Latest Odisha News

ଆପ୍ ପୋଷ୍ଟରରେ ରାହୁଲ ! ଘେରିଲା ବିଜେପି, କଂଗ୍ରେସର ବି ଛାଡ଼ିଲାନି

ନୂଆଦିଲ୍ଲୀ: ନିର୍ବାଚନ ଯେତେ ପାଖେଇ ଆସୁଛି, ଆରୋପ-ପ୍ରତ୍ୟାରୋପ ସେତେ ତୀବ୍ର ହେବାରେ ଲାଗିଛି । ଦିଲ୍ଲୀ ନିର୍ବାଚନକୁ ନେଇ ପରସ୍ପର ବିରୋଧରେ ବିଷୋଦଗାର କରି ଚାଲିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ଆପ୍, ବିଜେପି ଓ କଂଗ୍ରେସ । ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ବିରୋଧରେ ଫୁଲ୍ ଦମ୍‌ରେ ମୈଦାନକୁ ଓହ୍ଲାଇଛି କଂଗ୍ରେସ । ଆଉ ଏଭଳି ସ୍ଥିତିରେ ଦିଲ୍ଲୀରେ ଆପ୍ ଯେଉଁ ପୋଷ୍ଟର ଲଗାଇଛି, ସେଥିରେ ରାହୁଲ ଗାନ୍ଧିଙ୍କୁ ବେଇମାନ୍ ଅଭିହିତ କରିଛି । ରାହୁଲ କଂଗ୍ରେସ ନେତା ସହ ବିରୋଧୀ ଦଳ ନେତା ଅଛନ୍ତି । ତଥାପି ତାଙ୍କ ବିରୋଧରେ କାହିଁକି ଏଭଳି ଅଗଣତାନ୍ତ୍ରିକ ଶବ୍ଦ ବ୍ୟବହାର କଲା ଆପ୍ ? ଏନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଆମ୍ ଆଦମୀ ପାର୍ଟି ରାହୁଲ ଗାନ୍ଧିଙ୍କୁ ବେଇମାନ୍ ଅଭିହିତ କରିଥିବା ବେଳେ ବିଜେପି ମଧ୍ୟ ଏହା ଉପରେ ଦେଇଛି ମନ୍ତବ୍ୟ । ଆପ୍ କହୁଛି, ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ କାଳେ ବିଜେପିର ବି ଟିମ୍ ହୋଇ ଉଭା ହୋଇଛି । କଂଗ୍ରେସ ବି ଆପ୍ ଓ ବିଜେପିକୁ ନେଇ ସେହି ସମାନ କଥା କହିଛି । ଆରୋପ-ପ୍ରତ୍ୟାରୋପ ମଧ୍ୟରେ ଅଭିନବ ଶୈଳୀରେ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିଛନ୍ତି । ନୂଆଦିଲ୍ଲୀ ଆସନର ବିଜେପି ପ୍ରାର୍ଥୀ ତଥା କେଜ୍ରିୱାଲଙ୍କ ପ୍ରତିଦ୍ୱନ୍ଦୀ ପରଭେଶ ବର୍ମା । ଯମୁନା ନଦୀରେ କେଜ୍ରିୱାଲଙ୍କ ପୋଟ୍ରେଟ୍ ବୁଡ଼ାଇ ଦିଲ୍ଲୀର ଆପ୍ ସରକାରକୁ ଟାର୍ଗେଟ କରିଛନ୍ତି ସେ ।

ଆସନ୍ତା ୫ ତାରିଖରେ ହେବ ଦିଲ୍ଲୀ ନିର୍ବାଚନ । କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ହାଟ୍ରିକ୍ ଲକ୍ଷ୍ୟରେ ଥିବା ବେଳେ ୨୭ ବର୍ଷ ପରେ ବିଜେପି ଏବଂ ୧୧ ବର୍ଷ ପରେ କଂଗ୍ରେସ କମବ୍ୟାକ୍ କରିବାକୁ ଚାହୁଁଛନ୍ତି । ଯେଉଁଥି ପାଇଁ ଆରୋପ-ପ୍ରତ୍ୟାରୋପ ଏବଂ ବ୍ୟକ୍ତିଗତ ଆକ୍ଷେପ-ପ୍ରତି ଆକ୍ଷେପ ଦିନକୁ ଦିନ ସୀମା ଟପିବାରେ ଲାଗିଛି ।

Comments are closed.