Latest Odisha News

BREAKING NEWS

ବେଆଇନ୍‌ କୋଇଲା ଖଣିରେ ଚଢ଼ାଉ ଜାରି; ୨୫୦ ଟନ୍‌ରୁ ଅଧିକ କୋଇଲା ଜବତ

ସୁନ୍ଦରଗଡ:ସୁନ୍ଦରଗଡ଼ରେ ବେଆଇନ୍‌ କୋଇଲା ଖଣି ଉପରେ ଚାଲିଛି ଚଢ଼ାଉ । ପ୍ରଶାସନର ଘନ ଘନ ଚଢାଉରେ ଛତ୍ର ଭଙ୍ଗ ଦେଇଛନ୍ତି କୋଇଲା ମାଫିଆ। ଏବେ ସୁଦ୍ଧା ୨୫୦ ଟନ୍‌ରୁ ଅଧିକ କୋଇଲା ଜବତ ହେଲାଣି । ଘଟଣାସ୍ଥଳରେ ଖଣି ବିଭାଗର ଡେପୁଟି ଡାଇରେକ୍ଟର ତଦନ୍ତ କରିବା ସହ ଜଙ୍ଗଲରେ ଗଚ୍ଛିତ ଚୋରି କୋଇଲାକୁ ଜବତ କରିଛନ୍ତି । ବୁଧବାର ମଧ୍ୟ ପୁଣି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଙ୍ଗଲରେ ବେଆଇନ୍‌ କୋଇଲା ଖଣି ଉପରେ ଚଢ଼ାଉ କରାଯାଇଛି ।

ସୂଚନାମୁତାବକ, ଗତକାଲି (ମଙ୍ଗଳବାର) ଜିଲ୍ଲା ପ୍ରଶାସନର ମିଳିତ ଟିମ୍‌ ହେମଗିରି ଅଞ୍ଚଳରେ ବେଆଇନ କୋଇଲା ଖଣି ଉପରେ ଚଢାଉ କରିଥିଲେ । ଉପଜିଲ୍ଲାପାଳ ଦାଶରଥି ସରାବୁଙ୍କ ନେତୃତ୍ବରେ ପୋଲିସ ଓ ବନବିଭାଗର ଏକ ମିଳିତ ଟିମ୍‌ ହେମିଗିରି ଥାନ ରତନସରା,ଭୋଗରାକଛାର ଓ ଲତାପାଣି ଅଞ୍ଚଳରେ ଚଢାଉ କରିଥିଲେ । ତେବେ ୧୦ରୁ ଅଧିକ ବେଆଇନ ଖଣି ସିଜ୍‌ କରିବା ସହ କୋଇଲା ଜବତ କରାଯାଇଛି ।

ଗତ ୪ ତାରିଖରେ ତେଲେଣ୍ଡିହି ଜଙ୍ଗଲରେ ବେଆଇନ କୋଇଲା ଖଣି ଠାବ ସହ ୧୪୪ ଟନ୍‌ କୋଇଲା ଜବତ ହୋଇଥିଲା ।

ବର୍ଷ ବର୍ଷ ଧରି ସଂରକ୍ଷିତ ଜଙ୍ଗଲ ଭିତରେ ଚାଲିଥିଲା ଏହି ବେଆଇନ୍‌ କୋଇଲା ଖଣି । ବେଧଡ଼କ କୋଇଲା ଖୋଳି ମୁନାଫା କମାଉଥିଲେ ମାଫିଆ । ପଡ଼ୋଶୀ ଛତିଶଗଡ଼ ସହ ଝାଡ଼ଖଣ୍ଡକୁ ଚୋରା ଚାଲାଣ ହେଉଥିଲା ଏହି କୋଇଲା ।ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜଙ୍ଗଲ ଭିତରେ ଖୋଜି ଖୋଜି ଖଣି ଭିତରେ ପଶିଥିଲେ ପୋଲିସ ଟିମ୍ ।

ସଂରକ୍ଷିତ ଜଙ୍ଗଲରେ ବେଆଇନ୍‌ କୋଇଲା ଖଣି ନେଇ ୨୦୨୪ରେ ବନ ଅଧିକାରୀ ହେମଗିରିର ତତ୍‌କାଳୀନ ତହସିଲଦାରଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଏହି ଚିଠିକୁ ଚାପି ଦେଇଥିଲେ ତହସିଲଦାର ଲବଳେନ୍ଦୁ ମହାନ୍ତି । କେବଳ ସରକାରୀ ଅଧିକାରୀ ନୁହନ୍ତି ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ ଏଥିରୁ ଲାଭ ଉଠାଉଥିଲେ ।

 

Comments are closed.