ଦତ୍ତାତ୍ରେୟ, ସାମ୍ବାଦିକ ଓ ପୁଲିସର ଆକ୍ରମଣ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

ସକାଳୁ ସକାଳୁ ଆଜି ଏକ ଅଭାବନୀୟ ଓ ଛାତିକୁ ବାଧିଲା ପରି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଥମେ ଆସିଲା । ପରେ ତାହା ମୁଖ୍ୟସ୍ରୋତ ଗଣମାଧ୍ୟମରେ ବି ଆସିଗଲା । ପୁରୀରେ ରାଜ୍ୟର ଏକ ପ୍ରମୁଖ ଖବରକାଗଜ ପାଇଁ କାର୍ଯ୍ୟ କରୁଥିବା ପ୍ରତିନିଧି ଦତ୍ତାତ୍ରେୟ ନାୟକଙ୍କୁ ପୁଲିସ ଆକ୍ରମଣ କରିଛି । ପୁଣି ଆକ୍ରମଣ ସମୟରେ ସେଠାରେ ଜଣେ ଥାନା ଅଧିକାରୀ ଓ ଡିଏସପି ବି ଉପସ୍ଥିତ ଥିଲେ । ଦତ୍ତାତ୍ରେୟଙ୍କୁ ପୁଲିସ ମାଡ଼ ମାରିବା ପରେ ଉଠେଇ ନେଇ ପୁଲିସ ଗାଡ଼ିରେ ଭର୍ତ୍ତି କରିବା କଥା ଉଠୁଛି । ପରେ ଦତ୍ତାତ୍ରେୟ ସେଠାରେ ବହୁ ସମୟ ଧାରଣାରେ ବସି ରହିଥିଲେ, ପୁଲିସର ଏମିତି ଭୟଙ୍କର ବ୍ୟବହାର ବିରୋଧରେ ।

ତେବେ ଜଣେ କାର୍ଯ୍ୟରତ ଓ ପୁଣି ପ୍ରମୁଖ ଖବରକାଗଜର ପ୍ରତିନିଧିଙ୍କୁ ପୁଲିସର କନେଷ୍ଟବଳ ଓ ହୋମଗାର୍ଡ଼ମାନେ ଆକ୍ରମଣ କରିବାକୁ କିପରି ସାହାସ କରୁଛନ୍ତି? ସେଠାରେ ଥିବା ଅନ୍ୟ ପୁଲିସ ଅଧିକାରୀମାନେ ଯିଏ ସଂପୃକ୍ତ ପ୍ରତିନିଧିଙ୍କୁ ଚିହ୍ନିଛନ୍ତି, ସେମାନେ ଏହାକୁ ବନ୍ଦ ନ କରିବା ଆହୁରି ଭୟାନକ । ପୁଲିସ ହାତକୁ ଯେବେ ଯେବେ କ୍ଷମତା ଯାଇଛି, ସାଧାରଣ ମଣିଷମାନେ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ପୁଲିସ ସେମାନଙ୍କ ଉପରେ ଅନେକ ସମୟରେ ଅକଥନୀୟ ଅତ୍ୟାଚାର କରିଛି ।

