ଭୁବନେଶ୍ୱର: ନିଜର ରାଜନୈତିକ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତ୍ୟେକ ଦିନ ବ୍ୟବଧାନରେ ଦେଶର କୌଣସି ନା କୌଣସି କୋଣରେ ପହଂଚୁଛନ୍ତି। ବିଭିନ୍ନ ବର୍ଗର ଲୋକଙ୍କ ସହ ମିସୁଛନ୍ତି।
ଭାରତ ଯୋଡୋ ଯାତ୍ରା ପରଠାରୁ ଏହା ବ୍ୟାପକ ହେବାରେ ଲାଗିଛି। ଏହି କ୍ରମରେ ରାହୁଲ ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି। ପୂର୍ବରୁ ସେ ଦୁଇଥର ଶ୍ରୀନଗର ଓ ଜାମ୍ମୁ ଗସ୍ତ କରିଥିଲେ ମଧ୍ୟ ଲଦାଖ ଗସ୍ତ କରିପାରି ନ ଥିଲେ।
ଚଳିତ ବର୍ଷ ଜାନୁୟାରୀ ମାସରେ ରାହୁଲ ଭାରତ ଯୋଡୋ ଯାତ୍ରା ସମୟରେ ଜାମ୍ମୁ ଓ ଶ୍ରୀନଗର ଯାଇଥିଲେ। ଏହା ପରେ ଫେବୃୟାରୀ ମାସରେ ଜାମ୍ମୁ କାଶ୍ମୀର ଗସ୍ତ କରିଥିଲେ। କିନ୍ତୁ ଲଦାଖ ଯାଇପାରି ନ ଥିଲେ। ରାହୁଲଙ୍କ ଏହି ଗସ୍ତର ଉଦେଶ୍ୟ କଣ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଏପରିକି ଦୁଇଦିନିଆ ଲଦାଖ ଗସ୍ତ ପରେ ରାହୁଲଙ୍କ ପୁଣି ଏକ ବିଦେଶ ଗସ୍ତକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରେ ରାହୁଲ ଗାନ୍ଧୀ ୟୁରୋପ ଗସ୍ତରେ ଯିବେ।
ଏହି ଅବସରରେ ସେ ବେଲଜିୟମ, ନରୱେ ଓ ଫ୍ରାନ୍ସ ଗସ୍ତ କରିବେ। ଏହି ଗସ୍ତ ସମୟରେ ସେ ୟୁରୋପର ସାଂସଦଙ୍କ ସହ ବୈଠକ କରିବା ସହ ୟୁରୋପରେ ଅବସ୍ଥିତ ଭାରତୀୟଙ୍କ ସହ ଆଲୋଚନା କରିବେ।
ଏଥିସହିତ ରାହୁଲ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିବାର କାର୍ଯ୍ୟକ୍ରମ ରହିଛି। ଗତ ମେ ମାସରେ ୧୦ ଦିନିଆ ଆମେରିକା ଗସ୍ତ ପରେ ଏହା ରାହୁଲଙ୍କ ଆଉ ଏକ ବିଦେଶ ଗସ୍ତ ହେବ।
ନିଜର ପୂର୍ବ ବିଦେଶ ଗସ୍ତ ସମୟରେ ଭାରତର ଗଣତନ୍ତ୍ର ବିପଦରେ ଥିବା ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ ରାହୁଲ। ବିଜେପି ପକ୍ଷରୁ ତାଙ୍କୁ ଏଥିପାଇଁ କଡା ସମାଲୋଚନା କରାଯାଇଥିଲା।
ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଭାରତରେ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଥିବା କହିଥିଲେ ରାହୁଲ। ରାହୁଲ ବିଦେଶ ମାଟିରେ ଭାରତର ଛବି ଖରାପ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ରାହୁଲଙ୍କ ଉପରେ ବର୍ଷିଥିଲା।
ଏବେ ପୁଣିଥରେ ରାହୁଲ ୟୁରୋପ ଦେଶଗୁଡିକୁ ଗସ୍ତ କରିବାକୁ ଥିବାବେଳେ ଆଗକୁ ଏହା କିଭଳି ରାଜନୈତିକ ରୂପ ନେଉଛି ତା ଉପରେ ନଜର।
Comments are closed.