Latest Odisha News

ରଜରେ ପାନଖିଆ ଏକ ନିଆରା ଓଡ଼ିଆ ପରମ୍ପରା…

– ଦେବଦତ୍ତ ରଥ

ଆସନ୍ତା କାଲିଠାରୁ ଆରମ୍ଭ ହୋଇଯିବ ରଜ । କାଲି ପହଲି ରଜ ପୂର୍ବରୁ ଆଜିଠାରୁ ଆରମ୍ଭ ହୋଇଗଲାଣି ରଜ ପାଇଁ ସଜବାଜ । ରଜରେ ପାନଖିଆ ଏକ ନିଆରା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ। ପ୍ରୀତି, ପ୍ରେମ, ବନ୍ଧୁତାକୁ ଆଦି ଛଅଟି ଲକ୍ଷଣ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଏବଂ ପଚାରେ । ଏହି ୬ଟି ଆନ୍ତରିକତା ଓ ନିବିଡ଼ତାର କଥା । ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା । ଓଡ଼ିଆଙ୍କ ଠାକୁର ବଡ଼ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି ।

ପାନ ହେଉଛି ମୁଖବାସ, ପରିତୋଷ। ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏହା ବନ୍ଧୁତାର ଡୋରିକୁ ସୁଦୃଢ଼ କରେ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦିଆନିଆ କରିଥାଆନ୍ତି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ (କ୍ୟାଲସିଅମ) ଓ ଖଇର ଦାନ୍ତକୁ ମଜଭୁତ କରିଥାଏ । ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ । କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ । ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ ।

ରଜ ଆଭୂଷଣକୁ ଆହୁରି ମୁଗ୍ଧକର କରିଦିଏ। ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧନିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ। ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ। ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର। ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢ଼ିଯାଏ। ରଜରେ ପାନଖିଆକୁ ନେଇ କିଛି ଲୋକ ଗୀତ ରହିଛି। ଯେପରି…

“ପାନଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ,
ରାଜା ହୋଇଗଲା ରଜରେ”।

ଏପରି ଅନେକ ଗୀତ, ଛନ୍ଦ ଆମ ପର୍ବ ଓ ପରମ୍ପରାକୁ  ସମୃଦ୍ଧ କରି  ବିଶ୍ୱ ଦରବାରରେ ଓଡ଼ିଆଙ୍କ ଓଡି଼ଆତ୍ୱକୁ ବଜାୟ ରଖିଛି ।

 

 

Comments are closed.