କିନ୍ତୁ ଗଲା କିଛି ବର୍ଷ ଧରି ଗଣମାଧ୍ୟମ ଉପରେ ପୁଲିସର ଆକ୍ରମଣ, ଅନ୍ୟ ଗୋଷ୍ଠୀ ଗୁଡ଼ିକର ଆକ୍ରମଣ ସବୁଠାରୁ ବଡ଼ ଏକ ପ୍ରସଙ୍ଗ ଭାବେ ଉଭା ହୋଇଛି । ଆମେ ଏବେ ଏମିତି ଏକ ସମୟ ଦେଇ ଗତି କରୁଛୁ, ଯେଉଁଠି କେହି କିଛି ନ କହିଲେ ଭଲ । ଆମେ ସରକାରଙ୍କ ସଂପକରେ କିଛି କହି ପାରିବା ନାହିଁ, ଆମେ ଅଫିସରେ କିଛି କହି ପାରିବା ନାହିଁ, ଆମେ ଘରେ ବି ଚୁପ ରହିବା । ଆମେ ଯେତେ ଚୁପ ରହିବା, ସମସ୍ତେ ସେତେ ଖୁସି । ଆମକୁ ମୂକ କରିଦେବାରେ ଅନ୍ୟମାନଙ୍କ ଆନନ୍ଦ । ଆଉ ସେଇ ସମୟରେ ଯଦି କିଛି ବି ଘଟଣା ଯାହା ଗୋପନୀୟ, କେବେ ସାମ୍ନାକୁ ଆସୁଛି, ତାହା କେବଳ ସାମ୍ବାଦିକଙ୍କ ପାଇଁ । ଆଜିକାଲି ସାମ୍ବାଦିକଙ୍କ ଉପରେ ସାମାଜିକ ଗଣମାଧ୍ୟମରେ ପ୍ରବଳ ଆକ୍ରମଣ ହେଉଛି । ସବୁ ସାମ୍ବାଦିକ ଯେ ଭଲ, ତାହା ମୁଁ କହୁ ବି ନାହିଁ । କିନ୍ତୁ ଅନେକ ସାମ୍ବାଦିକ ନିଜ ବୃତ୍ତି ପ୍ରତି ଢେର ସଚେତନ ଓ ସମାଜର ହିତ ଦିଗରେ ସେମାନେ ସବୁଦିନେ କାମ କରି ଆସନ୍ତି । ଯେତେବେଳେ ସେମାନେ ସରକାରଙ୍କ ସଂପର୍କରେ କି ପ୍ରଶାସନ ସଂପର୍କରେ କିଛି ଲେଖିଲେ, ସେତେବେଳେ ସେମାନେ ଆକ୍ରମଣର ଶିକାର ହେଉଛନ୍ତି ।

ଗଲା ବର୍ଷ ଲକଡାଉନ ବେଳେ ମାର୍ଚ୍ଚ ୨୫ରୁ ମଇ ୧ ମଧ୍ୟରେ ୫୫ ଜଣ ସାମ୍ବାଦିକଙ୍କ ବିରୋଧରେ କୋଭିଡ଼୍‍ ସଂପର୍କତ ରିପୋର୍ଟ କରିବା ପ୍ରସଙ୍ଗକୁ ନେଇ ଏତଲା ଦିଆଯାଇଥିଲା କିମ୍ବା ଗିରଫ କରାଯାଇଥିଲା । କିମ୍ବା ପୁଲିସ ତାଙ୍କୁ ସମନ କରିଥିଲା । ରାଇଟସ୍‍ ଆଣ୍ଡ ରିସ୍କ ଆନାଲିସିସ ଗ୍ରୁପ୍‍ ପକ୍ଷରୁ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି ।

ଫ୍ରି ସ୍ପିଚ୍‍ କଲେକ୍ଟିଭ୍‍ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁସାରେ ୨୦୧୦ରୁ ୨୦୨୦ ମଧ୍ୟରେ ଆମ ଦେଶରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ, ଥାନାରେ ଏତଲା ଦେବା, ପୁଲିସ ଗିରଫ କରିବା, ସାମ୍ବାଦିକଙ୍କୁ ଧମକ ଦେବା ଆଦି ଦ୍ରୁତ ଗତିରେ ବଢି ଚାଲିଛି । ସାମ୍ବାଦିକଙ୍କ କାମକୁ ନେଇ ଏହିସବୁ ଏତଲା ଓ ଆକ୍ରମଣ ଆଦି ବଢୁଥିବା କୁହାଯାଉଛି । ପାଖାପାଖି ୧୫୪ ଜଣ ସାମ୍ବାଦିକଙ୍କୁ ଏଇ ସମୟରେ ଗିରଫ କରାଯାଇଛି କିମ୍ବା ପୁଲିସ ସମନ କରିଛି କିମ୍ବା ଆକ୍ରମଣ ହୋଇଛି । ତା’ ଭିତରୁ କେବଳ ୨୦୨୦ରେ ସମୁଦାୟ ମାମଲାର ୪୦ ପ୍ରତିଶତ ଘଟିଛି ।

