Latest Odisha News

ସାଢେ ୭ ଘଣ୍ଟାରେ ହେଲା ଅଳଙ୍କାର ସ୍ଥାନାନ୍ତରଣ, ଭିତରେ ନାହିଁ କୌଣସି ଗୁପ୍ତ ସୁଡ଼ଙ୍ଗ

ପୁରୀ: ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରଣ କରି ଶ୍ରୀମନ୍ଦିରରୁ ବାହାରିଲେ ୧୧ ଜଣିଆ ଟିମ୍‌ । ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ଲାଗିଲା ସାଢ଼େ ୭ ଘଣ୍ଟା ସମୟ । ସକାଳ ୯ଟା ୫୧ରେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ । ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହେଲା ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

ଅନ୍ୟପଟେ ରତ୍ନଭଣ୍ଡାରରେ କଣ ସବୁ ଅଛି ବୋଲି ପଚାରିବାରୁ ତାହା ଆମେ କହିବୁ ନାହିଁ ବୋଲି ସିଧାସଳଖ କହିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ । ଆପଣଙ୍କ ଘରେ କଣ ସବୁ ଅଳଙ୍କାର ଅଛି, ତାହା ଆପଣ କାହାକୁ କହିନଥାନ୍ତି । ସେମିତି ମହାପ୍ରଭୁଙ୍କର କଣ ଅଳଙ୍କାର ଅଛି, ତାକୁ ଆମେ ପ୍ରକାଶ କରିବୁ ନାହିଁ । ଏନେଇ ଆମେ ସମସ୍ତ ସଦସ୍ୟ ମହାପ୍ରଭୁଙ୍କ ନାଁରେ ଶପଥ ନେଇଛୁ । ଯାହା ଦେଖିଛୁ ତାହା ଆମ ମୁଣ୍ଡକୁ ଯିବ, କିନ୍ତୁ ତୁଣ୍ଡରୁ ବାହାରିବ ନାହିଁ ବୋଲି କହିଛନ୍ତି ଜଷ୍ଟିସ ରଥ ।

ଜଷ୍ଟିସ ରଥ ଆହୁରି ମଧ୍ୟ କହିଛନ୍ତି ଯେ, ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି କୌଣସି ଗୁପ୍ତ ସୁଡ଼ଙ୍ଗ ନାହିଁ । ଗୁପ୍ତ ଭଣ୍ଡାର କି ଗୁପ୍ତ ସୁଡ଼ଙ୍ଗ ଭଳି କିଛି ଜିନିଷ ଆମେ ଦେଖିପାରିଲୁନି । ଗୁପ୍ତ ଭଣ୍ଡାର, ସୁଡ଼ଙ୍ଗ ହେଉଥିବା ଚର୍ଚ୍ଚା ତଥ୍ୟ ପର୍ଯ୍ୟବଷିତ ନୁହେଁ । ତଥାପି ଯଦି ଏ ବିଷୟରେ ଆଲୋଚନା ହେଉଛି, ତେବେ ଲେଜର ସ୍କାନିଂ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବୁ । ଏସ୍‌ଓପିରେ ଏନେଇ ବ୍ୟବସ୍ଥା ନଥିବାରୁ ସରକାରଙ୍କୁ ଅନୁରୋଧ କରିବୁ । ଲେଜର ସ୍କାନିଂ ପାଇଁ ସରକାରଙ୍କୁ ଅନୁରୋଧ କରିବୁ । ସରକାର ଏନେଇ ଅନୁମତି ଦେଲେ ଲେଜର ସ୍କାନିଂ ପାଇଁ ଆଗେଇବୁ । ସ୍କାନିଂର ଆବଶ୍ୟକତା ପଡ଼ିଲେ, ସରକାରଙ୍କ ଅନୁମତିରେ କରାଯିବ ବୋଲି କହିଛନ୍ତି ଜଷ୍ଟିସ ରଥ ।

ସେହିପରି ଭିତର ରତ୍ନଭଣ୍ଡାର ସଂପର୍କରେ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି ଯେ, ଭିତର ରତ୍ନଭଣ୍ଡାରରେ ମୋଟ ୭ଟି ସିନ୍ଦୁକ ଓ ଆଲମାରୀ ଥିଲା । ୩ଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା ଥିଲା । ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଥିଲା । ସମସ୍ତ ଆଲମାରି ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର ହୋଇଥିଲା । ଯେଉଁ ସିନ୍ଦୁକରେ ଯେମିତି ଯାହା ଥିଲା, ସେମିତି ସେହି କ୍ରମରେ ରଖାଯାଇଥିଲା । ଏସ୍‌ଓପି ଅନୁଯାୟୀ ସମସ୍ତ ନୂଆ କଣ୍ଟେନରରେ ତାଲା ପକାଯାଇଥିଲା ବୋଲି କହିଛନ୍ତି ଜଷ୍ଟିସ ରଥ ।

Comments are closed.