Latest Odisha News

BREAKING NEWS

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ ଓ ଶ୍ରୀସୁଦର୍ଶନଦେବଙ୍କ ଚାରି ଆଶ୍ରମ ବିଜେ ନୀତି ପାଳିତ

”ଶ୍ରୀ ରାଧିକା ଶୁଭେ ଜାତ ଶ୍ରୀମଦ୍ ବୃନ୍ଦାବନେଶ୍ୱରୀ,
ଭାଦ୍ର ମାସେ ସୀତାଷ୍ଟମ୍ୟାଂ ମଧ୍ୟାହ୍ନ ଶୁଭଦାୟିନୀ ।”

ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ଓ ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ‘ଜନ୍ମାଷ୍ଟମୀ’ ବା ‘ହରିଜନ୍ମ’ ଇତ୍ୟାଦି ନାମରେ ପାଳନ କରାଯାଏ ଓ ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ‘ରାଧାଷ୍ଟମୀ’ ଭାବେ ପାଳନ କରନ୍ତି ଓ ସେମାନଙ୍କ ମତରେ କୃଷ୍ଣଭକ୍ତି ପ୍ରାପ୍ତିର ମାଧ୍ୟମ ଶ୍ରୀରାଧାଙ୍କ ସ୍ତୁତି ଓ ପୂଜନ ଓ

”ତପ୍ତ କାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ
ବୃସଭାନୁ ସୁତା ଦେବୀ ପ୍ରଣମାମି ହରି ପ୍ରିୟେ ।”

ବ୍ରହ୍ମବୈବର୍ତ୍ତ ପୁରାଣ ମତେ ନିତ୍ୟଶ୍ରୀରାଧା ଅଯୋନି ସମ୍ଭୂତ ଓ ଗୋକୁଳ ନିବାସୀ ସାମନ୍ତ ରାଜ ବୃଷଭାନୁଙ୍କ ପତ୍ନୀ କୀର୍ତ୍ତିଦା ପୁଷ୍କରଣୀକୁ ସ୍ନାନ କରିବାକୁ ଯିବା ସମୟରେ ଏକ ପ୍ରସ୍ଫୁଟିତ କଇଁ ଫୁଲ ଉପରେ ଶିଶୁକନ୍ୟାଟିଏ ଶୋଇଥିବା ଦେଖି ତାକୁ ଘରକୁ ନେଇ ଆସିଥିଲେ ।  କୁହାଯାଏ ଜନ୍ମଠାରୁ ତିନିଦିନ ପର‌୍ୟ୍ୟନ୍ତ ରାଧାଙ୍କ ଚକ୍ଷୁ ମୁଦ୍ରିତ ଥିଲା ଓ ଯଶୋଦାଙ୍କ କୋଳରେ ବାଳକ କୃଷ୍ଣଙ୍କୁ ଦେଖିବା ପରେ ତାଙ୍କର ଆଖି ଖୋଲିଯାଇଥିଲା ।

କୈଶୋରାବସ୍ଥାରେ ରାଧା ଚନ୍ଦ୍ରସେଣା ନାମକ ଜଣେ ନପୁସଂକ ଗୋପାଳଙ୍କୁ ବିବାହ କରିଥିଲେ ଓ ଜଟିଳା ତାଙ୍କର ଶାଶୁ ଓ ନଣନ୍ଦଙ୍କ ନାମ କୁଟିଳା । ବରସାନା ବା ତତ୍କାଳୀନ ଯାବଟ ଗ୍ରାମ ହେଉଛି ଶ୍ରୀରାଧାଙ୍କ ପିତ୍ରାଳୟ । ଗୁରୁଜନଙ୍କ ଗଞ୍ଜଣା ଶାଶୁ ନଣନ୍ଦ ଓ ସମାଜର ନିନ୍ଦା ଅପବାଦ କାହାରିକୁ ଭ୍ରୂକ୍ଷେପ ନକରି ରାଧା ଥିଲେ କୃଷ୍ଣପ୍ରେମରେ ବାତୁଳୀ ଓ ଶ୍ରୀକୃଷ୍ଣଙ୍କ ଚରଣରେ ନିଜର ସର୍ବସ୍ୱ ସମର୍ପଣ କରିଥିଲେ ରାଇ ବିନୋଦିନୀ । ବୃନ୍ଦାବନର ମହାରାସରେ ସେ ଥିଲେ ମୁଖ୍ୟ ନାୟିକା ଓ ଶ୍ରୀକୃଷ୍ଣଙ୍କ ମଥୁରା ଓ ଦ୍ୱାରକା ଗମନ ପରେ ବିରହ ବ୍ୟଥାରେ ଶ୍ରୀରାଧାଙ୍କ ବେଦନା ଥିଲା ହୃଦୟ ବିଦାରକ ।

