ନୂଆଦିଲ୍ଲୀ: ଲକଡାଉନ୍କୁ ନେଇ ଆରମ୍ଭ ହୋଇଛି ରାଜନୀତି । ଦେଶରେ ଫେଲ ମାରିଛି ତାଲାବନ୍ଦ । ସାରା ଦେଶରେ ସଂକ୍ରମଣ ବଢ଼ୁଛି ଆଉ ଏପଟେ ସରକାର କଟକଣା ହଟାଉଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀ କରି ମୋଦୀ ସରକାରଙ୍କୁ ଏଭଳି ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।
ସେ କହିଛନ୍ତି, ଦେଶରେ ଲକଡାଉନ୍ ବିଫଳ ହୋଇଛି । ୨୧ ଦିନରେ କରୋନା ହରାଇବାକୁ କହି ୬୦ ଦିନ ବିତିଗଲା ହେଲେ କରୋନାକୁ ହରାଇପାରିଲେନି ପ୍ରଧାନମନ୍ତ୍ରୀ । ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବା ବେଳେ ତାଲାବନ୍ଦ କଟକଣାକୁ କୋହଳ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।
୪ଟି ପର୍ୟ୍ୟାୟରେ ଦେଶରେ ତାଲାବନ୍ଦ ଡ଼ାକାରା ଦେଇଛନ୍ତି ମୋଦୀ । ହେଲେ କୌଣସି ଫାଇଦା ମିଳିନଥିବା ସୂଚନା ଦେଇଛନ୍ତି ରାହୁଲ । ଏବେ ସରକାର ଦେଶ ପାଇଁ ଆଗକୁ କ’ଣ ଚିନ୍ତା କରୁଛନ୍ତି । ସରକାରଙ୍କ ପ୍ଲାନ-ବି କ’ଣ ରହିଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ସରକାର ସତ୍ୟକୁ ଗ୍ରହଣ କରିବା ଉଚିତ, କାରଣ ୨୧ ଦିନରେ ସବୁକିଛି ଠିକ୍ ହେବ କହିଥିଲେ କିନ୍ତୁ ୬୦ ଦିନ ଗଲାଣି କୌଣସି ପରିବର୍ତ୍ତନ ହୋଇନାହିଁ ।
ଏଥିସହିତ କଂଗ୍ରେସ ଶାସନାଧୀନ ରାଜ୍ୟଗୁଡ଼ିକରେ ଦଳ କିପରି ଗରିବଙ୍କ ସହାୟତା କରୁଛି ସେ ନେଇ ମଧ୍ୟ ମତ ରଖିଛନ୍ତି ରାହୁଲ୍। ସେ କହିଛନ୍ତି ଦେଶର କେତେକ ରାଜ୍ୟରେ କଂଗ୍ରେସ ସରକାର ରହିଛି। ଏହି ବିପଦ ସମୟରେ ଗରିବ ଶ୍ରେଣୀର ଲୋକ କିଭଳି ତିଷ୍ଟି ରହିବା ସେଥିପାଇଁ ସେମାନଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଉଛନ୍ତି। ଏଥିପାଇଁ ଆମେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନେଉ ନାହୁଁ ବୋଲି ରାହୁଲ କହିଛନ୍ତି।
Comments are closed.