Latest Odisha News

ରଚୀନଙ୍କ ମୁହଁରେ ବାଜିଲା ବଲ, ଷ୍ଟାଡିୟମ ନବୀକରଣ ନେଇ ପାକିସ୍ତାନକୁ ସମାଲୋଚନା

ଲାହୋର: ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ୩ଟି ଷ୍ଟାଡିୟମର ନବୀକରଣ କରିଛି । ଏଥିପାଇଁ ଆବଶ୍ୟକତାଠାରୁ ଅଧିକ ସମୟ ପିସିବି ନେଇଥିଲା । ଏହା ସତ୍ୱେ ଷ୍ଟାଡିୟମର ନବୀକରଣ ସନ୍ତୋଷଜନକ ହୋଇ ନ ଥିବା ଜଣାପଡିଛି । ଶନିବାରଠାରୁ ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ନେଇ ତ୍ରିରାଷ୍ଟ୍ରୀୟ ଦିନିକିଆ ସିରିଜ ଆରମ୍ଭ ହୋଇଛି । ଗଦାଫି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ-ପାକିସ୍ତାନ ମ୍ୟାଚ ଅବସରରେ ଷ୍ଟାଡିୟମରେ ବଡ ଅଘଟଣ ଘଟିଛି । ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି ରଚୀନ ରବୀନ୍ଦ୍ର ଫିଲ୍ଡିଂ କରୁଥିବା ସମୟରେ ତାଙ୍କ ମୁହଁରେ ବଲ ବାଜିଥିଲା । ପ୍ରବଳ ରକ୍ତ ବାହାରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ନିଆଯାଇଥିଲା ।

ଷ୍ଟାଡିୟମରେ ଫ୍ଲଡ ଲାଇଟ୍ସ ଆବଶ୍ୟକତାଠାରୁ କମ ଉଚ୍ଚତାରେ ଲଗା ଯାଇଥିବାରୁ ଏହି ଅଘଟଣ ଘଟିଥିବା କୁହାଯାଉଛି । ଏହା ପରେ ପାକିସ୍ତାନର ଚାମ୍ପିୟନ୍ସ ଟ୍ରଫି ପ୍ରସ୍ତୁତି ନେଇ ପ୍ରଶ୍ନ ଉଠାଯାଇଛି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ୭୮ ରନରେ ପାକିସ୍ତାନକୁ ପରାସ୍ତ କରିଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୩୩୧ ରନର ଟାର୍ଗେଟ ପାକିସ୍ତାନ ସମ୍ମୁଖରେ ରଖିଥିଲା । ପାକିସ୍ତାନ ୪୭.୫ ଓଭରରେ ୨୫୨ ରନ କରି ଅଲଆଉଟ ହୋଇ ଯାଇଥିଲା । ସୂଚନାଯୋଗ୍ୟ, ସୁରକ୍ଷା ଦୃଷ୍ଟିକୋଣରୁ ଚାମ୍ପିୟନ୍ସ ଟ୍ରଫି ମୁକାବିଲାରେ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ ।

Comments are closed.