ଭୁବନେଶ୍ଵର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଭରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବରିଷ୍ଠ ବିଜେପି ନେତାଙ୍କ ସହ ଯାଇ ସେ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ସୂଚନା ରହିଛି । ଗତକାଲି ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଥିଲା ବିଜେପି । ଆଉ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲା ବିଜେଡି ।
ଖବର ଅନୁଯାୟୀ, ରାଜ୍ୟସଭା ପାଇଁ ବିଜେଡି କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ତୃତୀୟ ପ୍ରାର୍ଥୀ କିଏ ହେବ ତାହାକୁ ନେଇ ସସପେନ୍ସ ଜାରି ରହିଥିଲା । ଗତକାଲି ଓଡିଶାରେ ଖାଲି ପଡିଥିବା ତୃତୀୟ ରାଜ୍ୟସଭା ଆସନ ପାଇଁ ଅଶ୍ବିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଥିଲା ବିଜେପି । ଏହାପରେ ବିଜୁ ଜନତା ଦଳ ପକ୍ଷରୁ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ନେଇ ଘୋଷଣା ହୋଇଥିଲା । ଏହା ପରେ ଆରମ୍ଭ ହୋଇଥିଲା କଂଗ୍ରେସର ରାଜନୀତି । ଦୁଇ ଦଳକୁ କଟାକ୍ଷ କରି ଅନେକ କଥା କହିଥିଲା କଂଗ୍ରେସ ।
ତେବେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ଗତକାଲି ସନ୍ଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ରେଳମନ୍ତ୍ରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ବିଜେପି ବିଧାୟକ, ଜିଲ୍ଲା ସଭାପତି, ସେବାୟତ ପୁଷ୍ପଗୁଚ୍ଛ ଓ ଖଣ୍ଡୁଆ ପାଟ ଦେଇ ସ୍ବାଗତ କରିଥିଲେ। ଏହାପରେ ସେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏଥିସହ ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୯ ରାଜ୍ୟସଭା ନିର୍ବାଚନ ବେଳେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ପ୍ରଥମେ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ପରେ ସେ ବିଜେପି ପ୍ରାର୍ଥୀ ବୋଲି ସ୍ପଷ୍ଟ କରିଥିଲା ବିଜେଡି । ବିଜେଡି ସମର୍ଥନରେ ହିଁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇ ମୋଦି ସରକାରରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ।
Comments are closed.