Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ‘ଇନ୍ଦିରା’ କାର୍ଡ, ରାହୁଲ ଡାକିଲେ କଂଗ୍ରେସକୁ ଆସ!

ଭୁବନେଶ୍ୱର: ଦେଶର ରାଜନୈତିକ ଟ୍ରେଣ୍ଡରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳୁଛି। ନିର୍ବାଚନରେ ମତଦାନ ହେଉ କିମ୍ବା ରାଜନୀତି କ୍ଷେତ୍ରରେ ପ୍ରବେଶ ସବୁଥିରେ ଅଧିକ ସଂଖ୍ୟକ ମହିଳାଙ୍କୁ ଦେଖିବାକୁ ମିଳୁଛି। ପୂର୍ବାପେକ୍ଷା ଏହି ସଂଖ୍ୟା ବଢୁଛି।

ଦେଶଠାରୁ ଆରମ୍ଭ କରି ରାଜ୍ୟ ସବୁଆଡେ ମହିଳା ମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି। ଏପରିକି ରାଜନୈତିକ ଦଳଗୁଡିକ ମଧ୍ୟ ମହିଳାଙ୍କୁ ଗୁରୁତ୍ୱ ଦେଉଛନ୍ତି। ମହିଳା ଅତ୍ୟାଚାର ପ୍ରସଙ୍ଗକୁ ନେଇ ରାଜନୀତି ମଧ୍ୟ ତୀଵ୍ର ହେବାରେ ଲାଗିଛି।

ତେଣୁ ଦେଶର ସାଧାରଣ ନିର୍ବାଚନ ପୂର୍ବରୁ ସର୍ବ ପୁରାତନ ଦଳ କଂଗ୍ରେସ ନିଜ ସହ ଅଧିକ ସଂଖ୍ୟକ ମହିଳାଙ୍କୁ ଯୋଡିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି। ମହିଳା ସଶକ୍ତିକରଣ ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସହ ଦଳ ପକ୍ଷରୁ ଇନ୍ଦିରା ଫେଲୋସିପ କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଯୋଡି ହେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ ମାଧ୍ୟମରେ ନିବେଦନ କରିଛନ୍ତି।

ରାଜନୀତିରେ ପୁରୁଷ ମାନଙ୍କ ସହ ସମାନ ସ୍ଥାନ ନେବା ସହ ଦେଶର ଭାଗ୍ୟକୁ ରୂପ ଦେବା ପାଇଁ ଅପିଲ କରିଛନ୍ତି ରାହୁଲ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାହୁଲ ଲୋକଙ୍କ ସହ ଆହୁରି ଅଧିକ ଯୋଡି ହେବା କାର୍ଯ୍ୟକୁ ବ୍ୟାପକ କରିଥିବା ବେଳେ ଦେଶର ଯୁବ ବର୍ଗର ମହିଳାଙ୍କୁ ଫୋକସ କରି ଦଳ ଏହି ଅଭିଯାନ ଆରମ୍ଭ କରିଥିବା କୁହାଯାଉଛି।

ଭାରତ ସେତେବେଳେ ସଫଳ ହେବ ଯେତେବେଳେ ମହିଳାଙ୍କୁ ସମାଜରେ ସମାନ ସ୍ଥାନ ମିଳିବ। ଇନ୍ଦିରା ଫେଲୋସିପ ମହିଳାଙ୍କୁ ସସକ୍ତ କରିବା ସହ ରାଜନୀତିକୁ ପରିବର୍ତ୍ତନ କରିବାକୁ ଚାହୁଁଥିବା ସେ କହିଛନ୍ତି। ଆଧି ଆବାଦୀ ପୁରା ହକ ବୋଲି ନିଜ ଟ୍ୱିଟ ମାଧ୍ୟମରେ କହିଛନ୍ତି ରାହୁଲ।

ଇନ୍ଦିରା ଫେଲୋସିପ ଯୁବ କଂଗ୍ରେସର ଜାତୀୟ ସ୍ତରରେ ଏକ କାର୍ଯ୍ୟକ୍ରମ। ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି ଭି ମଧ୍ୟ ଫେଲୋସିପ ପାଇଁ ପଞ୍ଜିକରଣ କରିବାକୁ ଆହ୍ୱାନ ଦେଇଛନ୍ତି।