ଶ୍ରୀକୃଷ୍ଣ ପ୍ରେମରେ ଗୋପପୁରର ସମସ୍ତ ଗୋପାଳୁଣୀ ମହତ ସାରିଥିଲେ ମଧ୍ୟ ରାସେଶ୍ୱରୀ ରାଧାଙ୍କ ଲଲଟରେ ହିଁ ଲାଗିଥିଲା କୁଲଟା ଅପବାଦ । ହେଲେ ପ୍ରିୟତମାର ମହତ ରକ୍ଷା ପାଇଁ ଶ୍ରୀକୃଷ୍ଣଙ୍କୁ ପଣ କରିଥିଲେ ଶ୍ରୀରାଧା ଓ କେବଳ ରାଧା ହିଁ କଣା ମାଠିଆରେ ପାଣି ଓ ପଦଧୂଳି ଦେଇ ପ୍ରଭୁଙ୍କ ରୋଗର ଉପଶମ କରିଥିବା ବୈଷ୍ଣବ ସାହିତ୍ୟମାନଙ୍କରେ ବର୍ଣ୍ଣନା କରାଯାଇଛି । କବି ଜୟଦେବ ନିଜର ସୁଲଲିତ “ଗୀତ ଗୋବିନ୍ଦ” କାବ୍ୟରେ ରାଧାକୃଷ୍ଣଙ୍କ ଦିବ୍ୟ ପ୍ରେମଲୀଳାର ଅପୂର୍ବ ବର୍ଣ୍ଣନା କରିଥିବା ବେଳେ ଅଭିମନ୍ୟୁ ସାମନ୍ତସିଂହାର ସ୍ୱରଚିତ “ବିଦଗ୍ଧ ଚିନ୍ତାମଣି”ରେ ଏହି ଅପ୍ରାକୃତ ପ୍ରେମଲୀଳାର ଉଚ୍ଚକୋଟୀର ବର୍ଣ୍ଣନା କରିଛନ୍ତି ।

ଶ୍ରୀରାଧାନାମ ଉଚ୍ଚାରଣରେ ସମସ୍ତ ପାପ କ୍ଷୟ ଓ କର୍ମ ସକଳ ନାଶ ହୋଇ ମନୁଷ୍ୟ ମୁକ୍ତି ପଦ ପ୍ରାପ୍ତ ହୁଏ । ଈଶ୍ୱରଙ୍କ ନିକଟତର ହୋଇଥାଏ ଓ ତେଣୁ ରାଧାଭାବକୁ ମହାଭାବ ବା ଶ୍ରେଷ୍ଠ ସାଧନ ବୋଲି ବିଚାର କରାଯାଏ । ମହାନ ବୈଷ୍ଣବ ଶ୍ରୀ ଚୈତନ୍ୟ ରାୟ ରାମାନନ୍ଦ ପଞ୍ଚ ମହାପୁରୁଷଙ୍କଠାରୁ ଏହି ମହାଭାବ ସମ୍ପର୍କରେ ଶୁଣି ତନ୍ମୟ ହୋଇପଡ଼ିଥିଲେ ଓ ତେଣୁ, ବୈଷ୍ଣବମାନେ କୃଷ୍ଣ ଉପାସନାରେ ଶ୍ରୀରାଧାଙ୍କ ଆରାଧନା କରିଥାନ୍ତି ।

”ଗୋଲକଅଧିକାରିଣୀ ଶ୍ରୀନିତ୍ୟରାଧା
ରାସୋଭବା କୃଷ୍ଣକାନ୍ତା କୃଷ୍ଣ ବକ୍ଷଃ ସ୍ଥଳସ୍ଥିତା
କୃଷ୍ଣ ପ୍ରାଣାଧୀଦେବୀଚ ମହା ବିଷ୍ଣୋଃ ପ୍ରସୂରୂପି
ସର୍ବଦ୍ୟା ବିଷ୍ଣୁମାୟାଚ ସତ୍ୟା ନିତ୍ୟା ସନାତନୀ
ବ୍ରହ୍ମ ସ୍ୱରୂପା ପରମା ନିର୍ଲିପ୍ତା ନିର୍ଗୁଣା ପରା ।”

ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି ଓ ଶ୍ରୀସୁଦର୍ଶନଦେବଙ୍କ ଚାରି ଆଶ୍ରମ ବିଜେ –
ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ରାଧାଷ୍ଟମୀ ପର୍ବ ପାଳିତ ହୋଇଥାଏ । ଏହି ଦିନ ସକାଳ ଧୂପ ବଢ଼ିଲା ପରେ ଲକ୍ଷ୍ମୀ ଠାକୁରାଣୀ (ଶ୍ରୀଦେବୀ) ଶ୍ରୀଅଙ୍ଗରୁ ଆଜ୍ଞା ମାଳ ପାଇ ଶ୍ରୀମନ୍ଦିର ସାତ ପାହାଚ ତଳେ ଥିବା ପାଲିଙ୍କିରେ ବିଜେ ହୋଇ ମହାଲକ୍ଷ୍ମୀ ମନ୍ଦିର ଜଗମୋହନରେ ପଡିଥିବା ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି । ଏଠାରେ ଶ୍ରୀଦେବୀଙ୍କର ମାଜଣା ଓ ଶୀତଳ ଭୋଗ ହୋଇ ବନ୍ଦାପନା ହୋଇଥାଏ । ତତ୍ପରେ ରତ୍ନସିଂହାସନ ଠାରେ ମଧ୍ୟାହ୍ନ ଧୂପରେ ଶ୍ରୀଦେବୀ ସିଂହାସନରେ ବିଜେ ହୁଅନ୍ତି ଓ ମଧ୍ୟାହ୍ନ ଧୂପ ଭୋଗ ବଢିଥାଏ । ମହାଜନ ସେବକମାନେ ଭୂଦେବୀ ଓ ଶ୍ରୀଦେବୀଙ୍କୁ ହସ୍ତରେ ବିଜେ କରାଇ ଖଟ ଶେଜ ଘରେ ବିଜେ କରନ୍ତି । ପୂଜାପଣ୍ଡା ସେବକ ଶ୍ରୀଅଙ୍ଗରୁ ଖଣ୍ଡିଏ ଆଜ୍ଞାମାଳ ଶ୍ରୀସୁଦର୍ଶନ ଦେବଙ୍କୁ ପ୍ରଦାନ କରିବା ପରେ ଦଇତାପତି ସେବକମାନେ ଶ୍ରୀସୁଦର୍ଶନଦେବଙ୍କୁ ବିଜେ କରାଇ ଜଗମୋହନରେ ଥିବା ଚଉଦୋଳରେ ଅଧିଷ୍ଠିତ କରିବା ସହିତ ରୁନ୍ଧା, ପାଟ ପତନୀ ଲାଗି ହୋଇଥାନ୍ତି ।

ଏହାପରେ ବିମାନବଡୁମାନେ ଶ୍ରୀସୁଦର୍ଶନଙ୍କୁ ବିଜେ କରାଇ ଝୁଲଣ ମଣ୍ଡପ ତଳେ ରଖିଥାନ୍ତି । ସେଠାରେ ସୁନା ହରିଡ଼ାମାଳି, କମରପଟି ଓ ଚୂଳ ଲାଗି ହୋଇ ବଡ଼ଦେଉଳ ବେଢାଏ ପରିକ୍ରମା କରି ସିଂହଦ୍ୱାର ବାଟେ ଶ୍ରୀ ଯମେଶ୍ୱର ମନ୍ଦିରରେ ବିଜେ କରିଥାନ୍ତି । ସେଠାରେ ପ୍ରସାଦ ଲାଗି, ଶୀତଳ ଭୋଗ ଓ ବନ୍ଦାପନା ନୀତି ହୋଇଥାଏ । ଏହିଦିନ ଶ୍ରୀ ଯମେଶ୍ୱର ମନ୍ଦିର ଗମ୍ଭୀରା ଠାରେ ଏକ ସ୍ୱତନ୍ତ୍ର ନୀତି ପାଳିତ ହୋଇଥାଏ ।

ଶ୍ରୀସୁଦର୍ଶନଦେବଙ୍କୁ ଉକ୍ତ ମନ୍ଦିର ବିଜେ ସମୟରେ ଯମେଶ୍ୱର ମହାଦେବଙ୍କ ପକ୍ଷରୁ ପୂଜାପଣ୍ଡା ଶ୍ରୀମନ୍ଦିରର ବାର୍ଷିକ ଆୟ ଆୟବ୍ୟୟ ପଢ଼ିବାର ପରମ୍ପରା ରହିଛି । ଏହିଦିନ ବାକି ୩ ଆଶ୍ରମ (ଅଙ୍ଗିରା ଆଶ୍ରମ, ଭୃଗୁ ଆଶ୍ରମ, ମାର୍କଣ୍ଡ ଆଶ୍ରମ ) ସମେତ ମୋଟ ୩୧ଟି ସ୍ଥାନରେ ଶ୍ରୀ ସୁଦର୍ଶନଦେବଙ୍କ ଉଦେଶ୍ୟରେ ପନ୍ତି ଭୋଗ ହୋଇଥାଏ । ଏହାପରେ ଶ୍ରୀସୁଦର୍ଶନ ବାହୁଡା ବିଜେ କରିଥାନ୍ତି । ଏହାପରେ ଚାରି ବାଡ଼ରେ ମହାସ୍ନାନ ନୀତି ବଢିଥାଏ ଓ ପାଳିଆ ପୁଷ୍ପାଳକ ଭୂଦେବୀ ଓ ଶ୍ରୀଦେବୀଙ୍କୁ ଆଣି ଖଟ ଶେଜ ଘରୁ ନେଇ ସନ୍ଧ୍ୟା ଆଳତି ବେଶ ଓ ଆଳତି ବଢ଼ାଇଥାନ୍ତି । ସନ୍ଧ୍ୟା ଧୂପରେ ଶ୍ରୀ ସୁଦର୍ଶନଙ୍କୁ ପ୍ରସାଦ ଲାଗି ହୋଇଥାଏ । ଏହାପରେ ବନ୍ଦାପନା ହୋଇଥାଏ। ଶ୍ରୀମନ୍ଦିରରେ ରାଧାଷ୍ଟମୀ ତିଥିରେ ଏହିପରି ବିଧି ଓ ପରମ୍ପରା ଅନୁଯାୟୀ ନୀତିମାନ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ ।

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)
Leave A Reply

Your email address will not be published.