Latest Odisha News

BREAKING NEWS

ରାହୁଲଙ୍କୁ ଆହୁରି ଲୋକପ୍ରିୟ କରିଚାଲିଛି ବିଜେପି !

ଭୁବନେଶ୍ୱର: ରାହୁଲଙ୍କୁ ଲଗାତର ଟାର୍ଗେଟ। ରାଜନୈତିକ ନେତାମାନେ ପରସ୍ପର ବିରୋଧରେ ଟିପ୍ପଣୀ ଦେବା କିମ୍ବା ବିବାଦୀୟ ଟିପ୍ପଣୀ ଦେବା ମଧ୍ୟ କିଛି ନୂଆ ନୁହେଁ। ନିର୍ବାଚନ ଆସିଲେ ଏହି ଟିପ୍ପଣୀ ବହୁଳ ଭାବେ ଦେଖାଯାଏ। କିନ୍ତୁ ବିବାଦୀୟ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧୀ ସର୍ବାଧିକ ଟାର୍ଗେଟର ଶିକାର ହେଉଥିବା ଦେଖିବାକୁ ମିଳୁଛି।

ମୋଦି ସାଙ୍ଗିଆ ପ୍ରସଙ୍ଗକୁ ନେଇ ସୁରଟ କୋର୍ଟଙ୍କ ଦ୍ୱାରା ଦଣ୍ଡିତ ହେବା ପରେ ପାଟନା କୋର୍ଟଙ୍କ ସମନ, ହରିଦ୍ୱାର କୋର୍ଟରେ ରାହୁଲଙ୍କ ବିରୋଧରେ ମାମଲା ଓ ଏବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା କୋର୍ଟରେ ଦେଖା ହେବା ବୋଲି ରାହୁଲଙ୍କୁ କହିଛନ୍ତି। ଯାହାକୁ ନେଇ ଏବେ ରାଜନୀତି ତୀବ୍ର ହୋଇଛି।

ସୁରଟ କୋର୍ଟଙ୍କ ଦଣ୍ଡବିଧାନ ପରେ ରାହୁଲଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଛି। ଏହାକୁ ନେଇ ଆଇନଗତ ପ୍ରକ୍ରିୟା ଚାଲିଛି। ଆଗକୁ ଏହାର ଫଳାଫଳ କଣ ହେବ ତାହା ଜଣାପଡିନି। ସେପଟେ ଗୋଟିଏ ପରେ ଗୋଟିଏ ମାନହାନି ମାମଲାରେ ରାହୁଲ ଛନ୍ଦି ହୋଇପଡୁଛନ୍ତି। ଏ ସବୁକୁ ଆଇନଗତ ପ୍ରକ୍ରିୟା କୁହାଯାଉଥିଲେ ମଧ୍ୟ ସାଧାରଣରେ କିନ୍ତୁ ଏହାକୁ ନେଇ ବିଜେପିକୁ ଦୋଷ ଦିଆଯାଉଛି।

ରାହୁଲ ଗାନ୍ଧୀ ବିଭିନ୍ନ ସମ୍ବେଦନଶୀଳ ଘଟଣାରେ ମୋଦୀଙ୍କୁ ଟାର୍ଗେଟ କରୁଥିବାରୁ ତାଙ୍କ ସ୍ୱରକୁ ଦାବି ଦେବା ପାଇଁ ବିଭିନ୍ନ ବାଟରେ ତାଙ୍କ ବିରୋଧରେ ଯୋଜନାବଦ୍ଧ ଭାବେ ଏଭଳି କରାଯାଉଥିବା କୁହାଯାଉଛି। ସେପଟେ କିନ୍ତୁ ରାହୁଲ ଯେତେ ବିବାଦକୁ ଯାଉଛନ୍ତି ସେତେ ଲୋକପ୍ରିୟ ହେଉଥିବା ଦେଖାଯାଇଛି। ସାରା ଦେଶରେ ଗୋଟେ ବଡ଼ ସହାନୁଭୂତି ରାହୁଲଙ୍କ ସପକ୍ଷରେ ତିଆରି ହେଉଛି।

ଜଣେ ରାଜନୈତିକ ବ୍ୟକ୍ତି ବିଜେପି ବିରୋଧରେ କହିବାରୁ ତାଙ୍କୁ ଜବତ କରିବାକୁ ଏଭଳି କରାଯାଉଥିବା ଲୋକେ ଆଲୋଚନା କରୁଛନ୍ତି। ସେପଟେ ଅଣବିଜେପି ଶାସିତ ରାଜ୍ୟ ଓ ଦଳର ନେତାଙ୍କ ଉପରେ ଇଡି, ସିବିଆଇ ଓ ଆଇଟିକୁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଆସୁଛି। ଠିକ ଏଭଳି ସମୟରେ ରାହୁଲଙ୍କ ଉପରେ ଲଗାତାର ଶାଣିତ ଆକ୍ରମଣ ତାଙ୍କୁ ଲୋକପ୍ରିୟ କରାଇବାରେ ଅଧିକ ସହାୟକ ହେଉଛି।

