ନ ୩ ଟା ପରେ ପରିକ୍ରମା ମାର୍ଗକୁ ଯାଇପାରିବେ ଶ୍ରଦ୍ଧାଳୁ ।

ଏହି ଭବ୍ୟ ଆୟୋଜନରେ ୧୦୮ଜଣ ବ୍ରାହ୍ମଣ ଯୋଗଦେବେ। ୬୦ଜଣ ଚାରିଦ୍ବାରରେ ବେଦପାଠ କରିବେ ଓ ୪୮ଜଣ ମହାଯଜ୍ଞରେ ଯୋଗଦେବେ। ୧୦୮ ଯେହେତୁ ଏକ ପୂର୍ଣ୍ଣାଙ୍ଗ ଅର୍ଥକୁ ବୁଝାଉଛି, ସେ ଦୃଷ୍ଟିରୁ ୧୦୮ ବ୍ରାହ୍ମଣଙ୍କୁ ଏଥିରେ ସାମିଲ୍‌ କରାଯାଇଛି। ଏଥିପାଇଁ ପୁରୀର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।

 

Leave A Reply

Your email address will not be published.