Latest Odisha News

BREAKING NEWS

ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରି ରାହୁଲ ଗାନ୍ଧୀ ଗିରଫ

ନୂଆଦିଲ୍ଲୀ : ସିବିଆଇର ଅନ୍ତଃକନ୍ଦଳ ଦିନକୁ ଦିନ ବଢୁଥିବାବେଳେ ଶୁକ୍ରବାର ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳୀୟ କର୍ମୀ ନୂଆଦିଲ୍ଲୀସ୍ଥିତ ସିବିଆଇର ମୁଖ୍ୟ କାର୍ଯ୍ୟାଳୟରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

କେନ୍ଦ୍ରରେ ଥିବା ବିଜେପି ସରକାର ସିବିଆଇ ନିର୍ଦ୍ଦେଶକଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ତାଙ୍କ କ୍ଷମତାର ଅପବ୍ୟବହାର କରିବା ବିରୋଧରେ କଂଗ୍ରେସପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଶହଶହ ସଂଖ୍ୟାରେ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ ବେଳେ ଲୋଧି ରୋଡ ପୋଲିସ ରାହୁଲଙ୍କ ସମେତ ଅନ୍ୟ ବିରୋଧି ନେତାମାନଙ୍କୁ ମଧ୍ୟ ଗିରଫ କରି ଥାନାକୁ ନେଇଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଛାଡିଦେଇଥିବା ନେଇ ସୂଚନା ମିଳିଛି ।

ଅନ୍ୟପକ୍ଷରେ ରାହୁଲ କହିଛନ୍ତି “ ସରକାର ଯେତେଥର ତାଙ୍କ ମୁହଁ ବନ୍ଦ କଲେ ମଧ୍ୟ ସେ ସତକୁ ଲୁଚାଇ ପାରିବେ ନାହିଁ” । ଆହୁରି ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ସଭାରେ ସରକାରଙ୍କ ମନମାନି ଉପରେ ବିଷୋଦାଗାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ସିବିଆଇ ନିର୍ଦ୍ଦେଶକଙ୍କୁ ଖାଲି ବଦଳି କରିଦେଲେ ଦେଶବାସୀଙ୍କ ସହ କରିଥିବା ବିଶ୍ୱାସଘାତକତାକୁ ମୋଦି କେବେବି ଲୁଚାଇପାରିବେ ନାହିଁ ବୋଲି ଆୟୋଜିତ ବିକ୍ଷୋଭ ସଭାରେ ରାହୁଲ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ, ଅହମ୍ମଦ ପଟେଲ, ମୋତିଲାଲ ଭୋରା, ବୀରାପ୍ପା ମୋଇଲି, ଆନନ୍ଦ ଶର୍ମା, ଲୋକତାନ୍ତ୍ରୀକ ଜନତା ଦଳ ମୁଖ୍ୟ ଶରଦ ଯାଦବ, ସିପିଆଇ ନେତା ଡି ରାଜା ଏବଂ ଟିଏମସିର ନଦୀମୂଲ ହକ୍ ପ୍ରମୁଖ ମଧ୍ୟ ଏହି ବିକ୍ଷୋଭରେ ସାମିଲ ରହିଥିଲେ ।

ମୋଦି ଓ ଶାହଙ୍କ ଯୋଡି ମିଶି ଅସାମ୍ବିଧାନିକ, ଅନୀତି ଏବଂ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରୀକ ଭାବେ ସିବିଆଇ ନିର୍ଦ୍ଦେଶକଙ୍କୁ ତାଙ୍କ ପଦରୁ ହଟାଇ ଦୁର୍ନୀତି ଆରୋପ ଲଗାଇଛି । ସିବିଆଇ, ନିର୍ବାଚନ ଆୟୋଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମେତ ଅନ୍ୟ ସଂସ୍ଥା ଗୁଡିକୁ ବର୍ବାଦ କରୁଥିବା ନେଇ ରାହୁଲ ଗାନ୍ଧୀ ମୋଦିଙ୍କୁ ଦାୟୀ କରିଛନ୍ତି ।

ଦେଶର ବିଭିନ୍ନ ପ୍ରାନ୍ତରେ ଏହି ବିରୋଧ ପ୍ରଦର୍ଶନ କରାଯାଇଥିବା ନେଇ ସୂଚନା ମିଳୁଥିବା ବେଳେ ଓଡିଶାରେ ମଧ୍ୟ ସିବିଆଇ ଅଫିସ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଇତିମଧ୍ୟରେ ସୁପ୍ରିମକୋର୍ଟ ସିବିଆଇ ନିର୍ଦ୍ଦେଶକ ବର୍ମା ଓ ଆସ୍ଥାନାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପର୍କରେ ସିଭିସି ତଦନ୍ତ କାରିବାକୁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏ କେ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । “ ଆସନ୍ତା ୨ ସପ୍ତାହ ମଧ୍ୟରେ ଏହାର ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.