Latest Odisha News

ରାଜକୋଟ ଦିନିକିଆ ବିଜୟରେ କୋହଲୀ, ରୋହିତ ଓ କୁଲଦୀପଙ୍କ ନୂଆ କିର୍ତ୍ତୀମାନ

ରାଜକୋଟ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟରେ ଭାରତ ବିଜୟ ହାସଲ କରିବା ସହ ଖେଳାଳିମାନେ କେତେଗୁଡିଏ ରେକର୍ଡ ମଧ୍ୟ କରିଛି । ହିଟମ୍ୟାନ ରୋହିତ ଶର୍ମା ଓପନର ଭାବେ ଦ୍ରୁତ ୭ ହଜାର ରନ ସଂଗ୍ରହ କରିଛନ୍ତି । ସେହିପରି ଅଧିନାୟକ ବିରାଟ କୋହଲି କମ୍ ଇନିଂସରେ ୯ହଜାର ରନ ପୂର୍ଣ୍ଣ କରିଛନ୍ତି । ରୋହିତ ଏହି କୀର୍ତିମାନ ହାସଲ କରିବା ପାଇଁ ୧୩୭ ଇନିଂସ ଖେଳିଥିଲେ । ପୂର୍ବରୁ ଏହି ରେକର୍ଡ ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କ ନାମରେ ଥିଲା । ସେ ୧୪୭ ଇନିଂସରେ ଏହି ସଫଳତା ହାସଲ କରିଥିଲେ ।

ରୋହିତ ଭାରତ ପକ୍ଷରୁ ୪ର୍ଥ ଓପନର ଭାବେ ଏହି ଉପଲବ୍ଧି ହାତେଇଛନ୍ତି । ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ବୀରେନ୍ଦ୍ର ସେହ୍ୱାଗ ୭ ହଜାର ରନ କ୍ଲବରେ ପୂର୍ବରୁ ସାମିଲ ହୋଇଥିଲେ । ସେହିପରି କୋହଲି ୧୩୪ ଇନିଂସରେ ୯ହଜାର ପୂର୍ଣ୍ଣ କରି ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସଙ୍କ ରେକର୍ଡ ଭାଙ୍ଗିଛନ୍ତି । ଡି’ଭିଲର୍ସ ୨୦୫ ଇନିଂସରେ ଏହି କୀର୍ତିମାନ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍‌ୟରେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୨୨୩ ମ୍ୟାଚରେ ଏବଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୩୫ ଇନିଂସରେ ଏହି ଲ୍ୟାଣ୍ଡମାର୍କ ଅତିକ୍ରମ କରିଥିଲେ । ୱେଷ୍ଟଇଣ୍ଡିଜର ବ୍ରାଏନ ଲାରା ୨୩୯ ଇନିଂସରେ ୯ ହଜାର ରନ ପୂର୍ଣ୍ଣ କରିଥିଲେ ।

କମ୍ ମ୍ୟାଚରେ ୧୦୦ ଉଇକେଟ ନେଲେ କୁଲଦୀପ:

ଭାରତୀୟ ସ୍ପିନର କୁଲଦୀପ କମ୍ ମ୍ୟାଚରେ ୧୦୦ ଉଇକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ୫୮ ମ୍ୟାଚରେ ଏହି ରେକର୍ଡ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଆଫଗାନିସ୍ତାନର ରଶିଦ ଖାନଙ୍କ ନାମରେ ରହିଥିଲା । ସେ ୪୪ ମ୍ୟାଚରେ ଏହି କୀର୍ତିମାନ ସ୍ଥାପନ କରିଥିଲେ । ପାକିସ୍ତାନର ସାକଲେନ ମୁସ୍ତାକ ୫୩ ମ୍ୟାଚରେ ଏବଂ ଭାରତର ହରଭଜନ ସିଂ ୭୬ ମ୍ୟାଚରେ ୧୦୦ ଉଇକେଟ ଅକ୍ତିଆର କରିଥିଲେ ।
ଶତକ ବିନା ଭାରତର ସର୍ବାଧିକ ସ୍କୋର : ମ୍ୟାଚରେ କୌଣସି ବ୍ୟକ୍ତିଗତ ଶତକ ବିନା ଭାରତ ୩୪୦ ରନର ବିଶାଳ ସ୍କୋର କରିଥିଲା । ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏସୀୟ ମିଳିତ ଟିମ୍ (ଅନ୍ତର୍ଜାତୀୟ ମାନ୍ୟତା) ୩୩୭, ଭାରତ ବିପକ୍ଷରେ ଇଂଲଣ୍ଡ ୩୨୫ ଏବଂ ୩୨୧ ରନ ସଂଗ୍ରହ କରିଥିଲା ।

Leave A Reply

Your email address will not be published.