ଏପରିକି ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗରେ ଚର୍ଚ୍ଚା ଲାଗି ରହିଥିବାବେଳେ ଜଣଙ୍କ ପରେ ଜଣେ ବିଜେପି ନେତା ରାହୁଲଙ୍କୁ ଟାର୍ଗେଟ କରିବା ତାଙ୍କୁ ବାରମ୍ବାର ଚର୍ଚ୍ଚାକୁ ଆଣୁଛି। ଯାହାକି ରାହୁଲ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ବଞ୍ଚେଇ ରଖୁଥିବା ଆଲୋଚନା ହେଉଛି।

ଖାଲି ସେତିକି ନୁହେଁ ଯେଉଁ କଂଗ୍ରେସ ନେତା ଦିନେ ଦଳର ପ୍ରମୁଖ ପଦପଦବୀରେ ଥିଲେ ଓ ଏବେ ଦଳ ଛାଡିଛନ୍ତି କିମ୍ବା ବିଜେପିରେ ସାମିଲ ହୋଇଛନ୍ତି ସେମାନଙ୍କୁ ରାହୁଲ ଶବ୍ଦର ଯାଦୁରେ ଆଟାକ କରିଥିଲେ। ସେଥିମଧ୍ୟରୁ ଅନୀଲ ଆଣ୍ଟୋନି, ହିମନ୍ତ ବିଶ୍ୱାଶର୍ମା, ଗୁଲାମ ନବୀ ଆଜାଦ ପ୍ରମୁଖ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି।

କଂଗ୍ରେସରେ ପ୍ରମୁଖ ପଦପଦବୀ ପାଇ, ଦଳରୁ ଲାଭ ନେଇଥିବା ଏହି ନେତାମାନେ ଏବେ ରାହୁଲଙ୍କୁ ଆଟାକ କରିବାକୁ ସାଧାରଣ ଲୋକେ ଠିକ ଭାବେ ଗ୍ରହଣ କରୁ ନ ଥିବା ଚର୍ଚା ହେଉଛି। ବିଜେପି ଏହା କରାଉଥିବା ଲୋକଙ୍କ ମନରେ ଧାରଣା ସୃଷ୍ଟି କରିବା ସହ ରାହୁଲଙ୍କୁ ଲୋକଙ୍କ ନଜରରେ ଆହୁରି ହିରୋ କରିଦେଉଛି।

କେବଳ ସେତିକି ନୁହେଁ ଯେଉଁ ଗଣମାଧ୍ୟମ କିମ୍ବା ସାଧାରଣ ଲୋକେ ରାହୁଲଙ୍କୁ ସେତେ ଗୁରୁତ୍ୱ ଦେଉ ନ ଥିଲେ ସେହି ରାହୁଲ ଏବେ ପ୍ରତ୍ୟେକ ଗଣମାଧ୍ୟମର ଶୀର୍ଷ ମଣ୍ଡନ କରୁଛନ୍ତି। ଯେକୌଣସି ସାଧାରଣ ମେଳି କିମ୍ବା ରାଜନୈତିକ ମେଳିରେ ରାହୁଲଙ୍କ କଥା ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି।

ଏବେ କର୍ଣ୍ଣାଟକ ନିର୍ବାଚନ ସହ ଆଗକୁ ଅନ୍ୟ କିଛି ପ୍ରମୁଖ ରାଜ୍ୟ ଓ ଦେଶରେ ସାଧାରଣ ନିର୍ବାଚନ ହେବ। ଏଭଳି ସ୍ଥିତିରେ ରାହୁଲଙ୍କ ପ୍ରତି ସୃଷ୍ଟି ହୋଇଥିବା ସହାନୁଭୂତି ଯାହାକୁ କଂଗ୍ରେସ ବଞ୍ଚେଇ ରଖିବା କଥା ବିଜେପି ସେ କାମ କରିଦେଉଛି ବୋଲି ରାଜନୈତିକ ସ୍ତରରେ ଆଲୋଚନା ହେଉଛି। ଯାହା ରାହୁଲ ଓ କଂଗ୍ରେସକୁ ସୋ ମୋଟ ଫାଇଦା ଦେବ ବୋଲି ଚର୍ଚ୍ଚା ହେଉଛି।

Comments are closed.