Latest Odisha News

BREAKING NEWS

ଛାତ୍ରଙ୍କ ଉପରେ ପେଲେଟ୍ ଗନ୍ ମାଡ଼ କଲା କିଏ?’: ଥାନା ବାହାରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ, ଶେଷରେ ଝୁଙ୍କିଲା ପୋଲିସ

ନୂଆଦିଲ୍ଲୀ: ଗତ ଜୁଲାଇ ମାସରେ ଦିଲ୍ଲୀର ଯନ୍ତରମନ୍ତରଠାରେ ଛାତ୍ର ଆନ୍ଦୋଳନ ବେଳେ ପୋଲିସର କଥିତ ପେଲେଟ୍ ଗନ୍ ଆକ୍ରମଣ ଘଟଣାକୁ ନେଇ ଆଜି ରାଜଧାନୀରେ ପ୍ରବଳ ରାଜନୈତିକ ଉତ୍ତେଜନା ଦେଖାଦେଇଛି । ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ୧୯ ବର୍ଷୀୟ ଛାତ୍ରଙ୍କ ଏଫଆଇଆର୍ (FIR) ରୁଜୁ କରିବା ଦାବିରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନୂଆଦିଲ୍ଲୀର ସଂସଦ ମାର୍ଗ ଥାନା ବାହାରେ ଧାରଣାରେ ବସିଛନ୍ତି ।

ସୂଚନା ଅନୁଯାୟୀ, ଜୁଲାଇ ୨୦ ତାରିଖରେ ଆୟୋଜିତ ଏକ ଶୋଭାଯାତ୍ରା ବେଳେ ସାହିଲ ଲୋଚବ ନାମକ ଜଣେ ଛାତ୍ର ପୋଲିସର ପେଲେଟ୍ ଗନ୍ ମାଡ଼ରେ ଗୁରୁତର ଆହତ ହୋଇଥିଲେ। ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଅନୁସାରେ, ସାହିଲଙ୍କ ଆଖିରେ ୩ଟି ଏବଂ ଶରୀରରେ ୨୦୦ରୁ ଅଧିକ ପେଲେଟ୍ ପଶିଯାଇଛି । ତାଙ୍କ ହୃତପିଣ୍ଡ ପାଖରେ ମଧ୍ୟ କିଛି ପେଲେଟ୍ ରହିଥିବାରୁ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଆଜି ରାହୁଲ ହଠାତ୍ ପୀଡ଼ିତ ସାହିଲ ଓ ତାଙ୍କ ମା’ଙ୍କୁ ଧରି ଥାନାରେ ପହଞ୍ଚିଥିଲେ। କିନ୍ତୁ ପୋଲିସ ମାମଲା ରୁଜୁ କରିବାକୁ ଆଗ୍ରହ ନ ଦେଖାଇବାରୁ ସେ ସିଧାସଳଖ ଡିସିପି ଅଫିସ୍ ବାହାରେ ଧାରଣାରେ ବସିଯାଇଥିଲେ ।

ଯେପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଏଫଆଇଆର୍ ରୁଜୁ ନହୋଇଛି, ସେ ସେଠାରୁ ହଟିବେ ନାହିଁ ବୋଲି ରୋକ୍‌ଠୋକ୍ ଶୁଣାଇଥିଲେ।

ଗଣମାଧ୍ୟମ ଆଗରେ ଛାତ୍ରଙ୍କ ଶରୀରରୁ ବାହାରିଥିବା ପେଲେଟ୍ ଗୁଡ଼ିକୁ ପ୍ରମାଣ ସ୍ୱରୂପ ଦେଖାଇ ରାହୁଲ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଶାନ୍ତିପୂର୍ଣ୍ଣ ଭାବେ ନିଜର ଦାବି ଉପସ୍ଥାପନ କରୁଥିବା ଛାତ୍ରଙ୍କ ଉପରେ ଏଭଳି ମାରଣାସ୍ତ୍ର ପ୍ରୟୋଗ କରିବା ଅତ୍ୟନ୍ତ ନିନ୍ଦନୀୟ। “ଦିଲ୍ଲୀ ପୋଲିସ କହୁଛି ଯେ ସେମାନେ ପେଲେଟ୍ ଗନ୍ ଚଳାଇ ନାହାନ୍ତି। ତେବେ ଏହି ଛାତ୍ରଙ୍କ ଉପରେ ଗୁଳି ଚଳାଇଲା କିଏ?” ବୋଲି ରାହୁଲ ପ୍ରଶ୍ନ କରିଥିଲେ। ଉପରସ୍ତରର ଚାପ ଯୋଗୁଁ ଦିଲ୍ଲୀ ପୋଲିସ ମାମଲା ରୁଜୁ କରୁନାହିଁ ବୋଲି ସେ ସିଧାସଳଖ ଆରୋପ ଲଗାଇଥିଲେ ।

ଅନ୍ୟପକ୍ଷରେ, ରାହୁଲଙ୍କ ଏହି ହାଇଡ୍ରାମା ପରେ ଦିଲ୍ଲୀ ପୋଲିସ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି । ପୋଲିସ ଅଧିକାରୀ କହିଛନ୍ତି ଯେ, ପୀଡ଼ିତଙ୍କ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି। ଜୁଲାଇ ୨୦ ତାରିଖର ସମସ୍ତ ମାମଲାର ତଦନ୍ତ ବର୍ତ୍ତମାନ କ୍ରାଇମବ୍ରାଞ୍ଚ କରୁଥିବାରୁ ଏହି ଅଭିଯୋଗକୁ ମଧ୍ୟ ଅଧିକ ତଦନ୍ତ ପାଇଁ ସେଠାକୁ ପଠାଇ ଦିଆଯିବ । ପ୍ରକାଶ ଥାଉ କି, ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ପେଲେଟ୍ ଗନ୍ ବ୍ୟବହାର ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟ ପକ୍ଷରୁ ନିକଟରେ ଜଷ୍ଟିସ୍ ଆର୍. ସୁଭାଷ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି ।

Comments are closed.