ପୃଥିବୀର ସବୁଠାରୁ କଷ୍ଟ ଯେତିକି ବୃତ୍ତି ଅଛି, ତା’ ଭିତରୁ ସାମ୍ବାଦିକତା ଅନ୍ୟତମ । ଦିନ ନାହିଁ, ରାତି ନାହିଁ, ସମୟ, ଦୁଃସମୟ କିଛି ନାହିଁ- ଅବିରତ ସାମ୍ବାଦିକ ତା’ କାମ କରିଚାଲେ । ଏ ବୃତ୍ତି କଷ୍ଟ ଅନେକ । ସେହି ଅନୁସାରେ ସୁବିଧା ସୁଯୋଗ ବି ନାହିଁ । କିନ୍ତୁ ଏଥିରେ ବିଚରା ସାମ୍ବାଦିକ ଜଣକ କାହାକୁ ନ ଚିହ୍ନିଥିଲେ ବି ତା’ ବିରୋଧର ଲେଖିବା ପାଇଁ ବାଧ୍ୟ ହୁଏ । କାରଣ- ଏଇ ବୃତ୍ତିର ପ୍ରଥମ ଭିତ୍ତିପ୍ରସ୍ତର ବା ପହିଲି ଇଟା ଖଣ୍ଡିକ ଯାହା ଉପରେ ସାମ୍ବାଦିକତା ଛିଡ଼ା ହୋଇଛି- ତାହା ହେଉଛି ସତ କଥା ଲେଖିବା । ଆଗରୁ ସମୟ ଅଲଗା ଥିଲା । ଲୋକେ ସତ କଥାକୁ ଗ୍ରହଣ କରୁଥିଲେ । ସେଇ ଅନୁସାରେ ସଂଶୋଧନ ପାଇଁ ପଦକ୍ଷେପ ବି ନେଉଥିଲେ । ଯେମିତି ଆଗରୁ ଆମ ଖବରକାଗଜରେ କେତେ କାର୍ଟୁନ ଆସୁଥିଲା । ଏବେ ଆଉ କାର୍ଟୁନ ପ୍ରାୟତଃ ଦେଖିବାକୁ ମିଳୁ ନାହିଁ । ଏହାର ଅର୍ଥ- ଗୋଟିଏ ସମାଜ ଭାବରେ ଆମର ଭୁଲ ଉପରେ ବା ଆମକୁ ନେଇ ଆମେ ହସିବା ଭୁଲି ଗଲୁଣି । ବରଂ କାର୍ଟୁନିଷ୍ଟମାନେ ବନ୍ଧା ହେବା ଖବର ଆସୁଛି ।

ଏବେ ଦେଖୁ ନାହାନ୍ତି, କରୋନା କାଳରେ ଆମେ ସମସ୍ତେ ନିଜ ଘରେ ବନ୍ଦୀ । ନିଜ ଘରେ ରହି ଆମେ ଦେଶ ଦୁନିଆର ଖବର ଜାଣୁଛୁ । କିନ୍ତୁ ଯିଏ ଆମକୁ ଖବର ଦେଉଛି, ସେ ସାମ୍ବାଦିକ ଜଣକ ସବୁବେଳେ ଆପଣା ଜୀବନକୁ ବିପନ୍ନ କରି ଆମ ପାଇଁ ଖବର ଦେଉଛି, ରିପୋର୍ଟ କରୁଛି । ତେଣୁ ସେମାନଙ୍କ ସୁରକ୍ଷା ଅଗ୍ରପ୍ରଧାନ୍ୟ ପାଇବା ଦରକାର । ହେଲେ ଓଲଟା ଘଟୁଛି ।

ଦତ୍ତାତ୍ରେୟଙ୍କ ଉପରେ ଆକ୍ରମଣ ଘୋର ଭାବେ ନିନ୍ଦନୀୟ । ଆଶା- ପୁରୀ ପୁଲିସ ପ୍ରଶାସନ ଓ ଓଡ଼ିଶା ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବେ । ଯେଉଁମାନେ ଦାୟୀ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଯେମିତି ଏ ମାମଲାର ପୁନରାବୃତ୍ତି ଆଉ କେବେ ନ ହୁଏ ।