Latest Odisha News

BREAKING NEWS

ରହସ୍ୟ: ରାକ୍ଷୀ ସାଜିଛି ରାକ୍ଷସ !

ଉତ୍ତରପ୍ରଦେଶ: ଗତକାଲି ଥିଲା ରକ୍ଷା ବନ୍ଧନ । ସାନଠୁ ବଡ, ନିଜଠୁ ଆରମ୍ଭ କରି ଧରମ ଭାଇଙ୍କୁ ରାକ୍ଷୀ ବାନ୍ଧି ଅନେକ ଭଉଣୀ ଦିନଟିକୁ ଖୁସୀରେ କାଟିଥିଲେ । ପ୍ରତିବର୍ଷ ଲୋକେ ରକ୍ଷା ବନ୍ଧନ ପାଳି ଆସୁଥିଲାବେଳେ ଭାରତର ଏମିତି ବି ଏକ ସ୍ଥାନ ଅଛି ଯେଉଁଠି ରକ୍ଷା ବନ୍ଧନର ନାଁ ଶୁଣିବା ମାତ୍ରେ ଲୋକେ ଭୟରେ ତାଟି କବାଟ ବନ୍ଦ କରିଦିଅନ୍ତି । ଏପରିକି ରାକ୍ଷୀ ଶବ୍ଦ ବି ପାଟିରେ ଧରିବାକୁ ସେମାନେ ଭୟଭୀତ ହୋଇପଡନ୍ତି ।

ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର ଭିକମ୍‌ପୁର ଜଗତ ପୁରୱା ଗାଁରେ ରାକ୍ଷୀ ପାଲଟିଛି ଅଭିଶପ୍ତ । ଏଠିକାର ଲୋକେ ରକ୍ଷା ବନ୍ଧନକୁ ଅଭିଶାପ ଭାବେ ଗ୍ରହଣ କରିନେଇଛନ୍ତି । ସେମାନଙ୍କ ବିଶ୍ୱାସ ପ୍ରତିବର୍ଷ ରକ୍ଷା ବନ୍ଧନ ସେମାନଙ୍କ ଉପରକୁ ଆଣିଥାଏ ଅଜଣା ବିପତି ।
କାହିଁକି ଜଗତ ପୁରୱା ଗାଁ ପାଇଁ ଅଭିଶପ୍ତ ପାଲଟିଛି ରକ୍ଷା ବନ୍ଧନ

ଜଗତ ପୁରୱା ଗାଁରେ ପ୍ରାୟ ୨୦ଟି ପରିବାର ରହନ୍ତି । ଏଠି ଛୋଟଠୁ ଆରମ୍ଭ କରି ବଡ, ସମସ୍ତେ ରାକ୍ଷୀଠାରୁ ଦୂରେଇ ରହନ୍ତି । ୫ ଦଶନ୍ଧି ଧରି ଏହି ଗାଁରେ କୌଣସି ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିନାହିଁ ।

ଅନୁସନ୍ଧାନରୁ ଜଣାପଡିଛି ଯେବେ ବି ଏହି ଗାଁରେ ରକ୍ଷା ବନ୍ଧନ ପାଳିତ ହୋଇଛି, ସେବେ କିଛି ନା କିଛି ଅଘଟଣ ଘଟିଛି । ଗାଁ ଲୋକଙ୍କ ଅନୁଯାୟୀ ଭାରତ ସ୍ୱାଧୀନ ହେବାର ୮ ବର୍ଷ ପରେ ୧୯୫୫ରେ ଠିକ୍ ରକ୍ଷା ବନ୍ଧନରେ ଏହି ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା । ସେହି ଘଟଣା ପରେ ରକ୍ଷା ବନ୍ଧନରେ ହିଁ ଅନେକ ଥର ଜଗତ ପୁରୱା ଗାଁରେ ବାରମ୍ବାର ଅଘଟଣ ଘଟିଥିଲା । ସେବେଠୁ ଏହି ଗାଁରେ ରକ୍ଷା ବନ୍ଧନ ପାଳନ କରିବାକୁ କେହି ସାହାସ କରିନାହାନ୍ତି ।

ରକ୍ଷା ବନ୍ଧନ ପାଳନ କରିବା ତ ଦୂରର କଥା ଏହି ଦିନ କେହି ପଦାକୁ ବି ବାହାରିନଥାନ୍ତି । ତେବେ ଗାଁ ଲୋକଙ୍କ କଥା ଅନୁଯାୟୀ ଯେବେ ଏହି ଗାଁରେ ରକ୍ଷା ବନ୍ଧନ ଦିନ କେହି ଜନ୍ମ ନେବ, ତେବେ ଯାଇ ଏହି ଗାଁ ଅଭିଶାପରୁ ମୁକ୍ତି ପାଇବ ।

Leave A Reply

Your email address will not be published.