Latest Odisha News

BREAKING NEWS

ବିରୋଧୀଙ୍କୁ ଶବ୍ଦର ମାୟାଜାଲରେ ଛନ୍ଦିଲେ ରାହୁଲ

ଭୁବନେଶ୍ୱର: ଶବ୍ଦ ସଂଯୋଜନା ମାଧ୍ୟମରେ କଂଗ୍ରେସ ଛାଡିଥିବା ନେତାଙ୍କ ସମେତ ବିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ। ଟ୍ୱିଟ ମାଧ୍ୟମରେ ବଡ଼ ସୁନ୍ଦର ଢଙ୍ଗରେ ଶବ୍ଦକୁ ସଜେଇ କଂଗ୍ରେସ ଛାଡି ଯାଇଥିବା ନେତାଙ୍କ ସହ ବିଜେପିକୁ ଟାର୍ଗେଟ କରାଯାଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର।

କଂଗ୍ରେସ ଛାଡିଥିବା ଗୁଲାମ ନବି ଆଜାଦ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରେଡ୍ଡୀ, ହିମନ୍ତ ବିଶ୍ୱଶର୍ମା ଓ ଅନିଲ ଆଣ୍ଟୋନୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ଏହି ୫ ଜଣ ନେତାଙ୍କ ସମେତ ଆଦାନୀଙ୍କୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି।

ଟ୍ୱିଟ ମାଧ୍ୟମରେ ରାହୁଲ ଲେଖିଛନ୍ତି, ସତ ଲୁଚାଉଛନ୍ତି, ସେଥିପାଇଁ ପ୍ରତିଦିନ ଭ୍ରମିତ କରିଥାନ୍ତି । ପ୍ରଶ୍ନ କେବଳ ଏତିକି ଆଦାନୀଙ୍କ କମ୍ପାନୀରେ ୨୦ ହଜାର କୋଟି ବେନାମୀ ଟଙ୍କା କାହାର? ଏହାକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି।

ରାହୁଲଙ୍କ ବିରୋଧରେ ବିଜେପି ଏବେ କଂଗ୍ରେସର ପୂର୍ବତନ ପ୍ରମୁଖ ନେତାଙ୍କୁ ଅସ୍ତ୍ର କରୁଥିବା ଦେଖାଯାଇଛି। ଏଭଳି ସ୍ଥିତିରେ ରାହୁଲଙ୍କ ୱାର୍ଡ ପଜଲ ଚର୍ଚ୍ଚାକୁ ରୋଚକ କରିଛି। ରାହୁଲ ନିଜ ୱାର୍ଡ ପଯଲରେ ଆଦାନୀ ର ପ୍ରଥମ ଅକ୍ଷର ଏ ରେ ଗୁଲାମ ନବୀ ଆଜାଦଙ୍କ ସହ ଯୋଡିଛନ୍ତି। କଂଗ୍ରେସ ସହ ଅନେକ ବର୍ଷ ଧରି ଯୋଡି ହୋଇଥିବା ଓ ବହୁ ପ୍ରମୁଖ ପଦପଦବୀ ପାଇଥିବା ଗୁଲାମ ନବୀ ଆଜାଦ ଦଳ ଛାଡିବା ସହ ବର୍ତ୍ତମାନର କଂଗ୍ରେସ ନେତୃତ୍ୱ ଉପରେ ବର୍ଷିଥିଲେ। ଏପରିକି ସେ କଂଗ୍ରେସ ଛାଡିବାର ମୁଖ୍ୟ କାରଣ ରାହୁଲ ଗାନ୍ଧି ବୋଲି କହିଥିଲେ।

