ଭୁବନେଶ୍ଵର: ଆପଣ କେବେ କାଇ ଚଟଣୀ ଖାଇଛନ୍ତି କି? ନିକଟରେ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କୁରୁକୁଟିକୁ ମିଳିଥିଲା GI ମାନ୍ୟତା । ଏହାକୁ ନାଲି ପିମ୍ପୁଡି ଚଟଣୀ କିମ୍ବା କାଇ ପିମ୍ପୁଡି ଚଟଣୀ ମଧ୍ୟ କୁହାଯାଏ । ଜଙ୍ଗଲଜାତୀୟ ଦ୍ରବ୍ୟ ମଧ୍ୟରୁ ଏହା ଅନ୍ୟତମ । କାରଣ ଏହି ପିମ୍ପୁଡିକୁ ଜଙ୍ଗଲରୁ ସଂଗ୍ରହ କରାଯାଇଥାଏ । ବହୁ ପୁରାତନ କାଳରୁ ଆଦିବାସୀମାନେ କାଇ ପିମ୍ପୁଡିକୁ ଖାଦ୍ୟ ରୂପେ ବ୍ୟବହାର କରିଆସୁଛନ୍ତି । କାଇ ପିମ୍ପୁଡିକୁ ଚଟଣୀ କରି ସୁସ୍ଵାଦୁ ଖାଦ୍ୟ ଭାବରେ ପ୍ରସ୍ତୁତ କରାଯାଏ । ତେବେ ଆସନ୍ତୁ ଜାଣିବା କାଇ ଚଟଣୀ ଶରୀର ପାଇଁ କେମିତି ହିତକର ।
ବହୁମୂଲ୍ୟ ପ୍ରୋଟିନ୍, କ୍ୟାଲସିୟମ୍, ଜିଙ୍କ, ଭିଟାମିନ୍ , ଆଇରନ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ସୋଡିୟମ୍, ତମ୍ବା, ଫାଇବର ଭରପୂର ଏହି ସୁଗନ୍ଧିତ ଖାଦ୍ୟ ପଦାର୍ଥ ରୋଗ ପ୍ରତିରୋଧକ ଶକ୍ତି ଓ ରୋଗକୁ ଦୂରେଇ ରଖିବା ପାଇଁ ଜଣାଶୁଣା। ଏହି ଚଟଣୀ ହୃଦୟରୁ ଆରମ୍ଭ କରି ମସ୍ତିଷ୍କ ପର୍ଯ୍ୟନ୍ତ ସମସ୍ତ ସମସ୍ୟା ଦୂର କରିଥାଏ । ବିଭିନ୍ନ ପ୍ରକାରର ପେଟ ରୋଗରୁ ଶରୀରକୁ ଦୂରେଇ ରଖେ କାଇ ଚଟଣୀ । ତା’ଛଡା ଶୀତ ଦିନେ ଏହି ଚଟଣୀକୁ ଖାଇବା ଦ୍ଵାରା ଅନେକ ରୋଗ ଭଲ ହୋଇଥାଏ ।ମୟୂରଭଞ୍ଜର ଆଦିବାସୀମାନେ ଫ୍ଲୁ, ସାଧାରଣ ଥଣ୍ଡା, କାଶରୁ ମୁକ୍ତି ପାଇବା ପାଇଁ ଆଖିର ଦୃଷ୍ଟିଶକ୍ତି ବଢ଼ାଇବା ପାଇଁ ଓ ଗଣ୍ଠି ଯନ୍ତ୍ରଣା, ପେଟ ରୋଗ ପାଇଁ ଅତ୍ୟାବଶ୍ୟକୀୟ ଚିକିତ୍ସା ପାଇଁ କାଇ ଚଟଣୀ କିମ୍ବା ସୁପ୍ ଖାଇଥା’ନ୍ତି । ଆଦିବାସୀ ମାନେ ସଂଗୃହିତ କାଇକୁ ଶୁଦ୍ଧ ସୋରିଷ ତେଲରେ ବୁଡ଼ାଇ ତେଲ ମଧ୍ୟ ପ୍ରସ୍ତୁତ କରନ୍ତି। କିଛି ଦିନ ପରେ, ଏହି ତେଲ ଶିଶୁ ତେଲ ଭାବରେ ବ୍ୟବହୃତ ହୁଏ ଯାହା ଚର୍ମ ରୋଗରୁ ଉପଶମ ପାଇଁ ବ୍ୟବହୃତ ହୁଏ।
କାଇ ପିମ୍ପୁଡି ଜଙ୍ଗଲର ଶାଳ ଏବଂ କରଞ୍ଜ ଗଛ ମାନଙ୍କରେ ରହିଥାନ୍ତି । ଥଣ୍ଡା ଦିନରେ ଏହା ଅଧିକ ଦେଖା ଯାଉଥିବା ବେଳେ ଆଦିବାସୀ ସମ୍ପ୍ରଦାୟର ଲୋକେ ଏହାକୁ ଖାଦ୍ୟ ଓ ଔଷଧ ଭାବେ ବ୍ୟବହାର କରନ୍ତି । ଆଦିବାସୀ ସମାଜର ଲୋକ ଗଛରୁ ଏହି କାଇ ପିମ୍ପୁଡିକୁ ଖୋଜି ଆଣି ଏହାକୁ ପଥରେରେ ବାଟି ଥାଆନ୍ତି । ପରେ ଏଥିରେ ଲୁଣ, ଲଙ୍କା, ଅଦା ଓ ରସୁଣକୁ ମିଶାଇ ଭଲରେ ବାଟି ଥାଆନ୍ତି । ତା’ପରେ ତାହାକୁ ଭାତ ହେଉ କି ରୁଟି ସବୁଥିରେ ଖାଇଥାଆନ୍ତି । ଏହାକୁ ଆଦିବାସୀ ମାନେ କୁରକୁଟି କହିଥାନ୍ତି।