Latest Odisha News

BREAKING NEWS

ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ, ଶ୍ରୀମନ୍ଦିରର ଉନ୍ନତି ପାଇଁ ଦେଲେ ୧ ଲକ୍ଷ ଟଙ୍କାର ଚେକ୍

ପୁରୀ: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସାଙ୍ଗରେ ପତ୍ନୀ ସବିତା କୋବିନ୍ଦ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ରାଷ୍ଟ୍ରପତି ଆଜି ସକାଳେ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀରେ ପହଞ୍ଚି ସେଠାରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ।

ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସିଂହଦ୍ବାର ନିକଟରେ ଗଜପତି ଦିବ୍ୟସିଂହ ଦେବ ତାଙ୍କୁ ସ୍ବାଗତ କରିଥିଲେ । ପରେ କୌଳିକ ସେବାୟତ ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରକୁ ନେଇ ମହାପ୍ରଭୂଙ୍କ ଦର୍ଶନ କରାଇଥିଲେ । ଶ୍ରୀମନ୍ଦିର ଭିତରେ ମା’ ବିମଳା ଓ ଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି । ଏହାସହ ସେ ଶ୍ରୀମନ୍ଦିର ଐତିହ୍ୟ କରିଡର ବୁଲି ଦେଖିଥିଲେ । ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାପ୍ରଭୁଙ୍କ ଫଟୋ ଚିତ୍ରକୁ ମହାମହିମଙ୍କୁ ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାପ୍ରଭୁଙ୍କ ଉଦେଶ୍ୟରେ ୧ ଲକ୍ଷ ଟଙ୍କା ଚେକ୍ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ରାଷ୍ଟ୍ରପତିଙ୍କ ସହ ଥିବା ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଆରଟିପିସିଆର କୋଭିଡ ଟେଷ୍ଟ ହୋଇଛି । ୪୦ ପ୍ଲାଟୁନ ପୋଲିସ ଫୋର୍ସ, ୨୫୦ ପୋଲିସ ଅଫିସର ଓ ୧୩ ଜଣ ଏସପି ଏହି ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ଦେଖି ବଡ଼ ଦାଣ୍ଡର ମେଡ଼ିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଆଜି ଦିନ ୧୨ଟା ଯାଏ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା  ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମହାମହିମ ତାଙ୍କ ପତ୍ନୀଙ୍କ ସହ ଆଜି ସକାଳେ ଶ୍ରୀମନ୍ଦିର ଆସି ମହାପ୍ରଭୂଙ୍କୁ ଦର୍ଶନ କରିଛନ୍ତି । ଏହାପରେ ତଳବଣିଆ ହେଲିପ୍ୟାଡ୍‌ରୁ କୋଣାର୍କ ଅଭିମୁଖେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି । ତାଙ୍କ ପାଇଁ କୋଣାର୍କ ଓଟିଡିସି ଯାତ୍ରୀ ନିବାସରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ବ୍ୟବସ୍ଥା ହୋଇଛି । ଅପରାହ୍ନ ୪ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଣାର୍କରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଅଛନ୍ତି । 

Leave A Reply

Your email address will not be published.