Latest Odisha News

BREAKING NEWS

ବିଜେପି ସରକାରଙ୍କ କାର୍ଯ୍ୟଶୈଳୀକୁ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପତ୍ନୀଙ୍କ ପ୍ରଶଂସା: ଖୁବଶୀଘ୍ର ପ୍ରତିଶ୍ରୁତି ପୂରଣ କରୁଥିବାରୁ କହିଲେ ଧନ୍ୟବାଦ

କୋଲକାତା: ପଶ୍ଚିମବଙ୍ଗରେ ନବନିର୍ବାଚିତ ବିଜେପି ସରକାରଙ୍କ କାର୍ଯ୍ୟଶୈଳୀକୁ ଭୂୟସୀ ପ୍ରଶଂସା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପତ୍ନୀ ମୀରା ଭଟ୍ଟାଚାର୍ଯ୍ୟ। ନିର୍ବାଚନ ପ୍ରତିଶ୍ରୁତିଗୁଡିକୁ ଖୁବଶୀଘ୍ର କାର୍ଯ୍ୟକାରୀ କରୁଥିବାରୁ ଏହା ତାଙ୍କ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇଛି ବୋଲି ସେ କହିଛନ୍ତି।

 

ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ମୀରା କହିଛନ୍ତି ଯେ ନୂଆ ସରକାର ମାତ୍ର କିଛି ଦିନ ଭିତରେ ଯେପରି କାମ ଆରମ୍ଭ କରିଛନ୍ତି ତାହା ପ୍ରକୃତରେ ପ୍ରଶଂସନୀୟ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ ମହିଳାମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା ଭଳି କଲ୍ୟାଣକାରୀ ପଦକ୍ଷେପକୁ ସେ ସ୍ୱାଗତ କରିଛନ୍ତି। ଯିଏ ବି ରାଜ୍ୟର ବିକାଶ ପାଇଁ କାମ କରିବ ସେ ସମ୍ମାନର ଅଧିକାରୀ ବୋଲି ମୀରା ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସେ କେବେ ବ୍ୟକ୍ତିଗତ ଭାବେ ଭେଟି ନାହାନ୍ତି କିନ୍ତୁ ସେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି ଆଶାବାଦୀ ଅଛନ୍ତି।

 

ଏହି ଅବସରରେ ମୀରା ନିଜ ସ୍ୱାମୀ ତଥା ବାମପନ୍ଥୀ ସରକାରଙ୍କ ୩୪ ବର୍ଷର ଶାସନକୁ ତୃଣମୂଳ କଂଗ୍ରେସର ୧୫ ବର୍ଷର ଶାସନ ସହ ତୁଳନା କରାଯାଇପାରିବ ନାହିଁ ବୋଲି ମତ ରଖିଛନ୍ତି। ନନ୍ଦନ ଏବଂ ବିଦ୍ୟାସାଗର ସେତୁ ଭଳି ଅନେକ ଐତିହାସିକ ପ୍ରକଳ୍ପ ବାମପନ୍ଥୀ ଶାସନ କାଳରେ ହିଁ ହୋଇଥିଲା ବୋଲି ସେ ଦର୍ଶାଇଛନ୍ତି।

 

ସିଙ୍ଗୁର ବିବାଦ ପ୍ରସଙ୍ଗରେ ମଧ୍ୟ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଟାଟା ମୋଟର୍ସ ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ବଡ଼ ଭୁଲ କରିଥିଲେ ବୋଲି ଏବେ ସେମାନେ ହୃଦୟଙ୍ଗମ କରୁଛନ୍ତି। ଯଦି ସେହି କାରଖାନା ପ୍ରତିଷ୍ଠା ହୋଇଥାନ୍ତା ତେବେ ଯୁବକମାନଙ୍କୁ ବାହାରକୁ ଯିବାକୁ ପଡିନଥାନ୍ତା ଏବଂ ବଙ୍ଗଳାର ଅର୍ଥନୈତିକ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥାନ୍ତା ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ନୂଆ ସରକାର ବଙ୍ଗଳାର ହଜିଯାଇଥିବା ଗୌରବ ଫେରାଇ ଆଣିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Comments are closed.