Latest Odisha News

BREAKING NEWS

କର୍ଣ୍ଣାଟକର କୋଲାରରେ ଗର୍ଜିଲେ ରାହୁଲ, କହିଲେ ‘ମୋତେ କେହି ଅଟକାଇ ପାରିବେନି’

ବେଙ୍ଗଳୁରୁ: କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର କର୍ଣ୍ଣାଟକ କୋଲାରଠାରେ ଏକ ବିଶାଳ ଦଳୀୟ ସଭାକୁ ସମ୍ବୋଧନ କରି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଠାରେ କହି ରଖିବାକୁ ଚାହିଁବୁ, କୋଲାର ସେହି ଜାଗା, ଯେଉଁଠି ୨୦୧୯ ମସିହାରେ ମୋଦି ସାଙ୍ଗିଆକୁ ନେଇ ରାହୁଲ ମନ୍ତବ୍ୟ ଦେବା ପରେ ବିବାଦ ଘେରକୁ ଆସିଥିଲେ ଓ ପରେ ଗୁଜୁରାଟର ଏକ ଅଦାଲତରେ ଦୋଷୀ ସାବ୍ୟସ୍ତ ହେବା ପରେ ସେ ନିଜ ଲୋକସଭା ସଦସ୍ୟ ପଦ ମଧ୍ୟ ହରାଇଛନ୍ତି।

ରବିବାର କୋଲାରରୁ କର୍ଣ୍ଣାଟକ ନିର୍ବାଚନ ପ୍ରଚାରର ଶୁଭାରମ୍ଭ ମଧ୍ୟ କରିଛନ୍ତି ରାହୁଲ। ଦଳ ପକ୍ଷରୁ ଆୟୋଜିତ ଜୟ ଭାରତ ରାଲିକୁ ସମ୍ବୋଧିତ କରି ରାହୁଲ କଂଗ୍ରେସକୁ ବିଜୟୀ କରିବାକୁ କର୍ଣ୍ଣାଟକବାସୀଙ୍କୁ ଅନୁରୋଧ କରିଛନ୍ତି । ଏଥିସହ କଂଗ୍ରେସ ସରକାରକୁ ଆସିଲେ ପ୍ରତି ପରିବାରକୁ ଦୁଇ ଶହ ୟୁନିଟ ମାଗଣା ବିଜୁଳି ସାଙ୍ଗକୁ ଗୃହ ଲକ୍ଷ୍ମୀ, ଅନ୍ନ ଭାଗ୍ୟ ଓ ଯୁବାନିଧୀ ଆଦି ଯୋଜନାରେ ମହିଳା, ଯୁବ ଓ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ଏକାଧିକ ଯୋଜନାର ପ୍ରତିଶୃତି ଦେଇଛନ୍ତି ରାହୁଲ । ଏଥିସହ ବିଜେପି କର୍ଣ୍ଣାଟକର ଲୋକଙ୍କ ପାଇଁ କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

ଏହି ଅବସରରେ, ପୂର୍ବ ଭଳି ମୋଦି ସରକାରଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ମୁଁ ସାଂସଦ ପଦ ହରାଇଥିଲେ ବି ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ ମୋର ଲଢେଇ ଜାରି ରଖିଛି ଓ ରଖିବି । ମୋତେ କେହି ଅଟାକାଇପାରିବେ ନାହିଁ । ଏଥିସହ ଅଦାନୀ ପ୍ରସଙ୍ଗକୁ ନେଇ ମଧ୍ୟ ପୁଣିଥିରେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ରାହୁଲ ।

ନିଜ ଅଭିଭାଷଣରେ ରାହୁଲ ଖୁବ ଜୋସରେ ନଜର ଆସିଥିଲେ । ବାରମ୍ବାର ସେ ମୋଦି ଓ କେନ୍ଦ୍ର ସରକାରକୁ ଶାଣିତ ଆକ୍ରମଣ କରିବାର ଦେଖିବାକୁ ମିଳିଥିଲା । ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ମୋଦି ସରକାରଙ୍କ ବିରୋଧରେ ବିଷୋଦଗାର କରିବା ସହ କଂଗ୍ରେସକୁ ବିଜୟୀ କରିବାକୁ ଲୋକଙ୍କୁ ଅପିଲ କରିଥିଲେ ।

Leave A Reply

Your email address will not be published.