Latest Odisha News

ଉପକୂଳରେ ଗୁଳୁଗୁଳି, ଜଳୁଛି ପଶ୍ଚିମ ଓଡ଼ିଶା; ୮ ସହରରେ ୪୪ ଡେଇଁଲା ପାରଦ

ଭୁବନେଶ୍ୱର: ଅସହ୍ୟ ଗରମରେ ଜଳୁଛି ପଶ୍ଚିମ ଓଡ଼ିଶା । ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଉପକୂଳବାସୀ । ଆଜି ପଶ୍ଚିମ ଓଡ଼ିଶାର ୮ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୨୦ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି ।

ଝାରସୁଗୁଡ଼ାରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୪.୬ ଡିଗ୍ରୀ, ବୌଦ୍ଧରେ ୪୪.୬ ଡିଗ୍ରୀ, ସୋନପୁରରେ ୪୪.୫ ଡିଗ୍ରୀ, ବରଗଡ଼ରେ ୪୪.୪ ଡିଗ୍ରୀ, ବଲାଙ୍ଗିରରେ ୪୪.୩ ଡିଗ୍ରୀ, ହୀରାକୁଦରେ ୪୪.୨ ଡିଗ୍ରୀ, ସୁନ୍ଦରଗଡ଼ରେ ୪୪.୧ ଡିଗ୍ରୀ, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ହିଟୱେଭ୍ ନେଇ ୧୧ରୁ ୧୪ ତାରିଖ ଯାଏ ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼଼ା, ସୋନପୁର, ବଲାଙ୍ଗିର, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି । ୧୫ ତାରିଖରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ନେଇ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦି ଜିଲ୍ଲାକୁ ଆଲର୍ଟ କରାଯାଇଛି ।

ଆଗାମୀ ୪ ଦିନ ଯାଏ ଦିନର ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୪ ଦିନ ପରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ । ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଉପରେ ରହିବ । ଗରମ ଓ ଗୁଳୁଗୁଳି ଆହୁରି ୪ ଦିନ ଯାଏ ଲାଗି ରହିବ । ପାଣିପାଗ ବିଭାଗ ପକ୍ଷରୁ ଆଜିର ଆକଳନ ଅନୁସାରେ, ରାଜ୍ୟରେ ହିଟୱେଭ୍ ସ୍ଥିତି ୧୪ ତାରିଖ ଯାଏ ଲାଗି ରହିବ । ୧୫ରୁ ହେବ କାଳବୈଶାଖୀ ବର୍ଷା ।

Leave A Reply

Your email address will not be published.