ଦେଶର ମହିଳା ସମାଜସେବୀ, ପ୍ରଫେସନାଲ ଓ ଇଛୁକ ମହିଳାମାନଙ୍କୁ କଂଗ୍ରେସ ଏହି ଫେଲୋସିପ ପ୍ରକ୍ରିୟା ମଧ୍ୟକୁ ଆଣିବାକୁ ଉଦ୍ୟମ କରୁଛି। ଏହି ମାଧ୍ୟମରେ ମହିଳାମାନେ ରାଜନୀତିରେ ପ୍ରବେଶ କରିବା ସହ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ତୃଣମୂଳ ପ୍ରଚାର ଓ ନେତୃତ୍ୱ ବିକାଶ ପାଇଁ ମଧ୍ୟ ଦଳ କାର୍ଯ୍ୟ କରିବ।

ମହିଳାଙ୍କ ଅଧିକାର ସାବ୍ୟସ୍ତ ପାଇଁ ଏହା ଏକ ବଡ଼ ପ୍ଲାଟଫର୍ମ ବୋଲି କଂଗ୍ରେସ ପକ୍ଷରୁ କୁହାଯିବା ସହ ଏହାକୁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି। ଫେଲୋସିପ ଚୟନ ପ୍ରକ୍ରିୟା ଦୁଇଟି ଷ୍ଟେପରେ ହେବ।

ପ୍ରଥମେ ଆବେଦନକାରୀଙ୍କ ତଥ୍ୟ ଆଧାରରେ ସର୍ଟ ଲିଷ୍ଟ କରାଯିବା ସହ ପରେ ସାକ୍ଷାତକାର ନିଆଯାଇ ଫାଇନାଲ ସିଲେକ୍ସନ କରାଯିବ। ଯେଉଁ ମହିଳାମାନେ ନେତୃତ୍ୱ ନେବାକୁ ଇଛୁକ ସେମାନେ ଏଥିପାଇଁ ଆବେଦନ କରିପାରିବେ।

ଯେଉଁମାନଙ୍କୁ ଚୟନ କରାଯିବ ସେମାନଙ୍କୁ ନିଜ ନିଜ ଜିଲ୍ଲାରେ ଦାୟିତ୍ୱ ଦିଆଯିବ। ପ୍ରଥମେ ସେମାନଙ୍କୁ ବ୍ଳକରେ ଇନ୍ଦିରା ଆକ୍ଟିଭିଟି ସେଣ୍ଟର ଆୟୋଜନ କରିବେ। ପଂଚାୟତ, ୱାର୍ଡ, ବସ୍ତି ମାନଙ୍କରେ ଶକ୍ତି କ୍ଳବ କରିବେ। ପରେ ସେମାନଙ୍କ ପ୍ରଦର୍ଶନ ଦେଖି କଂଗ୍ରେସରେ ସାମିଲ କରାଯିବ।

ଏପରିକି ଚୟନ ହେବାକୁ ଥିବା ମହିଳାଙ୍କୁ ମାସିକ ଭତ୍ତା ମଧ୍ୟ ଦିଆଯିବ। ମହିଳା ପ୍ରସଙ୍ଗ ଏବେ ରାଜନୀତିର ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ବିଭିନ୍ନ ଦଳ ମହିଳାଙ୍କୁ ଫୋକସ କରୁଛନ୍ତି। ଏଭଲି ସ୍ଥିତିରେ କଂଗ୍ରେସର ଏହି ଆଭିମୁଖ୍ୟ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି।

ମଣିପୁରରେ ମହିଳା ବିରୋଧୀ ହିଂସା ଓ ଅତ୍ୟାଚାରକୁ ନେଇ କେନ୍ଦ୍ରର ବିଜେପି ବିରୋଧୀଙ୍କ ଟାର୍ଗେଟରେ ଥିବାବେଳେ କଂଗ୍ରେସର ଏହି କାର୍ଯ୍ୟକ୍ରମ ରାଜନୈତିକ ଚର୍ଚ୍ଚାକୁ ଆହୁରି ବଢାଇଛି।

ସେପଟେ ଓଡ଼ିଶାର ଶାସକ ଦଳ ବିଜେଡି ମଧ୍ୟ ମହିଳାଙ୍କୁ ରାଜନୀତି କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେବା ଉପରେ ଫୋକସ କରୁଛି। ତେଣୁ ଏସବୁ ଭିତରେ ଆଗାମୀ ନିର୍ବାଚନରେ ମହିଳା ପକ୍ଷ କେଉଁ ଦଳ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି ତା ଉପରେ ନଜର।

Leave A Reply

Your email address will not be published.