ହାଇଦ୍ରାବାଦ: ବାହୁବଳି ଫିଲ୍ମ ଅଭିନେତା ରାଣା ଡାଗୁବଟ୍ଟୀ ଓ ତାଙ୍କ ବାପା ତଥା ଜଣାଶୁଣା ତେଲଗୁ ଫିଲ୍ମ ପ୍ରଯୋଜକ ସୁରେଶ ବାବୁଙ୍କ ନାଁରେ ମାମଲା ରୁଜୁ। ଜମି ହଡ଼ପ ଘଟଣାରେ ବାପ ପୁଅଙ୍କ ବିରୋଧରେ କୋର୍ଟରେ ମାମଲା ହୋଇଛି। ହାଇଦ୍ରାବାଦର ଫିଲ୍ମ ନଗରରେ ଜମି ହଡ଼ପ କରିବା ଅଭିଯୋଗ ନେଇ ପ୍ରମୋଦ କୁମାର ନାମକ ଜଣେ ବ୍ୟବସାୟୀ ଉଭୟଙ୍କ ବିରୋଧରେ ନାମ୍ପାଲ୍ଲୀ କୋର୍ଟରେ ମାମଲା କରିଛନ୍ତି।
ଅଭିଯୋଗ ଅନୁସାରେ, ପ୍ରମୋଦଙ୍କୁ ଗୁଣ୍ଡା ଲଗାଇ ତାଙ୍କ ଜାଗାରୁ ତଡ଼ି ଦିଆଯାଇଛି। ଉଭୟ ରାଣା ଓ ତାଙ୍କ ବାପା ସୁରେଶ ତାଙ୍କୁ ପ୍ରମୋଦଙ୍କୁ ଜାଗା ଛାଡ଼ି ଚାଲିଯିବାକୁ ବାରମ୍ବାର ଧମକାଉଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ତାଙ୍କ ଅଭିଯୋଗ ନ ଶୁଣିବାରୁ ଅନ୍ୟ ଉପାୟ ନ ପାଇ ସେ ବାଧ୍ୟ ହୋଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ବୋଲି ପ୍ରମୋଦ ଆବେଦନରେ ଦର୍ଶାଇଛନ୍ତି।
ଏହି ଘଟଣାରେ ମେଟ୍ରୋ ପଲିଟାନ ନାମ୍ପାଲ୍ଲୀ କୋର୍ଟ ସୁରେଶ ବାବୁ ଓ ପୁଅ ଡାଗୁବାଟୀ ରାଣାଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏଥିସହିତ ମାମଲାରେ ରାଣାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟ ସମନ ମଧ୍ୟ କରିଛନ୍ତି। ମେ ୧ ତାରିଖରେ ସମସ୍ତଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଘଟଣା ସମ୍ପର୍କରେ ପ୍ରମୋଦ କୋର୍ଟରେ ଦର୍ଶାଇ ଯେ ସୁରେଶ ବାବୁ ୨୦୧୪ ମସିହାରେ ଉକ୍ତ ଜମିଙ୍କୁ ତାଙ୍କୁ ଲିଜ୍ ଦେଇଥିଲେ। ଲିଜ୍ ସରିବା ମାତ୍ରେ ସୁରେଶ ପ୍ରମୋଦଙ୍କୁ ସେହି ଜମି ୧୮ କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ। ଏହି ଚୁକ୍ତି ଅନୁସାରେ ପ୍ରମୋଦ ଏଥିପାଇଁ ଆଗୁଆ ୫ କୋଟି ଟଙ୍କା ଦେଇଥିଲେ। ତେବେ ଟଙ୍କା ନେଇସାରିଲା ପରେ ସୁରେଶ ବାବୁ ଜମି ପଞ୍ଜୀକରଣରେ କୌଣସି ମୁଣ୍ଡ ଖେଳାଇଲେ ନାହିଁ।
ଜମି ପଞ୍ଜିକରଣ ଅଧାରେ ଅଟକିଥିବା ବେଳେ ସୁରେଶ ତାଙ୍କ ପୁଅ ରାଣାଙ୍କ ନାଁରେ ଏହି ସମ୍ପତ୍ତି ଟ୍ରାନ୍ସଫର୍ କରିଦେଇଥିଲେ। ଏହାପରେ ବାପ-ପୁଅ ଗୁଣ୍ଡା ଲଗାଇ ତାଙ୍କୁ ସେଠାରୁ ତଡ଼ି ଦେଇଥିଲେ ବୋଲି ପ୍ରମୋଦ ଅଭିଯୋଗ କରିଛନ୍ତି। ତେବେ ଘଟଣା ସମ୍ପର୍କରେ ସେ ବଞ୍ଜାରା ହିଲ୍ସ ପୁଲିସ୍ ଷ୍ଟେସନ୍ରେ ଅଭିଯୋଗ କରିବା ପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା।
ବର୍ତ୍ତମାନ ଏହି ଘଟଣା କୋର୍ଟରେ ପହଞ୍ଚି ସାରିଛି। ମାଜିଷ୍ଟ୍ରେଟ୍ କୋର୍ଟ ଏନେଇ ବାପା ପୁଅଙ୍କୁ ସମନ ମଧ୍ୟ କରିସାରିଛନ୍ତି। ହେଲେ ଘଟଣାକୁ ନେଇ ରାଣା କିମ୍ବା ତାଙ୍କ ବାପା ସୁରେଶ ବାବୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
ସୂଚନା ଥାଉକି, ଡ୍ରଗ୍ସ ଦୁର୍ନୀତି ମାମଲାରେ ନାଁ ସାମ୍ନାକୁ ଆସିବା ପରେ ରାଣା ଡାଗୁବାଟ୍ଟୀ ଲାଇମ୍ଲାଇଟ୍ରୁ ଦୂରେଇ ରହୁଛନ୍ତି। ମିଡିଆ ସାମ୍ନାରୁ ସବୁ ବେଳେ ଦୂରେଇ ରହୁଥିବା ରାଣା ଏବେ ପୁଣି ଏକ ମାମଲାରେ ଫସିଯାଇଛନ୍ତି। ଏହା ପୂର୍ବରୁ ୨୦୧୭ ମସିହାର ଏକ ଡ୍ରଗ୍ସ ସ୍କାଣ୍ଡାଲ୍ ମାମଲାରେ ସେପ୍ଟେମ୍ବର ୨୦୨୧ ରାଣା ଡାଗୁବାଟୀ ଇଡିର ଦ୍ୱାରସ୍ଥ ହୋଇଥିଲେ। ଯାହାକୁ ନେଇ ଜୋର୍ଦାର ଚର୍ଚ୍ଚା ହୋଇଥିଲା।
Comments are closed.