Latest Odisha News

BREAKING NEWS

‘ସମ୍ବଲପୁର’ ଛାଡ଼ି ଦେବ କି ବିଜେଡି ?

ଭୁବନେଶ୍ୱର: ମନ୍ତ୍ରୀପଦରୁ ରୋହିତ ପୂଜାରୀଙ୍କୁ ବାଦ ଦିଆଯିବା ପରେ ଏହାକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏମିତି ଅପ୍ରତ୍ୟାଶିତ ଭାବେ ରୋହିତଙ୍କୁ ବାଦ ଦିଆଯିବା ରାଜନୈତିକ ମହଲକୁ ଚକିତ କରିଛି।

ଏଭଳି ସ୍ଥିତିରେ ସମ୍ବଲପୁର ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ପଶ୍ଚିମ ଓଡିଶାର ପ୍ରମୁଖ ଜିଲ୍ଲା ସମ୍ବଲପୁର ଏବେ ମନ୍ତ୍ରୀଶୂନ୍ୟ। ରୋହିତ ପୂଜାରୀଙ୍କୁ ବାଦ ଦିଆଯିବା ପରେ ଏବେ ଏହି ପ୍ରମୁଖ ଜିଲ୍ଲାରୁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ କେହି ମନ୍ତ୍ରୀ ନାହାନ୍ତି।

ଆଗକୁ ନିର୍ବାଚନ ଆସୁଛି। ଏପରିକି ସମ୍ବଲପୁର ଜିଲ୍ଲାରେ ବିଜେପି ଦୃଢ଼ ସ୍ଥିତିରେ ରହିଛି। ସମ୍ବଲପୁର ବିଧାନସଭା କ୍ଷେତ୍ରରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ବିଧାୟକ ଅଛନ୍ତି।

ପଶ୍ଚିମ ଓଡିଶାକୁ ଫୋକସ କରି ବିଜେପି ସମ୍ବଲପୁରର ଦବଙ୍ଗ ବିଧାୟକ କୁହାଯାଉଥିବା ଆଗ୍ରେସିଭ ନେତା ଜୟ ନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା କରିଛି। ସମ୍ବଲପୁରରେ ଜୟ ନାରାୟଣଙ୍କର ସଂଗଠନ ବେଶ ଭଲ। ତେଣୁ ଏଭଳି ସ୍ଥିତିରେ ସମ୍ବଲପୁର ଜିଲ୍ଲାର ଟାଣୁଆ ଯୁବ ନେତା ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେଵା ଶାସକ ଦଳକୁ ସେଠାରେ ଦୁର୍ବଳ କରିବ ନାହିଁ ତ ବୋଲି ପ୍ରଶ୍ନ ଉଠିଛି।

ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଥିବା ସାତୋଟି ବିଧାନସଭା କ୍ଷେତ୍ର ମଧ୍ୟରୁ ଚାରୋଟି ବିଜେଡି ଜିତିଥିବା ବେଳେ ତିନୋଟିରେ ବିଜେପି ଜିତିଛି। ଏପରିକି ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୨୦୧୯ ନିର୍ବାଚନରେ ବିଜେପି ଜିତିଛି।

ଏବେ ରାଜନୈତିକ ଚିତ୍ର ବଦଳୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗାମୀ ଲୋକସଭା ନିର୍ବାଚନରେ ସମ୍ବଲପୁର କିମ୍ବା ଢେଙ୍କାନାଳରୁ ପ୍ରାର୍ଥୀ ହୋଇପାରନ୍ତି। ତେଣୁ ଉଭୟ ନିର୍ବାଚନ ମଣ୍ଡଳୀକୁ ଏବେ ଗୁରୁତ୍ୱ ଦିଆଯାଉଛି।

ଯେଉଁଥିପାଇଁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ତେଣୁ ଆଗମୀ ନିର୍ବାଚନରେ ସମ୍ବଲପୁର ରାଜନୈତିକ ଦୃଷ୍ଟିକୋଣରୁ ବହୁ ଗୁରୁତ୍ୱ ରଖୁଥିବା ବେଳେ ବିଜେଡି ପାଇଁ ଏ କ୍ଷେତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

କଂଗ୍ରେସ ମଧ୍ୟ ନିର୍ବାଚନ ପୂର୍ବରୁ ସମ୍ବଲପୁରକୁ ଫୋକସ କରୁଛି। ପିସିସି ସଭାପତି ଖୋଦ ପଶ୍ଚିମ ଓଡିଶାର ହୋଇଥିବା ବେଳେ ଗତ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ି ହାରିଥିଲେ। କିନ୍ତୁ ଏବେ ଦଳ ପକ୍ଷରୁ ସମ୍ବଲପୁର ଜିଲ୍ଲା ସଭାପତି ପରିବର୍ତ୍ତନ କରାଯାଇଛି। ରେଢ଼ାଖୋଲର ଟାଣୁଆ ନେତା ଆସଫ ଅଲ୍ଲୀ ଖାନଙ୍କୁ ଜିଲ୍ଲା ସଭାପତି କରାଯାଇଛି।

ତେଣୁ ସମ୍ବଲପୁର ଉପରେ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଫୋକସ କରିଥିବା ବେଳେ ଆସନ୍ନ ନିର୍ବାଚନ ପୂର୍ବରୁ ଜିଲ୍ଲାର ଟାଣୁଆ ଯୁବ ନେତା ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ପଦରୁ ବିଦା କରିବା ଦଳ ପାଇଁ ବୁମେରାଙ୍ଗ ହେବନି ତ ବୋଲି ଚର୍ଚ୍ଚା ହେଉଛି।

ରୋହିତଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେବାର ଉଦେଶ୍ୟ କଣ ଓ ଏହା ପରେ ଦଳ ସମ୍ବଲପୁରରେ ଆଗକୁ କେଉଁ ରଣନୀତି ନେଇ ଆଗକୁ ବଢିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Comments are closed.