ଦ୍ଵିତୀୟ ଅକ୍ଷର ଡି ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ସିନ୍ଧିଆଙ୍କ ପରିବାର ସହ ଗାନ୍ଧି ପରିବାରର ବନ୍ଧୁତା କାହିଁ କେଉଁ ଦିନର। କିନ୍ତୁ ସିନ୍ଧିଆ ବିଜେପିରେ ସାମିଲ ହେବା ସହ ରାହୁଲଙ୍କ ଉପରେ ବର୍ଷୁଛନ୍ତି। ଗତ ଶୁକ୍ରବାର ଗ୍ୱାଲିୟରରେ ଏକ ମଞ୍ଚରୁ ସିନ୍ଧିଆ ରାହୁଲ ଗାନ୍ଧି ଏବଂ କଂଗ୍ରେସକୁ ଟାର୍ଗେଟ କରିଥିଲେ।

ଗୁଲାମ ନବୀ ଏବଂ ସିନ୍ଧିଆଙ୍କ ପରେ ରାହୁଲ ସଦ୍ୟ ବିଜେପିରେ ମିଶିଥିବା ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀଙ୍କୁ ଆଦାନୀଙ୍କ ଏ ଅକ୍ଷରରେ ଟାର୍ଗେଟ କରିଛନ୍ତି। ରାହୁଲଙ୍କ ଚାରି ନମ୍ବର ଟାର୍ଗେଟରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ୨୦୧୧ରେ ଆସାମରେ କଂଗ୍ରେସ ତାଙ୍କରି ନେତୃତ୍ୱରେ ସରକାର ଗଠନ କରିଥିଲା କିନ୍ତୁ ତାଙ୍କୁ ଉପଯୁକ୍ତ ସମ୍ମାନ ନ ମିଳିବାରୁ ସେ ୨୦୧୫ରେ ବିଜେପିରେ ଯୋଗ ଦେଇଥିଲେ। ସେ ରାହୁଲ ଗାନ୍ଧିଙ୍କ ଉପରେ ଲଗାତର ଆକ୍ରମଣ କରି ଆସୁଛନ୍ତି।

ଶେଷରେ ରାହୁଲ ଆଦାନୀଙ୍କ ଆଇ ଅକ୍ଷରକୁ ନେଇ ଅନିଲ ଆଣ୍ଟୋନୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ କେ ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ବିଜେପିରେ ସାମିଲ ହୋଇଥିଲେ। ଯାହାକୁ ନେଇ ତାଙ୍କ ପରିବାର ମଧ୍ୟ ତାଙ୍କ ଉପରେ ଖୁସି ନ ଥିବା କହିଛନ୍ତି। ରାହୁଲଙ୍କ ଏହି ଟ୍ୱିଟ ପରେ ଏହାକୁ ନେଇ ରାଜନୀତି ତୀବ୍ର ହୋଇଛି।

ଅନୀଲ ଆଣ୍ଟୋନୀ ମଧ୍ୟ ପାଲଟା ଟ୍ୱିଟ କରି ରାହୁଲଙ୍କୁ କଡା ଜବାବ ଦେଇଛନ୍ତି। ରାଷ୍ଟ୍ର ନିର୍ମାଣ କାମରେ ଦଶନ୍ଧୀ ଧରି ଯୋଗଦାନ ଦେଇଥିବା ଲୋକଙ୍କ ଭିତରେ ନିଜ ନାଁ ଦେଖି ତାଙ୍କୁ ଖୁସି ଲାଗୁଛି। ଏଥିପାଇଁ ସେ ପାର୍ଟି ଛାଡିଲେ, କାହିଁକି ନା ତାଙ୍କୁ ଦେଶ ପାଇଁ କାମ କରିବାର ଅଛି, କୌଣସି ପରିବାର ପାଇଁ ନୁହେଁ ବୋଲି ଅନୀଲ ଲେଖିଛନ୍ତି। କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ନେତାଙ୍କୁ ଏବେ ବିଜେପି ରାହୁଲଙ୍କ ବିରୋଧରେ ବ୍ୟବହାର କରୁଥିବା ବେଳେ ରାହୁଲଙ୍କ ଏଭଳି ଟ୍ୱିଟ ଏବେ ରାଜନୈତିକ ସ୍ତରରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଛି।

Leave A Reply

Your email address will not be published.