Latest Odisha News

BREAKING NEWS

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୋନିଆ ଗାନ୍ଧୀ

ଜୟପୁର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ରାଜସ୍ଥାନରୁ ନାମାଙ୍କନ ଭରିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ଥାନରେ କଂଗ୍ରେସରୁ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ହେବେ । ସୋନିଆ ଗାନ୍ଧୀ ନାମାଙ୍କନ ଦାଖଲ କରିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଦୋତାସରା ଉପସ୍ଥିତ ରହିଥିଲେ ।

କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ରାଜସ୍ଥାନରୁ କଂଗ୍ରେସକୁ ପ୍ରତିନିଧିତ୍ୱ କରିବେ । ପ୍ରଥମ ଥର ପାଇଁ ସେ ରାଜ୍ୟସଭାରୁ ପ୍ରତିନିଧିତ୍ୱ କରିବେ । ୧୯୯୮ ମସିହାରୁ ୨୦୨୨ ମସିହା ମଧ୍ୟରେ ପ୍ରାୟ ୨୨ ବର୍ଷ ଧରି କଂଗ୍ରେସ ସଭାପତି ଥିବା ସୋନିଆ ଗାନ୍ଧୀ ପାଞ୍ଚ ଥର ଲୋକସଭାର ସାଂସଦ ହୋଇଛନ୍ତି ।

ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଢୋଟାସରା କହିଛନ୍ତି ଏହି ନିଷ୍ପତ୍ତି ଆମକୁ ଶକ୍ତି ଦେବ । ମଲ୍ଲିକାର୍ଜୁନ ଖର୍ଗେ ଏବଂ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଆମେ ବହୁତ ଭଲ ପ୍ରଦର୍ଶନ କରିବୁ । ସେହିପରି, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ରାଜସ୍ଥାନ ସହ ସୋନିଆଙ୍କ ସର୍ମ୍ପକ ବେଶ ଭଲ । ରାଜସ୍ଥାନର ବିକାଶ ଦିଗରେ ସୋନିଆଙ୍କର ଅବଦାନ ଅନେକ ରହିଛି ଯାହାକୁ ଏଯାଏଁ ଭୁଲିନାହାନ୍ତି ରାଜସ୍ଥାନବାସୀ । ତାଙ୍କୁ ରାଜସ୍ଥାନରୁ ପ୍ରାର୍ଥୀ ଭାବେ ଘୋଷଣା ପରେ ପୂରା ରାଜ୍ୟରେ ଖୁସିରେ ଲହରୀ ଖେଳିଯାଇଛି ।

ସୋନିଆ ଏବେ ରାଏବରେଲିରୁ ସାଂସଦ ରହିଛନ୍ତି । ସୋନିଆଙ୍କ ସମେତ କଂଗ୍ରେସ ଆଉ ୪ ସାଂସଦଙ୍କ ନାଁ ମଧ୍ୟ ଘୋଷଣା କରିଛି । ହିମାଚଳ ପ୍ରଦେଶରୁ ଅଭିଷେକ ମନୁ ସିଂଘଭି, ବିହାରରୁ ଅଖିଳେଶ ପ୍ରସାଦ, ମହାରାଷ୍ଟରୁ ଚନ୍ଦ୍ରକାନ୍ତ ହଣ୍ଡୋରେଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ ।

Leave A Reply

Your email address will not be published.