ରାଧାଚୂଡ଼ା: ଏକ ପ୍ରେମକବିତା
ରତ୍ନମାଳା ସ୍ୱାଇଁ
ଝର୍କା ଖୋଲିଲେ ରାଧାଚୂଡ଼ା !
ସବୁ ଉତ୍ତେଜନାର ଲାଲ ରଙ୍ଗ
କୃଷ୍ଣଚୂଡ଼ା ନେଇଗଲା ପରେ
ପ୍ରତୀକ୍ଷାର ନିଥରପଣ
ହଳଦିଆ ରଙ୍ଗ ହୋଇ ଝୁଲୁଥାଏ
ରାଧାଚୂଡ଼ା ଫୁଲର ଦେହରେ !
ଯେମିତି ଆପେକ୍ଷାରତା କୁଆଁରୀର
ହଳଦୀମଖା ଦେହ
କି ଅଳତାର ଅପେକ୍ଷାରେ
ପ୍ରତୀକ୍ଷାରତା ରାଧାର ଆତୁର ପାଦ !
ଝର୍କା ଖୋଲିଲେ ରାଧାଚୁଡ଼ା !
ଫୁଲର ମହୋତ୍ସବ ନା ପ୍ରତୀକ୍ଷାର ?
ରାଧାଟିଏ ନହେଲେ କି
ରାଧାଚୂଡ଼ା ଦେଖିହୁଏ?
ରାଧାଟିଏ ହେବାକୁ ଭଲା
କାହା ପାଖେ ଏତେ ସମୟ ଥାଏ?
ଏଇନା ଝର୍କା ବନ୍ଦ କରି
ଅଫିସ ଯିବାକୁ ହେବ !
ଘଂଟାର ନାଲିଆଖି,
ଜଞ୍ଜାଳରେ ରକ୍ତାକ୍ତ ହେବାକୁ ଏବେ,
ହଳଦିଆ ହସଟିଏ ନେଇ
ସାମ୍ନା କରିବାକୁ ହେବ ସମୟକୁ !
ଗଛ ପରି ବୟସ ବି ବଢେ
ସମୟ ଶିଥିଳ କରେ ରକ୍ତର ଲାଲିମା
ବୟସ ଛୁଆଁରେ
ଦିନକୁଦିନ କ୍ଷୟହୁଏ ଯୌବନ ଗରିମା !
ଆଜିକାଲି ଏମିତି ବି ମନେହୁଏ
ଧମନୀରେ ବହୁଥିବା ରକ୍ତସବୁ ମୋର
ଏତେ ବେଶୀ ଲାଲ ନୁହେଁ !
ଏବେ ନିଜ ସହ ଦୈବାତ ଭେଟହେଲେ, ମନେହୁଏ
ସବୁତକ ଲାଲ ରଙ୍ଗ ବୋଧେ
କୃଷ୍ଣଚୂଡ଼ା ନେଇଛି ଚୋରେଇ,
ଛାତି ତଳେ ଉତ୍ତେଜନା
ପ୍ରେମ ଆଉ ଅବିରକ୍ତ ଦିନସବୁ
ବୟସ ଛୁଆଁରେ ଯାଏ ହଳଦିଆ ହୋଇ !
ଏବେ ଝର୍କା ଖୋଲିଲେ ରାଧାଚୂଡ଼ା !
କାହା ପାଇଁ ତାର ଏଇ
ହଳଦିଆ ହସ?
ପ୍ରତୀକ୍ଷା କି ଥାଏ ତାର
ଏଯାଏଁ ଫେରିନଥିବା ମନୋଇ ମଧୁମାସ !
ନା ପେନ୍ଥାପେନ୍ଥା ଫୁଲସବୁ ନେଉଥାନ୍ତି
ଵ୍ୟର୍ଥତାର ଉଷ୍ଣ ଦୀର୍ଘଶ୍ୱାସ !
……………….
ଡ୍ରିମଜ ଭିଲ୍ଲା, ପ୍ଲଟ ନ-12, ଭି.ଆଇ.ପି. ଏରିଆ,
ଆଇ.ଆର.ସି. ଭିଲେଜ, ଭୁବନେଶ୍ୱର-751015
Comments are closed.