Latest Odisha News

BREAKING NEWS

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର

ଜୟପୁର: ଗୋଟିଏ ପଟେ କରୋନା କାୟା ମେଲାଇ ଚାଲିଥିବା ବେଳେ ଅନ୍ୟପଟେ ବ୍ଲାକ୍‌ ଫଙ୍ଗସ୍‌ର ତାଉ ବଢିବାରେ ଲାଗିଛି। ଗୋଟିଏ ମହାମାରୀକୁ ମୁକାବିଲା କରିବାକୁ ଦେଶ ଅଣ୍ଟା ଭିଡୁଥିବା ବେଳେ ଆଉ ଏକ ମହାମାରୀର ଆଗମନ ହୋଇସାରିଲାଣି। ମୁଖ୍ୟତଃ କରୋନାରୁ ସୁସ୍ଥ ଥିବା ଲୋକଙ୍କୁ ପ୍ରଭାବିତ କରୁଥିବା ମ୍ୟୁକର୍ମାଇକୋସିସ୍ (ବ୍ଲାକ୍‌ ଫଙ୍ଗସ୍) କୁ ରାଜସ୍ଥାନ ସରକାର ମହାମାରୀ ଘୋଷଣା କରିଛନ୍ତି ବୋଲି ଅଧିକାରୀମାନେ ବୁଧବାର କହିଛନ୍ତି।

ସମ୍ପ୍ରତି ରାଜ୍ୟରେ ପ୍ରାୟ ୧୦୦ଟି ବ୍ଲାକ୍‌ ଫଙ୍ଗସ୍ ରୋଗୀ ଅଛନ୍ତି ଏବଂ ସେମାନଙ୍କ ଚିକିତ୍ସା ପାଇଁ ଜୟପୁରର ଏସ୍ଏମ୍ଏସ୍ ହସ୍ପିଟାଲରେ ଏକ ପୃଥକ୍‌ ୱାର୍ଡ ପ୍ରସ୍ତୁତ କରାଯାଇଛି।

ରାଜ୍ୟର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଅଖିଲ ଆରୋରାଙ୍କ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ରାଜସ୍ଥାନ ମହାମାରୀ ଅଧିନିୟମ ୨୦୨୦ ଅନୁଯାୟୀ ବ୍ଲାକ୍‌ ଫଙ୍ଗସ୍‌କୁ ରାଜ୍ୟରେ ମହାମାରୀ ତଥା ଏକ ଉଲ୍ଲେଖନୀୟ ରୋଗ ବୋଲି ସୂଚିତ କରାଯାଇଛି।

ବ୍ଲାକ୍‌ ଫଙ୍ଗସ୍‌ ଏବଂ କରୋନାଭାଇରସ୍ ର ସମନ୍ୱିତ ଚିକିତ୍ସା ନିଶ୍ଚିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।

ବିଶେଷଜ୍ଞଙ୍କ ଅନୁଯାୟୀ, ମଧୁମେହ ରୋଗୀମାନେ ଅଧିକ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହେଉଛନ୍ତି।

Comments are closed.